ଆନନ୍ଦ ପିରାମଲଙ୍କୁ ବାହାହେବେ ଈଶା ଅମ୍ବାନି

0

ମୁମ୍ବଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ଘରେ ଏବେ ବାହାଘର ଋତୁ ଚାଲିଛି। ବଡ଼ ପୁଅ ଆକାଶଙ୍କ ବିବାହ ବିଶିଷ୍ଟ ହୀରା ବ୍ୟବସାୟୀ ରଶେଲ ମେହତାଙ୍କ ଝିଅ ତଥା ‘ବ୍ଲୁ ଡାଇମଣ୍ଡ’ ହୀରା କମ୍ପାନୀର ମୁଖ୍ୟ ଶ୍ଳୋକା ମେହତାଙ୍କ ସହିତ ଆସନ୍ତା ଡିସେମ୍ବରରେ ହେବାକୁ ଧାର୍ଯ୍ୟ ହୋଇଥିବାବେଳେ ଝିଅ ଈଶାଙ୍କ ବିବାହ ସ୍ଥିର ହୋଇଛି। ସମ୍ପ୍ରତି ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ରିଟେଲ୍‌ର ପ୍ରଶାସନିକ ବୋର୍ଡ ସଦସ୍ୟା ଥିବା ଈଶା ପ୍ରସିଦ୍ଧ ପିରାମଲ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ଅଜୟ ପିରାମଲଙ୍କ ପୁଅ ଆନନ୍ଦଙ୍କୁ ବିବାହ କରୁଥିବା ଜଣାପଡ଼ିଛି। ନିକଟରେ ମହାବଳେଶ୍ୱର ମନ୍ଦିର ଦର୍ଶନ ସମୟରେ ଈଶାଙ୍କୁ ଆନନ୍ଦ ବିବାହ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ ଓ ଈଶା ତଥା ତାଙ୍କ ପରିବାର ଏହାକୁ ଗ୍ରହଣ କରିଥିଲେ। ସେମାନଙ୍କ ବିବାହର ତାରିଖ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଛି।
ଆନନ୍ଦ ସମ୍ପ୍ରତି ପିରାମଲ ଗ୍ରୁପ୍‌ର କାର୍ଯ୍ୟକାରୀ ନିର୍ଦେଶକ ଅଛନ୍ତି। ସେ ରିଅଲ ଇଷ୍ଟେଟ୍‌ ସହିତ କମ୍ପାନୀର ପରିଚାଳନା କାର୍ଯ୍ୟ ବୁଝାସୁଝା କରୁଛନ୍ତି। ପିରାମଲ ଇ-ସ୍ୱାସ୍ଥ୍ୟର ସେ ପ୍ରତିଷ୍ଠାତା। ଏହାଛଡ଼ା ସେ ଭାରତୀୟ ମର୍ଚାଣ୍ଟ ଚାମ୍ବର, ଯୁବ ଶାଖାର ସର୍ବକନିଷ୍ଠ ସଭାପତି ଅଛନ୍ତି। ଆନନ୍ଦ ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସହ ହାର୍ଭାର୍ଡ ବିଜ୍‌ନେସ୍‌ ସ୍କୁଲରୁ ଏମ୍‌ବିଏ ଡିଗ୍ରି ହାସଲ କରିଛନ୍ତି। ଅପରପକ୍ଷରେ ଈଶା ୟେଲ୍‌ ବିଶ୍ୱବିଦ୍ୟାଳୟରୁ ମନସ୍ୱତ୍ତ୍ୱ ଓ ଦକ୍ଷିଣ ଏସୀୟ ଷ୍ଟଡିଜ୍‌ରେ ଡିଗ୍ରୀ ହାସଲ କରିଛନ୍ତି। ନିକଟରେ ସେ ଷ୍ଟାନଫୋର୍ଡ ବିଜ୍‌ନେସ୍‌ ସ୍କୁଲରୁ ଏମ୍‌ବିଏ ଶିକ୍ଷା ଗ୍ରହଣ କରିଛନ୍ତି। ଉଭୟଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା ରହିଛି। ଉଭୟଙ୍କ ବିବାହକୁ ସ୍ୱୀକୃତି ସ୍ୱରୂପ ମୁକେଶ ଓ ପତ୍ନୀ ନିତା, ମାଆ କୋକିଳାବେନ୍‌ ଅମ୍ବାନି, ଅଜୟ ଓ ପତ୍ନୀ ସ୍ୱାତୀ ପିରାମଲ, ସମ୍ପର୍କୀୟା ପୂର୍ଣ୍ଣିମାବେନ୍‌ ଦଲାଲ, ଈଶାଙ୍କ ଦୁଇ ଜାଆଁଳା ଭାଇ ଆକାଶ ଓ ଅନନ୍ତ, ଆନନ୍ଦଙ୍କ ଭଉଣୀ ନନ୍ଦିନୀ, ସମ୍ପର୍କୀୟ ପିଟର, ଆନ୍ୟା, ଦେବ ପ୍ରମୁଖଙ୍କ ଗହଣରେ ଏକ ଛୋଟକାଟର ଉତ୍ସବ ପାଳିତ ହୋଇଯାଇଛି।

Leave A Reply