ବଲିଉଡ଼ ଅଭିନେତା ଦଲୀପ ତାହିଲଙ୍କୁ ଜେଲ୍‌

ମୁମ୍ବଇ: ବଲିଉଡ଼ ଅଭିନେତା ଦଲୀପ ତାହିଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦଲୀପ ତାହିଲଙ୍କୁ ଦୁଇ ମାସ ଜେଲ୍‌ ଦଣ୍ଡାଦେଶ ହୋଇଛି। ପାଞ୍ଚ ବର୍ଷ ପୂର୍ବର ଡ୍ରଙ୍କ୍‌ ଆଣ୍ଡ ଡ୍ରାଇଭ୍‌ ମାମଲାରେ ଅଭିନେତାଙ୍କୁ ଦଣ୍ଡିତ କରାଯାଇଛି। ୨୦୧୮ ମସିହାରେ ଘଟିଥିଲା ଏହି ଘଟଣା।

ସୂଚନାଯୋଗ୍ୟ, ଦଲୀପ ୨୦୧୮ରେ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ବେଳେ ମୁମ୍ବଇର ପୋଶ ଖାର ଉପକଣ୍ଠ ଅଞ୍ଚଳରେ ତାଙ୍କ କାର୍‌ ଏକ ଅଟୋ ରିକ୍ସାକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଡାକ୍ତରଙ୍କ ରିପୋର୍ଟରେ ମଦ୍ୟପାନ କରିଥିବା ଏବଂ ସେହି ସମୟରେ ଅଭିନେତା ଠିକ୍ ଭାବରେ ଚାଲିପାରୁ ନ ଥିବା ଆଦି ପ୍ରମାଣକୁ ଭିତ୍ତି କରି ଅଦାଲତ ଏହି ନିଷ୍ପତ୍ତି ନେଇଛନ୍ତି।

ଏ ସମସ୍ତ ପ୍ରମାଣକୁ ଦୃଷ୍ଟିରେ ରଖି ମାଜିଷ୍ଟ୍ରେଟ୍ ଦଲୀପ ତାହିଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କୁ ଦୁଇ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୫ ବର୍ଷ ପୁରୁଣା ଏହି ମାମଲାରେ ଦଲୀପ ତାହିଲଙ୍କୁ ମୁମ୍ବଇରୁ ଗିରଫ କରାଯାଇଥିଲା, କିନ୍ତୁ ପରେ ଅଭିନେତା ଜାମିନରେ ମୁକୁଳି ଯାଇଥିଲେ। ଗତ ପାଞ୍ଚ ବର୍ଷ ଧରି ଏହି ମାମଲା ଲଗାତର ଭାବରେ ଚାଲିଆସୁଛି। ଏବେ ମାମଲାର ଶୁଣାଣି କରି କୋର୍ଟ ଦଲୀପଙ୍କୁ ଦୁଇ ମାସ ଜେଲ ଦଣ୍ଡ ଦେଇଛନ୍ତି।

 

Comments are closed.