କଲକତା ହାଇକୋର୍ଟଙ୍କ ବଡ ନିଷ୍ପତ୍ତି: ୨୦୧୦ରୁ ଜାରି ୫ ଲକ୍ଷ ଓବିସି ପ୍ରମାଣପତ୍ର ନାକଚ

କଲକାତା:  ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ୨୦୧୦ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ସମସ୍ତ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପ୍ରମାଣପତ୍ରକୁ ନାକଚ କରି ଦେଇଛନ୍ତି କଲକାତା ଉଚ୍ଚ ନ୍ୟାୟାଳୟ। ୨୦୧୦ରୁ ଓବିସି ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ନିୟମ ଭଙ୍ଗ କରାଯାଇଥିବା ଅଭିଯୋଗ ଆଣି ଏକ ଜନସ୍ବାର୍ଥ ମାମଲା କଲକାତା ଉଚ୍ଚ ନ୍ୟାୟାଳୟରେ ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ବିଚାରପତି ତପବ୍ରତ ଚକ୍ରବର୍ତ୍ତୀ ଓ ରାଜାଶେଖର ମନ୍‌ଥା ୨୦୧୦ରୁ ବର୍ତ୍ତମାନ ଯାଏ ରାଜ୍ୟ ସରକାରଙ୍କ ତରଫରୁ ଜାରି ସମସ୍ତ ଓବିସି ପ୍ରମାଣପତ୍ରକୁ ଅବୈଧ ବୋଲି ଦର୍ଶାଇବା ସହ ସେଗୁଡ଼ିକୁ ନାକଚ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ପ୍ରାୟ ୫ଲକ୍ଷ ଓବିସି ପ୍ରମାଣପତ୍ର ନାକଚ ହୋଇଯାଇଛି। ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ଅନ୍ୟାନ୍ୟ ପଛୁଆବର୍ଗ ଆଇନ ୧୯୯୩ ଅନୁଯାୟୀ ପଶ୍ଚିମବଙ୍ଗ ଆୟୋଗର ସୁପାରିସ ଅନୁଯାୟୀ ନୂଆ ତାଲିକା ପ୍ରସ୍ତୁତ କରିବାକୁ ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନାଥାଉ କି ଅନ୍ୟାନ୍ୟ ପଛୁଆବର୍ଗ ଆଇନରେ ଥିବା ନିୟମକୁ ଉଲ୍ଲଙ୍ଘନ କରାଯାଇ ୨୦୧୦ରୁ ଓବିସି ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ନେଇ ୨୦୧୧ରେ ଏକ ଜନସ୍ବାର୍ଥ ମାମଲା ଉଚ୍ଚ ନ୍ୟାୟାଳୟରେ ରୁଜୁ ହୋଇଥିଲା। ପ୍ରକୃତ ହିତାଧିକାରୀଙ୍କୁ ଓବିସି ପ୍ରମାଣପତ୍ର ମିଳୁନଥିବା ଜନସ୍ବାର୍ଥ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କ ତରଫରୁ ଦର୍ଶାଯାଇଥିଲା। ମାମଲାର ବିଚାର କରି କଲକାତା ଉଚ୍ଚ ନ୍ୟାୟାଳୟ ୨୦୧୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ସମସ୍ତ ଓବିସି ପ୍ରମାଣପତ୍ରକୁ ନାକଚ କରି ଦେଇଛନ୍ତି। ତେବେ ୨୦୧୦ ପୂର୍ବରୁ ଯେଉଁମାନେ ଓବିସି ପ୍ରମାଣପତ୍ର ହାସଲ କରିଛନ୍ତି ସେମାନଙ୍କ ଉପରେ ଏହି ରାୟର କୌଣସି କୁପ୍ରଭାବ ପଡ଼ିବ ନାହିଁ ବୋଲି ଆଇନଜୀବୀ ସୁଦୀପ୍ତ ଦାସଗୁପ୍ତା କହିଛନ୍ତି। ଅନ୍ୟପକ୍ଷରେ ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟରେ ଓବିସିଙ୍କ ନିମନ୍ତେ ଥିବା ସଂରକ୍ଷଣ ପୂର୍ବପରି ଜାରି ରହିବ ବୋଲି ସେ କହିଛନ୍ତି। ଏଥିସହ ମମତା ବିଜେପିକୁ ସମାଲୋଚନା କରିଛନ୍ତି। ଓବିସି ତାଲିକା ପ୍ରସ୍ତୁତ ପୂର୍ବରୁ ସର୍ଭେ କରାଯାଇଥିଲା। ସେହି ସର୍ଭେ ଆଧାରରେ ଓବିସିରେ କାହାକୁ ସାମିଲ କରାଯିବ ସେ ନେଇ ନିଷ୍ପତ୍ତି ହୋଇଥିଲା ବୋଲି ମମତା କହିଛନ୍ତି। ବିଜେପି ଶାସିତ ରାଜ୍ୟରେ ଓବିସିଙ୍କ ନିମନ୍ତେ ସଂରକ୍ଷଣକୁ ନେଇ ଥିବା ନିୟମ ସମ୍ପର୍କରେ କେହି ମୁହଁ ଖୋଲୁନଥିବା ବେଳେ ପଶ୍ଚିମବଙ୍ଗରେ ଏ ନେଇ ହଟଚମଟ ସୃଷ୍ଟି କରିବାକୁ ଉଦ୍ୟମ ଚାଲିଥିବା ମମତା କହିଛନ୍ତି।

Comments are closed.