ଏଣିକି ରାତିରେ ଖୋଲା ରହିବ ଆହାର କେନ୍ଦ୍ର

0

ଭୁବନେଶ୍ବର : ଏଣିକି ରାତିରେ ବି ଆହାର କେନ୍ଦ୍ର ଖୋଲା ରହିବ। ଡ଼ାକ୍ତରଖାନାରେ ରହୁଥିବା ରୋଗୀ ସମ୍ପର୍କୀୟ ଏବଂ ଅନ୍ୟମାନେ ୫ ଟଙ୍କାରେ ଭାତ ଡ଼ାଲମା ପାଇବେ। ଆହାର କେନ୍ଦ୍ରରେ ରାତ୍ରିକାଳୀନ ଭୋଜନ ବ୍ୟବସ୍ଥାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିବା ସହିତ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ଥିବା କେନ୍ଦ୍ରକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜେ କିଛି ରୋଗୀ ସମ୍ପର୍କୀୟଙ୍କୁ ଥାଳିରେ ଖାଦ୍ୟ ପରଶି ଥିଲେ। ଆଜିଠାରୁ ରାଜ୍ୟର ମୋଟ ୨୮ ଜିଲାରେ ୫୬ ଡ଼ାକ୍ତରଖାନା ପରିସରରେ ଥିବା ପ୍ରତ୍ୟେକ ଆହାର କେନ୍ଦ୍ରରେ ଦୈନିକ ୧୫,୦୦୦ ଖାଦ୍ୟ ଥାଳି ବ୍ୟବସ୍ଥା କରାଯାଇଛି।
ସେହିପରି ଭୁବନେଶ୍ବରରେ କ୍ୟାପିଟାଲ ହସ୍ପିଟାଲ ଆହାର ‌େ‌କନ୍ଦ୍ର ସହିତ କଳିଙ୍ଗ ହସ୍ପିଟାଲ ଏବଂ ସମ୍‌ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରରେ ଏହି ସୁବିଧା ମିଳିବ। ଡ଼ାକ୍ତରଖାନା ଆହାର କେନ୍ଦ୍ରରେ ରାତି ୭ଟାରୁ ୯ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ନୂଆବର୍ଷ ପୂର୍ବରୁ ଏଭଳି ଯୋଜନା ରୋଗୀ ସମ୍ପର୍କୀୟଙ୍କ ପାଇଁ ଖୁସି ଆଣିଦେଇଛି। ରାତିରେ ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟ ଖାଇବା ନେଇ ହଇରାଣ ହେଉଥିବାବେଳେ ନୂଆ ବ୍ୟବସ୍ଥା ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ କେନ୍ଦ୍ରରେ ପ୍ରତ୍ୟହ ଦିନ ବେଳା ୧୦୦୦ ଏବଂ ରାତିରେ ୫୦୦ ଜଣଙ୍କ ପାଇଁ ଖାଦ୍ୟ ଉପଲବ୍ଧ ହେବ। ସେହିପରି ସମ୍‌ ଏବଂ କଳିଙ୍ଗ ହସ୍ପିଟାଲ କେନ୍ଦ୍ରରେ ରାତିରେ ୨୫୦ ଥାଳି ବ୍ୟବସ୍ଥା କରାଯାଇଛି। ଏନେଇ ନଗର ଉନ୍ନୟନ ବିଭାଗ ଶାସନ ସଚିବ ଜି.ମାଥିଭାଥନନ୍ କହିଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ରାତିରେ ୧୫,୦୦୦ ଥାଳି ବ୍ୟବସ୍ଥା କରାଯାଇଥିବାବେଳେ ଚାହିଦା ଅନୁସାରେ ଅନ୍ୟାନ୍ୟ ଜାଗାରେ ଥିବା କେନ୍ଦ୍ରରେ ଖୋଲାଯିବ।
ସେହିପରି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ଆହାର କେନ୍ଦ୍ରରେ ଖାଦ୍ୟର ମାନ ଯାଞ୍ଚ ପାଇଁ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ହୋଇଛି। ଅକ୍ଷୟପାତ୍ର ଫାଉଣ୍ଡେସନ ଖାଦ୍ୟର ମାନ ଯାଞ୍ଚ କରୁଥିବାବେଳେ ଏନେଇ ସ୍ବତନ୍ତ୍ର ଟିମ୍‌ ସହିତ ଖାଦ୍ୟ ନିରାପତ୍ତା ଅଧିକାରୀ ଯାଞ୍ଚ କରିବେ। ଏହାସହିତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏହାର ତଦାରଖ କରାଯିବ। ଖୁବଶୀଘ୍ର ଏମସ୍‌ ହସ୍ପିଟାଲରେ ଆହାର କେନ୍ଦ୍ର ଖୋଲିବ।
ଏହି କାର୍ଯ୍ୟକ୍ରମରେ ବିଧାୟକ ବିଜୟ କୁମାର ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର, ବିଏମ୍‌ସି କମିଶନର ଶୁଭମ୍‌ ସାକ୍ସେନା, ଉପ ଆୟୁକ୍ତ ଶ୍ରୀମନ୍ତ ମିଶ୍ରଙ୍କ ସମେତ ବହୁ କର୍ପୋରେଟର ଯୋଗଦେଇଥିଲେ। ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟର ୭୬ଟି ପୌରାଞ୍ଚଳରେ ୧୧୧ଟି ସ୍ଥାନରେ ଆହାର କେନ୍ଦ୍ର ରହିଥିବା‌େ‌ବଳେ ଆସନ୍ତା ଜାନୁଆରୀ ୨୬ ସୁଦ୍ଧା ଆଉ ୩୨ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଖୋଲିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave A Reply