www.samajalive.in
Friday, December 5, 2025
27.1 C
Bhubaneswar

ସମ୍ପାଦକୀୟ: ଭାରତୀୟ ଉଚ୍ଚଶିକ୍ଷା; ସ୍ବାୟତ୍ତତା ସହିତ ଦୂରଦର୍ଶୀ ହେବା ବିଧେୟ

ସମ୍ପ୍ରତି ପ୍ରକାଶିତ କ୍ୟୁଏସ୍ ଏସିଆ ବିଶ୍ୱବିଦ୍ୟାଳୟ ୠାଙ୍କିଙ୍ଗ୍ -୨୦୨୬ ଭାରତୀୟ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଦ୍ୱୈତ ଚିତ୍ର ଉପସ୍ଥାପନ କରିଛି। ଗୋଟିଏ ପଟେ, ଭାରତର ଶୀର୍ଷ ଦଶଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ନଅଟି, ଯେଉଁଥିରେ ସାତୋଟି ଆଇଆଇଟି ଅନ୍ତର୍ଭୁକ୍ତ, ୠାଙ୍କିଙ୍ଗ୍‌ରେ ତଳକୁ ଖସିଛନ୍ତି। ଆଇଆଇଟି ଦିଲ୍ଲୀ ୧୫ ସ୍ଥାନ ଖସି ୫୯ତମ ଓ ଆଇଆଇଟି ବମ୍ବେ ୨୩ ସ୍ଥାନ ଖସି ୭୧ତମ ସ୍ଥାନକୁ ଆସିଛି। ଏହା ସତ୍ତ୍ୱେ, ସେମାନଙ୍କର ସାମଗ୍ରିକ ସ୍କୋର ବୃଦ୍ଧି ପାଇଛି, ଯାହା ସୂଚାଏ ଯେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜେ ଉନ୍ନତି କରୁଛନ୍ତି, କିନ୍ତୁ ଅନ୍ୟ ଏସୀୟ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି। ବିଶେଷ କରି ଚୀନ୍, ସିଙ୍ଗାପୁର, ଏବଂ ଦକ୍ଷିଣ କୋରିଆର ବିଶ୍ୱବିଦ୍ୟାଳୟଗୁଡ଼ିକ ନୂତନ ଆବିଷ୍କାର, ଚିନ୍ତାଧାରା ଏବଂ ପ୍ରଯୁକ୍ତି ବିକାଶରେ ଆଗରେ ରହିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟା ଏକ ଗଭୀର ବିରୋଧାଭାସକୁ ଉନ୍ମୋଚିତ କରେ। ସେ ୠାଙ୍କିଙ୍ଗ୍‌ରେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସଂଖ୍ୟା ବୃଦ୍ଧିକୁ (୨୦୧୬ରେ ୨୪ରୁ ୨୦୨୬ରେ ୨୯୪)କୁ ପ୍ରଶଂସା କରିଛନ୍ତି; କିନ୍ତୁ ଶୀର୍ଷସ୍ଥାନୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ପତନକୁ ଅଣଦେଖା କରିଛନ୍ତି। ସଂଖ୍ୟା ବୃଦ୍ଧି ନିଶ୍ଚୟ ସ୍ୱାଗତଯୋଗ୍ୟ; କିନ୍ତୁ ଗୁଣବତ୍ତାର ପତନ ଅଧିକ ଚିନ୍ତାଜନକ। କେବଳ ଅଧିକ ସଂଖ୍ୟକ ବିଶ୍ୱବିଦ୍ୟାଳୟ ୠାଙ୍କିଙ୍ଗ୍‌ରେ ସ୍ଥାନ ପାଇବା ନୁହେଁ, ବରଂ ‘ଶୀର୍ଷ ସ୍ଥାନରେ ରହିବା’ ପ୍ରକୃତ ଲକ୍ଷ୍ୟ ହେବା ଉଚିତ୍।

ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ପତନର କାରଣ ସୁସ୍ପଷ୍ଟ। ଆଇଆଇଟିଗୁଡ଼ିକ ଗବେଷଣା କାର୍ଯ୍ୟରେ ବୃଦ୍ଧି ଦେଖାଉଥିଲେ ମଧ୍ୟ, ଗବେଷଣାପତ୍ରରେ ଉଦ୍ଧୃତି ସଂଖ୍ୟା କମ୍ ରହୁଛି, ଯାହା ଆମ ଗବେଷଣାର ପ୍ରଭାବ ଓ ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଶିକ୍ଷକ-ଛାତ୍ର ଅନୁପାତ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ସିଙ୍ଗାପୁର, ଚୀନ୍ ଏବଂ ଦକ୍ଷିଣ କୋରିଆରେ ଶିକ୍ଷକ-ଛାତ୍ର ଅନୁପାତ କମ୍ ଥିବାରୁ ଛାତ୍ରମାନେ ଉତ୍ତମ ମାର୍ଗଦର୍ଶନ ଏବଂ ସହାୟତା ପାଆନ୍ତି, ଯାହା ଶିକ୍ଷାର ଗୁଣବତ୍ତା ବଢ଼ାଏ। ଏହା ସହିତ, ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା କମ୍ ରହିଛି, ଯାହା ଅନ୍ତର୍ଜାତୀୟ ଦୃଷ୍ଟିକୋଣର ଅଭାବକୁ ଦର୍ଶାଏ।

- Advertisement -

ଏହି ସବୁ ସମସ୍ୟା ବ୍ୟତୀତ, ଆହୁରି ଏକ ଗମ୍ଭୀର ବିଷୟ ହେଉଛି ଶିକ୍ଷାଗତ ସ୍ୱାଧୀନତା ଏବଂ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା। ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ପାଠପଢ଼ା ନୁହେଁ, ବରଂ ନୂତନ ଚିନ୍ତାଧାରା, ବିତର୍କ, ପ୍ରଶ୍ନ ଏବଂ ସମାଲୋଚନାର ମୂଳଦୁଆ ପଡ଼ୁଥିବା ସ୍ଥାନ; କିନ୍ତୁ ଯେତେବେଳେ ପ୍ରଫେସରମାନେ ପ୍ରଶାସନିକ ଚାପରେ ସ୍ବାଧୀନ ମତ ପ୍ରକାଶ କରିପାରନ୍ତି ନାହିଁ, ସେତେବେଳେ ଉତ୍କର୍ଷତା ଅସମ୍ଭବ ହୋଇପଡ଼େ। ଉତ୍କର୍ଷତା ଓ ବୌଦ୍ଧିକ ଅସୁରକ୍ଷା କେବେ ଏକାଠି ରହିବା ସମ୍ଭବ ନୁହେଁ ।

ଭାରତ ଏବେ ଏକ ବିପଜ୍ଜନକ ଦ୍ୱୈତତାର ସମ୍ମୁଖୀନ। ଗୋଟିଏ ପଟେ ଉଚ୍ଚଶିକ୍ଷାରେ ବିଶ୍ୱ ନେତୃତ୍ୱର ଆକାଂକ୍ଷା, ଅନ୍ୟ ପଟେ ଗବେଷଣା ଉତ୍କର୍ଷତା, ମୁକ୍ତ ପରିବେଶ ଓ ଶିକ୍ଷାଗତ ସ୍ୱାଧୀନତା ବୃଦ୍ଧିରେ ବିଫଳତା। କେବଳ ଅଧିକ ଅର୍ଥ ନୁହେଁ, ବରଂ ଅଧିକ ମୁକ୍ତ ଶିକ୍ଷାଗତ ସ୍ଥାନ, ଛୋଟ ଶ୍ରେଣୀ ଆକାର ଏବଂ ବିଶ୍ୱବ୍ୟାପୀ ଦୃଷ୍ଟିକୋଣ ଆବଶ୍ୟକ। ବିଶ୍ୱମାନର ବିଶ୍ୱବିଦ୍ୟାଳୟ ହେବାର ପ୍ରଥମ ପଦକ୍ଷେପ ହେଉଛି ନିଜ କ୍ୟାମ୍ପସରେ ସୃଜନଶୀଳ ପରିବେଶ, ସ୍ୱାଧୀନତା ଓ ଦୂରଦର୍ଶିତା ପ୍ରତିଷ୍ଠା କରିବା। କେବଳ ସ୍ୱପ୍ନ ଦେଖିଲେ ହେବ ନାହିଁ- ସେହି ସ୍ୱପ୍ନ ପୂରଣ ପାଇଁ ସାହସିକ ସଂସ୍କାର ଆଣିବାକୁ ହେବ। ନଚେତ୍ ଭାରତୀୟ ଉଚ୍ଚଶିକ୍ଷା ସଂଖ୍ୟାର ଉତ୍ସବ ଓ ଗୁଣବତ୍ତାର ସଙ୍କଟ ମଧ୍ୟରେ ହଜିଯିବ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories