ଅଜୟଙ୍କ ଭୟ
ମୁମ୍ବଇ : ଅପ୍ରେଲ୍ ୨ରେ ଅଜୟ ଦେବଗନ୍ଙ୍କ ୫୦ତମ ଜନ୍ମଦିନକୁ ତାଙ୍କ ପରିବାରଲୋକ ଖାସ୍ କରି ପତ୍ନୀ କାଜଲ୍ ଖୁବ୍ ଜାକଜମକରେ ପାଳନ କରିଥିଲେ। ଏଇଦିନ ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର୍ ଦେ’ର ଟ୍ରେଲର ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରଟି ମେ ଦ୍ବିତୀୟ ସପ୍ତାହରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ ହେବାର ଯୋଜନା ରହିଛି। ଏଥିରେ ତାଙ୍କ ସହ କଳାକାର ଭାବେ ତବୁ ଓ ରାକୁଲପ୍ରୀତି ଦେଖାଦେବେ। କାହାଣୀ କିଛି ଏଇପରି। ଅଜୟ ଏଥିରେ ଏକ ୫୦ ବର୍ଷ ବୟସ୍କ ବ୍ୟକ୍ତି ଭୂମିକାରେ ଅଭିନୟ କରୁଥିବାବେଳେ ୨୬ ବର୍ଷୀୟା ଯୁବତୀ ଚରିତ୍ରରେ ଥିବା ରାକୁଲ୍ଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ିଉଠିଛି। କିଛି ବର୍ଷ ତଳେ ତାଙ୍କର ବିବାହ ବିଚ୍ଛେଦ ମଧ୍ୟ ହୋଇଛି। ତାଙ୍କ ପୂର୍ବ ପତ୍ନୀ ଭୂମିକାରେ ତବୁ ଦର୍ଶକଙ୍କ ସମ୍ମୁଖକୁ ଆସିବେ। ଗଣମାଧ୍ୟମ ଏଇ ଟ୍ରେଲର୍ ମୁକ୍ତିଲାଭ ଅବସରରେ ଅଜୟଙ୍କୁ ପଚାରିଥିଲା, ଦୁଇଟି ନୌକାରେ ପାଦ ଦେବାର ଅନୁଭୂତି କିପରି? ଅଜୟ କହିଥିଲେ, ଅଭିନୟରେ ଏସବୁ ପ୍ରକୃତରେ ମଜା ଲାଗିଥାଏ। ଜଣେ ସାମ୍ବାଦିକ ପୁଣି ପଚାରିଥିଲେ, ବାସ୍ତବ ଜୀବନରେ ଏଭଳି ପରିସ୍ଥିତିକୁ ସେ କିପରି ନିୟନ୍ତ୍ରଣ କରିଥାନ୍ତେ? ହସିହସି ସେ କହିଥିଲେ, ଦେଖନ୍ତୁ ମୋ ପତ୍ନୀ କାଜଲ୍ଙ୍କୁ ମୁଁ ବହୁତ ଭଲପାଏ। ଏଣୁ ଏସବୁ ବିଷୟରେ ଭାବିବାକୁ ମୋତେ ଖୁବ୍ ଭୟ ଲାଗେ। ତେବେ ଅଜୟ ଯେତେ ଲୁଚାଇଲେ ମଧ୍ୟ କଙ୍ଗନା ରଣାୱତ୍ଙ୍କ ସହ ତାଙ୍କ ନିବିଡ଼ତା ସମସ୍ତେ ଜାଣନ୍ତି। ୨୦୧୧ରେ ମୁକ୍ତିଲାଭ କରିଥିବା ‘ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବଇ’ରେ ଦୁହେଁ ଏକତ୍ର କାମ କରୁଥିବାବେଳେ ସମ୍ପର୍କ ଘନିଷ୍ଠ ହୋଇଥିଲା। ଅଜୟଙ୍କ ପତ୍ନୀ କାଜଲ୍ ଏ ସମ୍ପର୍କରେ ଜାଣିବା ପରେ ଘର ଛାଡ଼ି ପଳାଇଥିଲେ। ଅଜୟ କିନ୍ତୁ ନିଜ ଭୁଲ୍ ମାନି ପତ୍ନୀଙ୍କୁ ବୁଝାଇସୁଝାଇ ଘରକୁ ଆଣିବାରେ ସଫଳ ହୋଇଥିଲେ। ଏଇ ଘଟଣା ପରେ ଅଜୟଙ୍କ ନାମ ଅନ୍ୟ କୌଣସି ଅଭିନେତ୍ରୀଙ୍କ ସହ ଯୋଡ଼ା ହୋଇନାହିଁ। କାଜଲ ଓ ଦୁଇ ପିଲା ନାଇଶା ଓ ୟୁଗ୍ଙ୍କୁ ନେଇ ତାଙ୍କ ହସଖୁସିର ସଂସାର ଆଗେଇବାରେ ଲାଗିଛି।
Comments are closed.