ବରିଷ୍ଠ ଅଧିକାରୀଙ୍କ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ
ଆଠଗଡ : ଆଠଗଡ ଓ ତିଗିରିଆ ଅଞ୍ଚଳକୁ ପାଇପ ଯୋଗେ ମହାନଦୀରୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବା ପାଇଁ ଶୁକ୍ରବାର ରାଜ୍ୟସରକାରଙ୍କର ପଞ୍ଚାୟତିରାଜ ଓ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ଅତିରିକ୍ତ ଶାସନ ସଚିବ ଧରଣୀଧର ନନ୍ଦ ପରିଦର୍ଶନରେ ଆସିଥିଲେ। ଶ୍ରୀ ନନ୍ଦ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କନ୍ଦରପୁର ନିକଟସ୍ଥ କେନ୍ଦୁଟୋକଳି ଗ୍ରାମଠାରେ ନିର୍ମାଣାଧିନ ବୃହତ୍ ଜଳବିଶୋଧନାଗାର ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ପରେ ପରେ ସେ ମେଘା ପଞ୍ଚାୟତର ଦାଶପୁର ଓ ଧୁରୁକୁଡିଆ ଶବରସାହିକୁ ଯାଇ ସେଠାରେ ପାନୀୟ ଜଳ ସମସ୍ୟା ସଂପର୍କରେ ପଚାରି ବୁଝିବା ସହ ସଂପୃକ୍ତ ଗ୍ରାମକୁ ତୁରନ୍ତ ଏକ ପାଇପ ଯୋଗେ ସ୍ୱତନ୍ତ୍ର ଜଳ ଯୋଗଇ ଦେବାକୁ ଆଠଗଡ ପାନୀୟ ଜଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଦାଶପୁରର ନଳକୂପ ମରାମତି ଉପରେ ଶ୍ରୀ ନନ୍ଦ ଗୁରୁତ୍ୱାରୋପ କରିଥିଲେ । ତାଙ୍କର ଏହି ପରିଦର୍ଶନ ସମୟରେ ବିଡିଓ ପ୍ରଦୀପ କୁମାର ସାହୁ, ପାନୀୟ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ କାଳୁଚରଣ ବେହେରା, ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ସଚିନ୍ ମିଶ୍ର, ସହକାରୀ ଯନ୍ତ୍ରୀ ଅଜିତ୍ କୁମାର ନାୟକ ଓ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.