ଭାରତକୁ ଆମେରିକାର ଚେତାବନୀ : ନଭେମ୍ବର ସୁଦ୍ଧା ଇରାନରୁ ତେଲ ଆମଦାନୀ ବନ୍ଦ କର
ୱାଶିଂଟନ : ଆମେରିକା ଭାରତ ସମେତ ନିଜର କେତେକ ସହଯୋଗୀ ଦେଶଙ୍କୁ ଇରାନରୁ ତେଲ ଆମଦାନୀ ବନ୍ଦ କରିବାକୁ ଚେତାବନୀ ଦେଇଛି। ନଭେମ୍ବର ୪ ସୁଦ୍ଧା ଇରାନରୁ ତେଲ ଆମଦାନୀ ବନ୍ଦ ନକଲେ ଆମେରିକା କଟକଣା ଜାରି କରିବାକୁ ବାଧ୍ୟ ହେବ ବୋଲି ଟ୍ରମ୍ପ ପ୍ରଶାସନ ଭାରତ ସରକାରଙ୍କୁ ଜଣାଇ ଦେଇଛି। ଆମେରିକା ବିଦେଶ ବିଭାଗ ଅନୁସାରେ ଇରାନରୁ ତେଲ ଆମଦାନୀ ପାଇଁ କୌଣସି ବି ଦେଶକୁ ଅନୁମତି ଦିଆଯିବ ନାହିଁ। ଭାରତ ଏବଂ ଚୀନକୁ ଏନେଇ ଅବଗତ କରାଇ ଦିଆଯାଇଛି। ଏହା ପରେ ବି ଭାରତ ଏବଂ ଚୀନ ଭଳି ଦେଶ ଇରାନରୁ ତେଲ ଆମଦାନୀ ବନ୍ଦ ନକଲେ ଅନ୍ୟ ଦେଶ ଭଳି ତାଙ୍କ ଉପରେ କଟକଣା ଜାରି କରାଯିବ। ଇରାକ ଏବଂ ସାଉଦି ଆରବ ପରେ ଇରାନ ସବୁଠୁ ଅଧିକ ତେଲ ଭାରତକୁ ରପ୍ତାନୀ କରିଥାଏ। ଅପ୍ରେଲ ୨୦୧୭ରୁ ଜାନୁଆରୀ ୨୦୧୮ ମଧ୍ୟରେ ଇରାନ ଭାରତକୁ ୧ କୋଟି ୮୪ ଲକ୍ଷ ଟନ୍ ଅଶୋଧିତ ତୈଳ ରପ୍ତାନୀ କରିଛି। ଭାରତ ଅପେକ୍ଷାର ଚୀନ ଇରାନଠାରୁ ଅଧିକ ତେଲ ଆମଦାନୀ କରୁଛି। ଆମେରିକା ସହଯୋଗୀ ଦେଶଙ୍କ ଉପରେ ଚାପ ପକାଇ ଇରାନରୁ ସବୁଠୁ ବଡ଼ ଆୟ ଉତ୍ସକୁ ନଷ୍ଟ କରିବାକୁ ପ୍ରୟାସ ଆରମ୍ଭ କରିଛି। ଉଲ୍ଲେଖ ଯେ ଗତ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା-ଇରାନ ୨୦୧୫ ପରମାଣୁ ବୁଝାମଣାକୁ ବାତିଲ କରିଦେଇଥିଲେ। ଆମେରିକା ଅଭିଯୋଗ କରିଥିଲା ଯେ ଇରାନ କୌଣସି ତଥ୍ୟ ପ୍ରଦାନ ନକରି ପରମାଣୁ ଅସ୍ତ୍ର ତିଆରି କରୁଛି। ବୁଝାମଣା ବାତିଲ କରିବା ପରେ ଆମେରିକା ଇରାନ ଉପରେ କଟକଣା ଜାରି କରିଥିଲା। ଏହାସହ ୨୦୧୫ ବୁଝାମଣାରେ ସମ୍ପୃକ୍ତ ଉଦ୍ୟୋଗ ଉପରେ ବି ଆମେରିକା କଟକଣା ଲଗାଇଛି। ଏହା ମଧ୍ୟରେ ତୈଳ, ବିମାନ, ମୂଲ୍ୟବାନ ଧାତୁ ଉପରେ ଆମେରିକା କଟକଣା ଲଗାଇଛି। ଏହାସହ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ୩ ମାସରୁ ୬ ମାସ ମଧ୍ୟରେ ଇରାନ ସହ ସମସ୍ତ କାରବାର ବନ୍ଦ କରିବାକୁ ଆମେରିକା ନିର୍ଦେଶ ଦେଇଛି। ଆମେରିକା ବିଦେଶ ମନ୍ତ୍ରାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଇରାନରୁ ତେଲ ଆମଦାନୀ ବନ୍ଦ କରିବାକୁ ଆମେ ଭାରତ ଏବଂ ଚୀନକୁ ନିବେଦନ କରିଛୁ। ଜାତୀୟ ସୁରକ୍ଷା ଦୃଷ୍ଟରୁ ଆମେରିକା ଏହି ପଦକ୍ଷେପ ନେଇଥିବା ଦର୍ଶାଇଛି।