ମୋଦିଙ୍କୁ ଏଏମ୍‌ୟୁ ଛାତ୍ରଛାତ୍ରୀଙ୍କ ଚିଠି : ହିନ୍ଦୁ ମୌଳବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

0

ଅଲ୍ଲୀଗଡ଼ : ଅଲ୍ଲୀଗଡ଼ ମୁସଲିମ୍‌ ୟୁନିଭର୍ସିଟି (ଏଏମ୍‌ୟୁ) ପରିସରରୁ ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋଚିତ୍ର ହଟାଇବା ଦାବିକୁ ନେଇ ସୃଷ୍ଟ ବିବାଦ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ନିକଟକୁ ଚିଠି ଲେଖିଛନ୍ତି। ମେ’ ୨ରେ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ପୂର୍ବକ ଏହି ଐତିହାସିକ ବିଶ୍ୱବିଦ୍ୟାଳୟର ସମ୍ମାନ ହାନି କରିଥିବା ହିନ୍ଦୁ ମୌଳବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଏଥିନିମନ୍ତେ ସେମାନେ ମୋଦି, ଯୋଗି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟକୁ ତିନିଟି ପୃଥକ୍‌ ଚିଠି ଲେଖି ନିବେଦନ କରିଛନ୍ତି। ଅନ୍ୟପଟେ ଏହି ଦାବି ନେଇ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ସ୍ଥିତ ଏଏମ୍‌ୟୁ ପୂର୍ବତନ ଛାତ୍ର ଫୋରମ ପକ୍ଷରୁ ମଧ୍ୟ ଭାରତୀୟ ବାଣିଜ୍ୟ ଦୂତାବାସକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମଧ୍ୟପ୍ରାଚ୍ୟର ଏଏମ୍‌ୟୁ ପୂର୍ବତନ ଛାତ୍ର ସଂଘ ପକ୍ଷରୁ ଅନୁରୂପ ସ୍ମାରକପତ୍ର ସଭାପତିଙ୍କ ନିକଟକୁ ପଠାଯାଇଥିବା ଫୋରମ୍‌ର ସଭାପତି ସୟିଦ କୁତୁବୁର ରହମାନ କହିଛନ୍ତି। ଏପରିକି ସାଉଦି ଆରବ, କାତାର, ଅଷ୍ଟ୍ରେଲିଆ, ଆମେରିକା, ଦକ୍ଷିଣ କୋରିଆ ଏବଂ ନ୍ୟୁଜିଲାଣ୍ଡଠାରେ ଥିବା ପୂର୍ବତନ ଛାତ୍ରଙ୍କ ସଂଘ ପକ୍ଷରୁ ମେ’ ୨ରେ ବିଶ୍ୱବିଦ୍ୟାଳୟ ପରିସରରେ ପୁଲିସର ଲାଠିଚାର୍ଜକୁ ବିରୋଧ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ପୂର୍ବକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ ଚାନ୍‌ସେଲର ତାରିକ୍‌ ମନସୂର ବିଶ୍ୱବିଦ୍ୟାଳୟ ପରିସରରେ ଜିନ୍ନାଙ୍କ ଫଟୋଚିତ୍ରକୁ ବିରୋଧ କରିବା ପରେ ଏହି ବିବାଦର ସୂତ୍ରପାତ ହୋଇଥିଲା। ଏଥିଯୋଗୁ ସୃଷ୍ଟି ହୋଇଥିବା ହିଂସା ଘଟଣାରେ ପୁଲିସ ଦୁଇ ଜଣ ଛାତ୍ରଙ୍କୁ ଗିରଫ କରିଥିଲା। ମେ’ ୧୨ରେ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିବାକୁ ପଡିଛି।

Leave A Reply