ଆମେରିକାର ପୂର୍ବତନ ନୌସେନା ଅଧିକାରୀଙ୍କୁ ଆଜୀବନ ଜେଲ୍‌

0

ଓଲାଥେ : କାନ୍‌ସାସ୍‌ଠାରେ ଭାରତୀୟ ଇଞ୍ଜିନିୟର ଶ୍ରୀନିବାସ କୁଚିଭୋତଲାଙ୍କୁ ହତ୍ୟା ମାମଲାରେ ଆମେରିକାର ପୂର୍ବତନ ନୌସେନା ଅଧିକାରୀ ଆଦମ୍‌ ପୁରିଣ୍ଟୋନ୍‌ଙ୍କୁ ଓଲାଥେ ଜିଲା କୋର୍ଟ ଶନିବାର ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ କୁଚିଭୋତଲାଙ୍କ ବନ୍ଧୁ ଆଲୋକ ମଦାସାନି ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ତାଙ୍କୁ ଜିଲା ଜଜ୍‌ ଚାର୍ଲସ ଡ୍ରୋଏଗ୍‌ ୧୪ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଦେଇଛନ୍ତି। ପ୍ରଥମ ଡିଗ୍ରୀ ହତ୍ୟା ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ୫୨ ବର୍ଷ ବୟସ୍କ ପୁରିଣ୍ଟୋନ୍‌ ମାର୍ଚ୍ଚ ମାସରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପୁରିଣ୍ଟୋନ୍‌ ଆଗାମୀ ୭୭.୫ ବର୍ଷ ପର୍ଯ୍ୟନ୍ତ ପାରୋଲରେ ମୁକୁଳିବାକୁ ଯୋଗ୍ୟ ନୁହନ୍ତି ବୋଲି ବିଚାରପତି କହିଛନ୍ତି।
ଆମେରିକାରେ ଉଚ୍ଚଶିକ୍ଷା ଲାଭ କରିବା ପରେ ଶ୍ରୀନିବାସ ଏବଂ ଆଲୋକ ଜର୍ମାନୀ ଜିପିଏସ୍‌ ନିର୍ମାଣକାରୀ କମ୍ପାନୀରେ କାର୍ଯ୍ୟ କରୁଥିଲେ। ୨୦୧୭ ଫେବୃଆରୀ ୨୨ରେ ଅଫିସ୍‌ରୁ ଫେରିବା ପରେ ଦୁଇ ବନ୍ଧୁ ଓଲାଥେସ୍ଥିତ ଅଷ୍ଟିନ୍‌ସ ବାର୍‌ ଆଣ୍ଡ ଗ୍ରିଲ୍‌ଠାରେ ଏକତ୍ର ସନ୍ଧ୍ୟା ସମୟ ବିତାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ପୁରିଣ୍ଟୋନ୍‌ ପ୍ରଥମେ ଏହି ବନ୍ଧୁଦ୍ୱୟଙ୍କ ନିକଟକୁ ଆସି ଜାତିଆଣ ଉଦ୍ଦେଶ୍ୟ ରଖି ଗାଳିଗୁଲଜ କରିଥିଲେ। ଦୁଇ ବନ୍ଧୁ ତାଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। ପୁରିଣ୍ଟୋନ୍‌ ସେଠାରୁ ଚାଲିଯାଇଥିଲେ ମଧ୍ୟ କିଛି କ୍ଷଣ ପରେ ଫେରିଆସି ମୋ ଦେଶରୁ ବାହାରିଯାଅ ବୋଲି କହି ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଶ୍ରୀନିବାସ ଏବଂ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଗୁଳିମାଡ଼ କରିବା ପରେ ପୁରିଣ୍ଟୋନ୍‌ ଘଟଣାସ୍ଥଳରୁ ଚାଲିଯାଉଥିବା ବେଳେ ଆଲୋକ ତାଙ୍କ ପିଛା କରିଥିଲେ। ମାତ୍ର ପୁରିଣ୍ଟୋନ୍‌ ତାଙ୍କୁ ମଧ୍ୟ ଗୁଳିମାରି ଆହତ କରିଥିଲେ। ପରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଶ୍ରୀନିବାସଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଗୁଳିକାଣ୍ଡ ଘଟାଇବା ପରେ ପୁରିଣ୍ଟୋନ୍‌ ଏକ ଗାଡି ନେଇ ପ୍ରାୟ ୧୧୦ କିଲୋମିଟର ଦୂର ମରିସସ୍‌ର କ୍ଲିଣ୍ଟୋନ୍‌କୁ ଚାଲିଯାଇଥିଲେ। ସେଠାକାର ଏକ ରେସ୍ତୋରାଁର ଜଣେ କର୍ମଚାରୀଙ୍କ ସମ୍ମୁଖରେ ନିଜ ଅପରାଧ ବିଷୟରେ ପ୍ରକାଶ କରିଥିଲେ। ପୁରିଣ୍ଟୋନ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ହେବା ପରେ ଶ୍ରୀନିବାସଙ୍କ ବିଧବା ପତ୍ନୀ ସୁନୟନା ଦୁମଲା ଜିଲା ଜଜ୍‌ଙ୍କ ନିଷ୍ପତ୍ତିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

Leave A Reply