ଏଏମ୍ୟୁକୁ ଜାଠ୍ ରାଜାଙ୍କ ନାମରେ ନାମିତ କରିବାକୁ ହରିୟାଣା ମନ୍ତ୍ରୀଙ୍କ ପ୍ରସ୍ତାବ
ଚଣ୍ଡୀଗଡ଼ : ଆଲୀଗଡ଼ ମୁସ୍ଲିମ ବିଶ୍ୱବିଦ୍ୟାଳୟ (ଏଏମ୍ୟୁ) ପରିସରରୁ ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲି ଜିନ୍ନାଙ୍କ ଫଟୋ ଚିତ୍ର ପ୍ରତ୍ୟାହାର ଦାବିକୁ ନେଇ ସୃଷ୍ଟ ବିବାଦ ଥମି ନ ଥିବା ବେଳେ ସୋମବାର ହରିୟାଣାର ଅର୍ଥ ମନ୍ତ୍ରୀ କ୍ୟାପ୍ଟେନ୍ ଅଭିମନ୍ୟୁଙ୍କ ଏକ ମନ୍ତବ୍ୟକୁ ନେଇ ନୂତନ ଚର୍ଚ୍ଚା ଆରମ୍ଭ ହୋଇଛି। ଜାଠ୍ ମହାରାଜା ମହେନ୍ଦ୍ର ପ୍ରତାପ ସିଂହ ଏଏମ୍ୟୁ ପ୍ରତିଷ୍ଠା ପାଇଁ ଜମି ପ୍ରଦାନ କରିଥିବାରୁ ବିଶ୍ୱବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଉ ବୋଲି ଅଭିମନ୍ୟୁ ଦାବି କରିଛନ୍ତି। ରେୱାରିସ୍ଥିତ ଜାଠ୍ ଧର୍ମଶାଳାଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଶିକ୍ଷା କ୍ଷେତ୍ର ପ୍ରତି ରାଜା ମହେନ୍ଦ୍ର ପ୍ରତାପଙ୍କ ଭୂମିକାକୁ ଭୁଲି ହେବ ନାହିଁ। ଦେଶ ବିଭାଜନ ନିମନ୍ତେ ଜିନ୍ନା ଦାୟୀ ହୋଇଥିବା ବେଳେ ତାଙ୍କ ଫଟୋଚିତ୍ର ଏଏମ୍ୟୁରେ ରଖାଯାଇଛି; ଅଥଚ ରାଜା ମହେନ୍ଦ୍ର ପ୍ରତାପଙ୍କ କୌଣସି ଫଟୋଚିତ୍ର ଏଯାବତ୍ ସେଠାରେ ସ୍ଥାନ ପାଇପାରି ନାହିଁ।