ସକଳ ପ୍ରକାର ମାନବୀୟ ଧର୍ମ ଭିତରୁ ସେବାଧର୍ମ ସର୍ବଶ୍ରେଷ୍ଠ, ସର୍ବୋପରି। ଏହି ଧର୍ମକୁ ସେହି ବ୍ୟକ୍ତି ହିଁ ଧାରଣ କରିଥାନ୍ତି ଯିଏ ଆପଣାର ନିହିତ ସ୍ବାର୍ଥ ଓ ଅହଙ୍କାରରୁ ଉଚ୍ଚରେ ଥାନ୍ତି, ଅର୍ଥାତ୍ ଏହାକୁ ତ୍ୟାଗ କରିଥାନ୍ତି। କାମନାରହିତ, ସ୍ବାର୍ଥ ରହିତ ଭାବରେ ଏହା ଯଦି ସମ୍ପାଦନ କରାଯାଇଥାଏ ତେବେ ଏଥିରେ ସେବାର ସୁଫଳ ନିହିତ ଥାଏ। ସେବା କରୁଥିବା ବ୍ୟକ୍ତିଙ୍କୁ ସାଧାରଣତଃ ସେବକ କୁହାଯାଇଥାଏ। ସେବା, ସହାୟତାର ଅର୍ଥ ହେଲା ନିଷ୍କାମ ଭାବରେ ଆପଣାର ସହଯୋଗ ଦେବା। ସ୍ବାର୍ଥରହିତ ଭାବେ ଯଦି କୌଣସି ବ୍ୟକ୍ତି ନିରନ୍ତର କର୍ମ ସମ୍ପାଦନା କରୁଥାନ୍ତି ତେବେ ଏହା ତାଙ୍କର ପୁଣ୍ୟ ବୃଦ୍ଧି କରିଥାଏ। ମହର୍ଷି ବେଦବ୍ୟାସ ତାଙ୍କର ଅଷ୍ଟାଦଶ ପୁରାଣରେ ଏହାକୁ ସାରକଥା ଭାବରେ ଲେଖିଛନ୍ତି- ‘ପରୋପକାରାୟ ପୁଣ୍ୟାୟ, ପାପାୟ ପରପୀଡ଼ନମ୍’। ରାମାୟଣରେ ମଧ୍ୟ ଗୋସ୍ବାମୀ ତୁଳସୀ ଦାସ ଲେଖିଛନ୍ତି- ‘ପରହିତ ସରିସ ଧର୍ମନାହିଁ ଭାଇ, ପରପୀଡ଼ା ସହ ନାହିଁ ଅଧମାଇ।’ ଏଥିରୁ ପରମାର୍ଥର ମହତ୍ତ୍ବ ସୂଚିତ ହୋଇଥାଏ। ‘ଆତ୍ମବତ୍ ସର୍ବଭୂତେଷୁ’ର ଭାବନା ଯେଉଁ ମନୁଷ୍ୟର ଅନ୍ତରରେ ସଞ୍ଚାରିତ ହୋଇଥାଏ, ସେ କୌଣସି ପୀଡ଼ିତ ବ୍ୟକ୍ତିଙ୍କୁ ଦେଖି ସ୍ଥିର ହୋଇ ରହିପାରନ୍ତି ନାହିଁ, ତାଙ୍କ ଅନ୍ତରରେ କରୁଣା ପ୍ରବୃତ୍ତି ଜାଗରିତ ହୋଇଉଠେ ଓ ନିଷ୍କାମ ଭାବ ନେଇ ଆର୍ତ୍ତ, ପୀଡ଼ିତ ବ୍ୟକ୍ତିକୁ ପ୍ରଭୁଙ୍କୁ ଅଂଶ ଭାବି ସେବା କରିବାଲାଗି ତତ୍ପର ହୋଇଯାଆନ୍ତି।
ତଥାକଥିତ ଭାବରେ ନିଜକୁ ବିଜ୍ଞାପିତ କରିବା ପାଇଁ ଯେଉଁମାନେ ସେବା କରିଥାନ୍ତି ସେଥିରେ କେବଳ ‘ସ୍ବାମୀତ୍ବ’ ଭାବ ନିହିତ ଥାଏ। ଏଥିରୁ କୌଣସି ବି ପୁଣ୍ୟ ମିଳିନଥାଏ। ଏ ସମ୍ପର୍କରେ ନିମ୍ନୋକ୍ତ ପ୍ରସଙ୍ଗ- ‘କଲ୍ୟାଣ’ ହିନ୍ଦୀ ପତ୍ରିକାର ସମ୍ପାଦକ ହନୁମାନ ପ୍ରସାଦ ପୋଦ୍ଦାର ଭୀଷଣ ଥଣ୍ଡା ଦିନରେ, ନିଶାର୍ଦ୍ଧରେ ‘ଗୀତାବାଟିକା’ (ଗୋରଖପୁର, ଉତ୍ତର ପ୍ରଦେଶ) ଯାଇ ଚୁପ୍ଚାପ୍ ଥଣ୍ଡାରେ ଥରିଥରି ଶୋଇଥିବା ବ୍ୟକ୍ତିଙ୍କୁ କମ୍ବଳ, ଚାଦର ଖଣ୍ଡେ ଲେଖା ଘୋଡ଼ାଇ ଦେଉଥାନ୍ତି। ଜଣେ ଫଟୋ ସାମ୍ବାଦିକ କମ୍ବଳ ଘୋଡ଼ାଉଥିଲାବେଳେ ଫଟୋ ଉଠାଇ ନେଇଥିଲେ। ଏହା ନଜରରେ ପଡ଼ିବାରୁ ଶ୍ରୀ ପୋଦ୍ଦାର ନମ୍ରଭାବରେ କହିଥିଲେ- ‘ଏହି ଫଟୋ ଖବରକାଗଜରେ କେବେ ବି ଛପାଇବେନି କି ଏହା ଅନ୍ୟ କୌଣସି ବ୍ୟକ୍ତିଙ୍କ ଆଗରେ ପ୍ରକାଶ କରିବେନି। ଯଦି ଏ ସମ୍ପର୍କରେ କାହାକୁ କହିଦିଅନ୍ତି ପୁଣ୍ୟ ସ୍ଥାନରେ ମୁଁ ପାପରେ ଭାଗୀ ହେବି। ପ୍ରଚାର ଉଦ୍ଦେଶ୍ୟରେ କରାଯାଉଥିବା ସେବା ପୁଣ୍ୟ ନୁହେଁ, ପାପର ମାର୍ଗକୁ ପ୍ରଶସ୍ତ କରିଥାଏ।’ଏହା ଶୁଣିବା ପରେ ଫଟୋ ଉଠାଉଥିବା ସାମ୍ବାଦିକ ଚକିତ ହୋଇଯାଇଥିଲେ। ବାସ୍ତବରେ ନିଷ୍କାମ ସେବା ତାହା ଯାହା ଯଶ-ଅପଯଶ, ମାନ- ଅପମାନ, ପ୍ରାପ୍ତି-ଅପ୍ରାପ୍ତି ଠାରୁ ବହୁ ଊର୍ଦ୍ଧ୍ବରେ ଥାଏ। ଯଦି ଏଥିରେ ଅହଂକାରର ସାମାନ୍ୟ ଗନ୍ଧଥାଏ, ଯଶ ପ୍ରାପ୍ତିର କାମନା ଥାଏ, ତା’ହେଲେ ଏହା କେବେ ବି ସେବା ପଦବାଚ୍ୟ ନୁହେଁ।



