ଏମ୍ସରୁ ଧରାପଡ଼ିଲେ ନକଲି ଡାକ୍ତର
ନୂଆଦିଲ୍ଲୀ: ଏମ୍ସରୁ ପୁଣି ଜଣେ ନକଲି ଡାକ୍ତର ଧରାପଡ଼ିଛନ୍ତି। ତାଙ୍କଠାରୁ ଜବତ ପରିଚୟ ପତ୍ରରୁ ସେ ବିହାରର ପୂର୍ବ ଚମ୍ପାରନ ଜିଲାର ମୂଳ ବାସିନ୍ଦା ଆଦ୍ନାନ୍ ଖୁରାମ୍ ବୋଲି ଜଣାପଡ଼ିଛି। ସେ ଏବେ ଦିଲ୍ଲୀ ଜାମିଆ ନଗରର ବାଟ୍ଲା ହାଉସ୍ରେ ରହୁଛନ୍ତି। ଏମ୍ସ ଦ୍ୱାରା ଡାକ୍ତରଙ୍କୁ ପ୍ରଦତ୍ତ ଏକ ବୁକ୍ଲେଟ୍ ମଧ୍ୟ ଖୁରାମ୍ଙ୍କଠାରୁ ଉଦ୍ଧାର କରାଯାଇଛି। ଏଥିରେ ଖୁରାମ୍ଙ୍କ ନାମ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି। ଏହି କାର୍ଡ ଓ ବୁକ୍ଲେଟ୍କୁ ବ୍ୟବହାର କରି ଖୁରାମ୍ ବିଭିନ୍ନ ରାଜନୈତିକ ଓ ଆୟୁର୍ବିଜ୍ଞାନ ସମ୍ମିଳନୀରେ ଏମ୍ସ ପକ୍ଷରୁ ପ୍ରତିନିଧି ଭାବେ ଅଂଶଗ୍ରହଣ କରୁଥିଲେ ବୋଲି ଏମ୍ସ ରେସିଡେଣ୍ଟ ଡକ୍ଟର ସଂଘ ଉପସଭାପତି ଡ. ଅଭିଷେକ ସିଂହ କହିଛନ୍ତି। ଗତ ଫେବୃଆରୀ ମାସରେ ମଧ୍ୟ ଏମ୍ସର ଅସ୍ଥିଶଲ୍ୟ ଟ୍ରମା ବିଭାଗରେ ଜଣେ ନକଲି ଡାକ୍ତର ଧରାପଡ଼ିଥିଲେ।