ଜମି ଆତ୍ମସାତ୍‌ ଉଦ୍ଦେଶ୍ୟରେ ନମାଜ ପାଠ ଗ୍ରହଣୀୟ ନୁହେଁ: ଅନୀଲ ଭିଜ୍‌

0

ନୂଆଦିଲ୍ଲୀ : କଦବା କ୍ୱଚିତ୍‌ ଯଦି କାହାରିକୁ ପରିସ୍ଥିତି ବଶତଃ ମୁକ୍ତାକାଶ ତଳେ କୌଣସି ସ୍ଥାନରେ ନମାଜ ପାଠ କରିବାକୁ ପଡେ ତା’ହେଲେ ସେ ନେଇ ସ୍ୱାଧୀନତା ରହିଛି। କିନ୍ତୁ ଜମି ଆତ୍ମସାତ୍‌ ଉଦ୍ଦେଶ୍ୟରେ କୌଣସି ସ୍ଥାନରେ ନମାଜ ପାଠ କରିବା ସମ୍ପୂର୍ଣ୍ଣ ଭୁଲ୍‌। ଏହାକୁ କୌଣସି ମତେ ଅନୁମତି ଦିଆଯିବ ନାହିଁ ବୋଲି ହରିୟାଣାର ବିଜେପି ନେତା ଅନୀଲ ଭିଜ୍‌ ସୋମବାର କହିଛନ୍ତି। ମୁକ୍ତାକାଶ ତଳେ ଯେକୌଣସି ସ୍ଥାନରେ ନମାଜ ପାଠକୁ ବାରଣ କରାଯିବା ସହିତ ଏହାକୁ କେବଳ ମସ୍‌ଜିଦ୍‌ ଏବଂ ଇଦ୍‌ଗାହ ମଧ୍ୟରେ ସୀମିତ ରଖାଯିବା ଉଚିତ୍‌ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ରବିବାର ମନ୍ତବ୍ୟ ଦେଇଥିଲେ। ଏହାର ପ୍ରତିକ୍ରିୟାରେ ଭିଜ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଗତ ଦୁଇ ସପ୍ତାହ ହେବ ଗୁଡଗାଓଁଠାରେ ମୁସଲମାନ ଧର୍ମର କିଛି ଲୋକ ଖୋଲାସ୍ଥାନରେ ନମାଜ ପାଠ କରିବା ଘଟଣାକୁ ହିନ୍ଦୁଙ୍କ ପକ୍ଷରୁ ବିରୋଧ କରାଯିବା ପରିପ୍ରେକ୍ଷୀରେ ଏହି ନେତାମାନେ ଏପରି ମନ୍ତବ୍ୟ ଦେଇଛନ୍ତି। ଏଭଳି ମନ୍ତବ୍ୟ ପାଇଁ ସେମାନଙ୍କୁ ହରିୟାଣା କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ହରିୟାଣା ପିସିସି ସଭାପତି ଅଶୋକ ତନୱର କହିଛନ୍ତି, ଅଧିକାଂଶ ଧାର୍ମିକ ଏବଂ ସାମାଜିକ କାର୍ଯ୍ୟକ୍ରମ ସର୍ବସାଧାରଣ ସ୍ଥାନରେ ହିଁ କରାଯାଇଥାଏ। ସ୍ଥାନ ଅଭାବ କ୍ଷେତ୍ରରେ ଲୋକେ ସରକାରୀ ସ୍ଥାନକୁ ବ୍ୟବହାର କରିଥାଆନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରେ ଭେଦଭାବର ଆଭାସ ରହିଛି ବୋଲି ସେ ଦର୍ଶାଇଛନ୍ତି।

Leave A Reply