ନାହିଁ ନାହିଁରେ ସନ୍ତୁଳି ହେଉଛି ପଡ଼ାଗ୍ରାମ ଅମୁଣିଆସାହି

ପାଣି,ବିଜୁଳି, ରାସ୍ତା ଓ ବିଦ୍ୟାଳୟରେ ସମସ୍ୟା 

ତିଗିରିଆ : ତିଗିରିଆ ବ୍ଲକର ପୁରୁଣା ତିଗିରିଆ ପଞ୍ଚାୟତରେ ରହିଛି ପଡାଗ୍ରାମ ଅମୁଣିଆସାହି । ଦୀର୍ଘ ବର୍ଷ ହେଲା ଗ୍ରାମଟି ଅବହେଳିତ ହୋଇ ରହିଛି। ଗ୍ରାମରେ ଉନ୍ନୟନ ମୂଳକ କାର୍ଯ୍ୟ ଆଦୌ ନଥିବା ବେଳେ ଲୋକଙ୍କୁ ଏଯାଏଁ ମୌଳିକ ସୁବିଧା ମିଳିପାରିନାହିଁ। ଗମନାଗମନ କ୍ଷେତ୍ରରେ ରାସ୍ତା ଠାରୁ ଆରମ୍ଭ କରି ପାନୀୟ ଜଳ, ରାସ୍ତା ଅଲୋକୀକରଣ ଏବଂ ଡ୍ରେନେଜ୍ ଆଦି ସମସ୍ୟାରେ ଏଠାକାର ଅଧିବାସୀ ସନ୍ତୁଳି ହେଉଥିବା ଅଭିଯୋଗ ହେଉଛି।

prayash
ପୁରୁଣାତିଗିରିଆ ପଞ୍ଚାୟତର ୩ ଗୋଟି ୱାର୍ଡକୁ ନେଇ ଏହି ଅମୁଣିଆସାହି ଗଠିତ। ଏହି ପଡ଼ା ଗ୍ରାମରେ ୧୩୮ ପରିବାର ଏବଂ ସମୁଦାୟ ଲୋକସଂଖ୍ୟା ୬୭୯ ହେବ । ଭୋଟର ସଂଖ୍ୟା ୬୦୫ ହେବ। ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ନଥିବା ବେଳେ ଗାଁ ମୁହଁରେ ୪-୫ ଟି ପରିବାରକୁ ଯାହିତାହି ରାସ୍ତା ଉପରେ ପାଇପ ପକାଇ ଜଳଯୋଗାଣ ହେଉଛି। ଯାହାକି ପାନୀୟ ଯୋଗ୍ୟ ନୁହେଁ ବୋଲି ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ମିଳିଛି। ସେହିପରି ଗତ ବର୍ଷେ ତଳେ ଗ୍ରାମ ରାସ୍ତାକୁ ଆଲୋକୀ କରଣ ଲାଗି ବିଦ୍ୟୁତ୍ ଖୁଣ୍ଟରେ ୧୦ ଗୋଟି ସ୍ଥାନରେ ଆଲୋକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଗୋଟିଏ ମାସ ପାଇଁ ଲୋକେ ଆଲୋକ ଦେଖିବାର ସୁଯୋଗ ପାଇନାହାଁନ୍ତି। ଏହି ଆଲୋକ ବ୍ୟବସ୍ଥାକୁ ମରାମତି କରାଯିବାକୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।
ଗ୍ରାମ୍ୟ ରାସ୍ତା ବହୁ ପୁରୁଣା ହୋଇ ଭଙ୍ଗାରୁଜା ଅବସ୍ଥାରେ ରହିଥିବା ବେଳେ ରାସ୍ତା ଉଭୟ ପାର୍ଶ୍ଵରେ ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ନାନାଦି ଆବର୍ଜନା ଜଳ ପ୍ରବାହିତ ହୋଇ ପରିମଳ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଆସୁଛି। ବର୍ଷ ତମାମ ବିଭିନ୍ନ କୂପ ଓ ନଳକୂପ ଜଳ ରାସ୍ତାରେ ପ୍ରବାହିତ ହୋଇ ଶିଉଳିରେ ଭରି  ରହିଛି । ଅପରପକ୍ଷେ ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଥିଲେ ମଧ୍ୟ ତାହା ଅବହେଳିତ ଅବସ୍ଥାରେ ରହିଛି। ପ୍ରଥମରୁ ୫ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢିବା ପାଇଁ ମାତ୍ର ୨ଗୋଟି ଶ୍ରେଣୀ କକ୍ଷ ରହିଛି। ବିଦ୍ୟାଳୟର ସୀମା ସରହଦରେ ପାଚେରୀ ନଥିବାରୁ ଅନୁଷ୍ଠାନଟି ସମ୍ପୂର୍ଣ ମୁକୁଳା ପଡ଼ିଛି। ଗୋରୁଗାଈଙ୍କ ଅବାଧ ପ୍ରବେଶ । ସବୁଠୁ ବଡ଼ ବିସ୍ମୟକର ହେଉଛି ପ୍ରତି ଗାଁ ରେ ମାଳମାଳ କୋଠ ଘର ଦେଖିବାକୁ ମିଳୁଥିବା ବେଳେ ଏଠି ତାହା ନାହିଁ। ଗ୍ରାମର ଅଧିବାସୀମାନଙ୍କ ବିଭିନ୍ନ ସାମାଜିକ ତଥା ସାମୁହିକ କୋଠ କାର୍ଯ୍ୟ ପାଇଁ ଗାଁରେ ଗୋଟିଏ ବି କୋଠଘର ନଥିବା ଜଣାପଡିଛି। ଗ୍ରାମୀଣ ବିକାଶ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କାର ଅନୁଦାନ ବିଞ୍ଚି ଚାଲିଥିବା ବେଳେ ଅମୁଣିଆସାହିର  ଉନ୍ନୟନ ଦିଗରେ ଅଣଦେଖା ହେଉଥିବା ଜଣାପଡିଛି।

Comments are closed.