www.samajalive.in
Friday, December 5, 2025
26.1 C
Bhubaneswar

‘ବନ୍ଦେ ମାତରମ୍’ : ସାଂସ୍କୃତିକ ରାଷ୍ଟ୍ରବାଦ ପ୍ରଥମ ଉଦ୍‌ଘୋଷଣା

ଆମ ଦେଶର ଇତିହାସରେ ବେଳେବେଳେ ଏଭଳି କିଛି ବିଶେଷ ଅବସର ଆସିଛି, ଯେତେବେଳେ ଗୀତ ଏବଂ କଳାତ୍ମକ କାର୍ଯ୍ୟ ଭିନ୍ନ ଭିନ୍ନ ରୂପେ ଲୋକମାନଙ୍କ ଭାବନାକୁ ପ୍ରଭାବିତ କରି ଆନ୍ଦୋଳନର ସ୍ୱରୂପ ପ୍ରଦାନ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତାହା ଛତ୍ରପତି ଶିବାଜି ମହାରାଜଜୀଙ୍କ ସେନାର ଯୁଦ୍ଧ ଗୀତ ହୋଇଥାଉ, ଅଥବା ସ୍ୱାଧୀନତା ଆନ୍ଦୋଳନ ସମୟରେ ସଂଗ୍ରାମୀମାନଙ୍କ ଦ୍ୱାରା ବୋଲାଯାଉଥିବା ଗୀତ ହୋଇଥାଉ କିମ୍ବା ଆପାତକାଳୀନ ସ୍ଥିତି ଜାରି ହୋଇଥିବାବେଳେ ଏହା ବିରୋଧରେ ଦେଶର ଯୁବଗୋଷ୍ଠୀଙ୍କ ସାମୂହିକ ଗାନ ହୋଇଥାଉ – ଏହିସବୁ ଗୀତ ଭାରତୀୟ ସମାଜର ସ୍ୱାଭିମାନକୁ ପ୍ରେରଣାରେ ଭରି ଦେଇଛି ଏବଂ ସେମାନଙ୍କୁ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବାର ସୁଯୋଗ ପ୍ରଦାନ କରିଛି।

ଅନୁରୂପ ଭାବରେ ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’, ଯାହାର ଇତିହାସ କେବଳ ଯୁଦ୍ଧଭୂମି ନୁହେଁ, ବରଂ ଜଣେ ବିଦ୍ୱାନ୍ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ପ୍ରଶାନ୍ତ କିନ୍ତୁ ବଜ୍ର ସଂକଳ୍ପରୁ ହିଁ ଆରମ୍ଭ ହୋଇଥିଲା। ୧୮୭୫ ମସିହାରେ, ଜଗଦ୍ଧାତ୍ରୀ ପୂଜା (କାର୍ତ୍ତିକ ଶୁକ୍ଳ ନବମୀ ଅବା ଯାହାକୁ ଅକ୍ଷୟ ନବମୀ ବୋଲି କୁହାଯାଇଥାଏ) ଦିନ, ସେ ଏହି ସ୍ତୋତ୍ର ରଚନା କରିଥିଲେ ଯାହା ଭାରତୀୟ ସ୍ୱାଧୀନତାର ଶାଶ୍ୱତ ସଙ୍ଗୀତରେ ପରିଣତ ହୋଇଥିଲା। ଏହି ପବିତ୍ର ଶବ୍ଦାବଳୀକୁ ରଚନା କରିବା ଲାଗି ସେ ଭାରତର ଗଭୀରତମ ସଭ୍ୟତାଗତ ମୂଳ ଆଧାରରୁ ପ୍ରେରଣା ଲାଭ କରିଥିଲେ। ଅଥର୍ବ ବେଦର ବଜ୍ର ଉଦ୍‌ଘୋଷଣା ‘ମାତା ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ’ ଠାରୁ ନେଇ ଦେବୀ ମାହାତ୍ମ୍ୟ ପର୍ଯ୍ୟନ୍ତ ସବୁଥିରେ ଥିବା ବିଶ୍ୱମାତାଙ୍କ ଆହ୍ୱାନରୁ ସେ ଏହି ପ୍ରେରଣା ଲାଭ କରିଥିଲେ।

- Advertisement -

ବଙ୍କିମଚନ୍ଦ୍ରଙ୍କର ଏହି ମହାନ୍ ମନ୍ତ୍ର, ପ୍ରାର୍ଥନା ମଧ୍ୟ ଥିଲା ଏବଂ ଦେଶ ତଥା ଦେଶବାସୀଙ୍କ ପାଇଁ ଭବିଷ୍ୟବାଣୀ ମଧ୍ୟ ଥିଲା। ‘ବନ୍ଦେ ମାତରମ୍’ କେବଳ ଭାରତର ରାଷ୍ଟ୍ରୀୟ ଗୀତ ନୁହେଁ, କେବଳ ସ୍ୱାଧୀନତା ଆନ୍ଦୋଳନର ପ୍ରାଣଶକ୍ତି ନୁହେଁ, ବରଂ ଏହା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ‘ସାଂସ୍କୃତିକ ରାଷ୍ଟ୍ରବାଦ’ର ଥିଲା ପ୍ରଥମ ଉଦ୍‌ଘୋଷଣା, ଅର୍ଥାତ୍, ଆଦ୍ୟ ଓଁକାର। ଏହା ଆମକୁ ସ୍ମରଣ କରାଇ ଦେଇଥିଲା ଯେ ଭାରତ କେବଳ ଏକ ଭୂଖଣ୍ଡ ନୁହେଁ, ବରଂ ଏକ ଭୂ-ସାଂସ୍କୃତିକ ରାଷ୍ଟ୍ର ମଧ୍ୟ ଯାହାର ଏକତା ଏହାର ସଂସ୍କୃତି ଏବଂ ସଭ୍ୟତା ଠାରୁ ହିଁ ଉଦ୍ଭବ ଏବଂ ସେହି ଉତ୍ସରୁ ତାହା ଜନ୍ମ ନେଇଛି। ଏହା କେବଳ ଭୂ-ଭାଗ ନୁହେଁ, ବରଂ ଏକ ତୀର୍ଥ, ସ୍ମୃତି, ତ୍ୟାଗ, ଶୌର୍ଯ୍ୟ ଏବଂ ମାତୃତ୍ୱ ସହିତ ବାନ୍ଧିହୋଇ ରହିଥିବା ଏକ ପବିତ୍ର ଭୂମି।

ମହର୍ଷି ଅରବିନ୍ଦ ମଧ୍ୟ ଯେପରି ବର୍ଣ୍ଣନା କରିଥିଲେ, ବଙ୍କିମଚନ୍ଦ୍ର ଆଧୁନିକ ଭାରତର ଜଣେ ମହାନ୍ ଋଷି ଥିଲେ, ଯିଏ ନିଜର ଶବ୍ଦ ସାଧନା ମାଧ୍ୟମରେ ରାଷ୍ଟ୍ରର ଆତ୍ମାକୁ ପୁନର୍ଜୀବିତ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ଦ୍ୱାରା ରଚିତ ‘ଆନନ୍ଦମଠ’ କେବଳ ଖଣ୍ଡିଏ ସାଧାରଣ ଉପନ୍ୟାସ ନଥିଲା ବରଂ ଗଦ୍ୟରେ ଲିଖିତ ଏକ ମହାନ ମନ୍ତ୍ର ଥିଲା। ଏହା ଏଭଳି ଏକ ରାଷ୍ଟ୍ରକୁ ଜାଗ୍ରତ କରିଥିଲା ଯାହା ମନରୁ ନିଜର ଦିବ୍ୟ ଶକ୍ତିର ବିସ୍ମରଣ ଘଟି ସାରିଥିଲା। ନିଜର ଏକ ପତ୍ରରେ, ବଙ୍କିମବାବୁ ଉଲ୍ଲେଖ କରିଥିଲେ: ‘‘ମୋର କୌଣସି ଆପତ୍ତି ନାହିଁ ଯଦି ମୋର ସମସ୍ତ ରଚନାକୁ ଗଙ୍ଗାଜଳରେ ବିସର୍ଜନ କରିଦିଆଯାଏ। କାରଣ ଏହି ଗୋଟିଏ ଶ୍ଳୋକ ହିଁ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ଏହା ଏକ ମହାନ ସଙ୍ଗୀତ ହେବ ଏବଂ ଲୋକମାନଙ୍କ ହୃଦୟକୁ ଅବଶ୍ୟ ଜିଣି ପାରିବ।’’ ଏହି ଶବ୍ଦାବଳୀ ଭବିଷ୍ୟତର ସୂଚନା ବହନ କରୁଥିଲା। ଔପନିବେଶିକ ଭାରତର ସବୁଠାରୁ ଅନ୍ଧକାରମୟ କାଳଖଣ୍ଡରେ ଲେଖା ଯାଇଥିବା ‘ବନ୍ଦେ ମାତରମ୍’ ଜାଗରଣର ପ୍ରଭାତୀ ସଙ୍ଗୀତରେ ପରିଣତ ହୋଇଥିଲା, ଏହା ଏପରି ଏକ ଭଜନ ଯାହା ‘ସାଂସ୍କୃତିକ ରାଷ୍ଟ୍ରବାଦ’କୁ ସଭ୍ୟତାଗତ ଗୌରବର ସହିତ ସଂଯୋଗ କରିଦେଇଥିଲା। ଏଥିରେ ଥିବା ପଂକ୍ତିମାନ କେବଳ ସେହି ବ୍ୟକ୍ତି ଲେଖି ପାରିବ ଯାହାର ପ୍ରତିଟି ଲୋମକୂପରେ ରାଷ୍ଟ୍ର ପ୍ରତି ଅଖଣ୍ଡ ଭକ୍ତିଭାବ ଭରପୂର ହୋଇ ରହିଥିବ।

୧୮୯୬ ମସିହାରେ, ରବୀନ୍ଦ୍ରନାଥ ଟାଗୋର ‘ବନ୍ଦେ ମାତରମ’କୁ ସ୍ୱର ଦେଇ ସଜାଇଥିଲେ ଏବଂ କଲକାତା କଂଗ୍ରେସ ଅଧିବେଶନରେ ଏହାକୁ ଗାନ କରିଥିଲେ, ଯାହା ଫଳରେ ଏହି ବାଣୀ ଅମରତ୍ୱ ପ୍ରାପ୍ତ ହୋଇଥିଲା। ଏହି ଗୀତ ଭାଷା ଏବଂ କ୍ଷେତ୍ରର ସୀମାକୁ ଅତିକ୍ରମ କରି ଆଗକୁ ବଢ଼ିବା ସହିତ ସମଗ୍ର ଦେଶରେ ଗୁଞ୍ଜରିତ ହୋଇଉଠିଥିଲା। ତାମିଲନାଡ଼ୁରେ ସୁବ୍ରମଣ୍ୟମ ଭାରତୀଜୀ ଏହାକୁ ତାମିଲରେ ଅନୁବାଦ କରିଥିଲେ ଏବଂ ପଞ୍ଜାବରେ କ୍ରାନ୍ତିକାରୀମାନେ ଏହି ଗୀତକୁ ଗାଇ ଗାଇ ବ୍ରିଟିଶ୍ ଶାସନକୁ ଖୋଲାଖୋଲି ଭାବରେ ଆହ୍ବାନ କରିଥିଲେ।

୧୯୦୫ ମସିହାରେ, ବଙ୍ଗ ଭଙ୍ଗ ଆନ୍ଦୋଳନ ସମୟରେ, ବଙ୍ଗଳାରେ ବିଦ୍ରୋହର ଅଗ୍ନି ଦାବାନଳ ପରି ଚାରିଆଡ଼େ ପ୍ରସାରିତ ହୋଇଥିଲା। ଇଂରେଜ ସରକାର ‘ବନ୍ଦେ ମାତରମ୍’ ସଙ୍ଗୀତର ସାର୍ବଜନୀନ ଗାନ ଉପରେ କଠୋର ପ୍ରତିବନ୍ଧ ଲଗାଇ ଦେଇଥିଲେ। ଏହା ବ୍ୟତୀତ, ୧୪ ଏପ୍ରିଲ ୧୯୦୬ ତାରିଖ ଦିନ ବରିସାଲରେ, ହଜାର ହଜାର ସଂଖ୍ୟକ ଲୋକ ସରକାରଙ୍କ ଏହି ଆଦେଶକୁ ପ୍ରତ୍ୟାଖ୍ୟାନ କରିଥିଲେ। ଯେତେବେଳେ ପୁଲିସ ସେଠାରେ ଆୟୋଜିତ ଏକ ଶାନ୍ତିପୂର୍ଣ୍ଣ ଜନସଭା ଉପରେ ଲାଠିପ୍ରହାର ଆରମ୍ଭ କରିଥିଲା, ସେଠାରେ ଉପସ୍ଥିତ ପୁରୁଷ ଏବଂ ମହିଳାମାନେ ସଡ଼କ ଉପରେ ପୁଲିସର ଲାଠି ପ୍ରହାରରେ ଲହୁଲୁହାଣ ହୋଇଥିଲେ ସତ କିନ୍ତୁ ସେମାନଙ୍କ ତୁଣ୍ଡରୁ ‘ବନ୍ଦେ ମାତରମ୍’ ସ୍ୱର କଦାପି ଲିଭି ନ ଥିଲା।

ସେହିଠାରୁ ‘ବନ୍ଦେ ମାତରମ୍’ର ମନ୍ତ୍ର, ଗଦର ପାର୍ଟିର କ୍ରାନ୍ତିକାରୀମାନଙ୍କ ମାଧ୍ୟମରେ କାଲିଫର୍ଣ୍ଣିଆ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଆଜାଦ ହିନ୍ଦ୍ ଫୌଜର ସୈନିକମାନଙ୍କ ତୁଣ୍ଡରେ ଗୁଞ୍ଜରି ଉଠିଥିଲା। ଯେତେବେଳେ ନେତାଜୀଙ୍କ ଫୌଜ ସିଙ୍ଗାପୁରରେ ମାର୍ଚ୍ଚ କରୁଥିଲେ ଏବଂ ୧୯୪୬ ମସିହାରେ ରୟାଲ ଇଣ୍ଡିଆନ ନେଭି ଭିତରେ ବିଦ୍ରୋହର ବହ୍ନି କୁହୁଳୁଥିଲା, ସେତେବେଳେ ଭାରତୀୟ ନାବିକମାନେ ବ୍ରିଟିଶ୍ ଯୁଦ୍ଧପୋତମାନଙ୍କରେ ତ୍ରିରଙ୍ଗା ଉଡ଼ାଇଥିଲେ। ଖୁଦିରାମ ବୋଷଙ୍କ ଠାରୁ ଆରମ୍ଭ କରି ଅସଫାକଉଲ୍ଲା ଖାନ୍‌ଙ୍କ ପର୍ଯ୍ୟନ୍ତ, ଚନ୍ଦ୍ରଶେଖର ଆଜାଦଙ୍କ ଠାରୁ ଆରମ୍ଭ କରି ତିରୁପୁର କୁମାରନଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ତୁଣ୍ଡରେ କେବଳ ସେହି ଗୋଟିଏ ନାରା ହିଁ ଶୁଣିବାକୁ ମିଳୁଥିଲା। ଏହା ସେତେବେଳକୁ କେବଳ ଗୋଟିଏ ଗୀତ ହୋଇ ରହି ନଥିଲା, ତାହା ଭାରତର ସାମୂହିକ ଆତ୍ମାର ସ୍ୱରରେ ପରିଣତ ହୋଇ ସାରିଥିଲା। ମହାତ୍ମା ଗାନ୍ଧୀ ସ୍ୱୟଂ ଏକଥା ସ୍ପଷ୍ଟ ସ୍ୱରରେ ସ୍ୱୀକାର କରିଥିଲେ – ‘ବନ୍ଦେ ମାତରମ୍’ ସଙ୍ଗୀତରେ ‘‘ସବୁଠାରୁ ଶୀତଳ ରକ୍ତକୁ ମଧ୍ୟ ଉଷ୍ମ କରିବାର ଯାଦୁକରୀ ଶକ୍ତି ଭରି ରହିଥିଲା’’। ଏହା ଉଦାରବାଦୀଙ୍କ ଠାରୁ ନେଇ କ୍ରାନ୍ତିକାରୀ ତଥା ବିଦ୍ୱାନମାନଙ୍କ ଠାରୁ ନାବିକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏକଜୁଟ କରିପାରିଥିଲା। ମହର୍ଷି ଅରବିନ୍ଦ ସେଥିପାଇଁ କହିଥିଲେ, ଏହା ‘‘ଭାରତର ପୁନର୍ଜନ୍ମର ମନ୍ତ୍ର ଅଟେ।’’

ଅକ୍ଟୋବର ୨୬ ତାରିଖ ଦିନ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ବନ୍ଦେ ମାତରମ୍’ ଗୀତର ଏହି ମହାନ ଇତିହାସ ସମ୍ପର୍କରେ ଦେଶବାସୀଙ୍କୁ ପୁଣି ଥରେ ସ୍ମରଣ କରାଇ ଦେଇଥିଲେ ଏବଂ ଏହି ରାଷ୍ଟ୍ର ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପୂର୍ଣ୍ଣ ହେବା ଉପଲକ୍ଷେ ୭ ନଭେମ୍ବର ଠାରୁ ଭାରତ ସରକାରଙ୍କ ତରଫରୁ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ସକାଶେ ନିଷ୍ପତ୍ତି ନିଆଯାଇଥିବା କଥା ସୂଚାଇଥିଲେ। ଏହିସବୁ ଆୟୋଜନ ମାଧ୍ୟମରେ ଦେଶବ୍ୟାପୀ ‘ବନ୍ଦେ ମାରତମ୍‌’ର ସମ୍ପୂର୍ଣ୍ଣ ଗାନ କରାଯିବ, ଯାହା ଫଳରେ ଦେଶର ଯୁବ ପିଢ଼ି ‘ସାଂସ୍କୃତିକ ରାଷ୍ଟ୍ରବାଦ’ର ଚିନ୍ତାଧାରାକୁ ଆତ୍ମିକ ଭାବରେ ଅନୁଭବ କରିପାରିବେ।

ଆଜି ଯେତେବେଳେ ଆମେ ଭାରତ ପର୍ବ ପାଳନ କରୁଛୁ ଏବଂ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛୁ, ସେତେବେଳେ ଏକଥା ମଧ୍ୟ ସ୍ମରଣ କରୁଛୁ ଯେ ସର୍ଦାର ସାହେବ କିପରି ‘ଏକ ଭାରତ’ର ନିର୍ମାଣ କରି ‘ବନ୍ଦେ ମାତରମ୍‌’ର ଭାବନାକୁ ହିଁ ଶାଶ୍ୱତ ରୂପ ପ୍ରଦାନ କରିଥିଲେ। ଏହି ସଙ୍ଗୀତ କେବଳ ଅତୀତର ସ୍ମରଣ ମାତ୍ର ନୁହେଁ, ବରଂ ଭବିଷ୍ୟତ ନିମନ୍ତେ ଏକ ବଜ୍ର ଆହ୍ୱାନ ମଧ୍ୟ। ‘ବନ୍ଦେ ମାତରମ୍‌’ ଆଜି ମଧ୍ୟ ବିକଶିତ ଭାରତ ୨୦୪୭ର ଆମର ସଂକଳ୍ପକୁ ପ୍ରେରଣା ଯୋଗାଉଛି। ଏହା ଭାରତୀୟ ସଭ୍ୟତାର ଆତ୍ମବିଶ୍ୱାସର ପ୍ରତୀକ ମଧ୍ୟ। ଆଜି, ଏହି ଭାବନାକୁ ଆତ୍ମନିର୍ଭର ଏବଂ ଶ୍ରେଷ୍ଠ ଭାରତରେ ପରିବର୍ତ୍ତନ କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ ଏବଂ ଦାୟିତ୍ୱ ।

‘ବନ୍ଦେ ମାତରମ୍’ ସ୍ୱାଧୀନତା ସଂଗ୍ରାମର ଗୀତ, ଅତୁଟ ସଂକଳ୍ପର ଭାବନା ଏବଂ ଭାରତ ଜାଗରଣର ପ୍ରଥମ ମନ୍ତ୍ର ମଧ୍ୟ। ରାଷ୍ଟ୍ରର ଆତ୍ମାରୁ ଜନ୍ମିଥିବା ଶବ୍ଦ କଦାପି ଶେଷ ହୋଇ ନ ଥାଏ। ତାହା ସଦୈବ ଜୀବନ୍ତ ରହିଥାଏ, ପିଢ଼ି ପିଢ଼ି ଗୁଞ୍ଜରିତ ହୋଇଥାଏ। ଏହି ଜୟଘୋଷ ଯୁଗ ଯୁଗ ଧରି ଏବଂ ପିଢ଼ି ପିଢ଼ି ଧରି ଅନନ୍ତକାଳ ପର୍ଯ୍ୟନ୍ତ ପ୍ରତିଧ୍ୱନିତ ହୋଇ ଚାଲିଥିବ। ଏବେ ସମୟ ଆସିଛି ଯେ ଆମେ ନିଜର ଇତିହାସ, ନିଜର ସଂସ୍କୃତି, ନିଜର ମାନ୍ୟତାଗୁଡ଼ିକୁ ଏବଂ ନିଜର ପରମ୍ପରାକୁ ଭାରତୀୟତା ଦୃଷ୍ଟିରେ ଦେଖିବା।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories