ରାଜପଥରେ ଗଡ଼ୁଛି ମୁଣ୍ଡ : ‘ଡାକ୍ତରଖାନା ପହଞ୍ଚାଇଲେ ବଞ୍ଚିବ ୫୦% ଜୀବନ’
ଭୁବନେଶ୍ବର : ଓଡ଼ିଶାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି । ଦୁର୍ଘଟଣା ସହ ତାଳ ଦେଇ ଜୀବନହାନି ବୃଦ୍ଧି ଘଟିବା ଚିନ୍ତା ବଢ଼ାଇଛି। ୨୦୨୦ ବର୍ଷ ତୁଳନାରେ ୨୦୨୧ରେ ଅଧିକ ୭.୨% ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିଥିବା ରାଜ୍ୟ ପୁଲିସ ଓ ପରିବହନ ବିଭାଗ ସୂଚନାରୁ ପ୍ରକାଶ। ୨୦୨୦ରେ ସଡ଼କ ଦୁର୍ଘଟଣାରେ ୪୭୩୮ ଜଣଙ୍କ ଜୀବନ ଯାଇଥିବାବେଳେ ଗତବର୍ଷ ଏହି ସଂଖ୍ୟା ୫୦୮୧କୁ ବୃଦ୍ଧିକୁ ପାଇଛି। ବିଶେଷ କରି ଗଜପତ, ଝାରସୁଗୁଡ଼ା, ବୌଦ ଓ ରାୟଗଡ଼ା ଜିଲାରେ ୨୫% ଅଧିକ ମୃତ୍ୟୁ ଘଟିଛି। ସଡ଼କ ମୃତ୍ୟୁ ହ୍ରାସ ପାଇଁ ଓଡ଼ିଶା ଅପବାଦ ମୁଣ୍ଡାଇଥିବାବେଳେ ତୁରନ୍ତ ରୋକିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ତଥା ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି। ରାଜ୍ୟ ବାଣିଜ ଓ ପରିବହନ ସଚିବ ସମସ୍ତ ଜିଲାପାଳ, ଏସ୍ପି, କମଶନରେଟ୍ ପୁଲିସ ଓ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ)ମାନଙ୍କୁ ଚିଠିଲେଖି ଦୁର୍ଘଟଣା ମୃତ୍ୟୁ ରୋକିବାକୁ ତାଗିଦା କରିଥିଲେ ମଧ୍ୟ ଏ ନେଇ ଆଶାନୁରୂପ ସଫଳତା ମିଳିପାରିନାହିଁ। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ପରିସଂଖ୍ୟାନ କହୁଛି ୨୦୧୪ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୩୯୩୧ ଜଣଙ୍କ ଜୀବନ ଯାଇଥିବାବେଳେ ୨୦୨୧ ମସିହା ବେଳକୁ ଏହା ୫୦୮୧କୁ ବୃଦ୍ଧି ପାଇବା ସ୍ଥିତିର ଗମ୍ଭୀରତାକୁ ଦର୍ଶାଉଛି। ଅର୍ଥାତ୍ ଗତ ୭ବର୍ଷ ଭିତରେ ସଡ଼କ ଦୁର୍ଘଟଣା ମୃତ୍ୟୁ ରାଜ୍ୟରେ ୨୯% ବୃଦ୍ଧି ପାଇଛି। ୨୦୧୫ରୁ ପ୍ରତିବର୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ୧୦% ହାରରେ ହ୍ରାସ କରିବାକୁ ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ନିର୍ଦେଶ ଦେଇଥିବାବେଳେ ସ୍ଥିତି ବଦଳିବା ଦୁରେଥାଉ ବରଂ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି।
ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଯେତିକି ଲୋକଙ୍କ ମୃତ୍ୟୁ ଘଟୁଛି ସେଥିମଧ୍ୟରୁ ଅର୍ଦ୍ଧାଧିକ ବ୍ୟକ୍ତିଙ୍କ ଜୀବନ ସୁରକ୍ଷା କରାଯାଇ ପାରନ୍ତା। ଯଦି ଦୁର୍ଘଟଣା ଘଟିବାର ଏକ ଘଣ୍ଟା ମଧ୍ୟରେ ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସା ଲାଗି ପହଞ୍ଚା ଯାଇପାରନ୍ତା, ତେବେ ୫୦ ପ୍ରତିଶତ ଆହତଙ୍କ ଜୀବନ ରକ୍ଷା କରାଯାଇପାରନ୍ତା ବୋଲି ସଡ଼କ ସୁରକ୍ଷା ସୁପ୍ରିମକୋର୍ଟ କମିଟି ମତପ୍ରକାଶ କରିଛି ।
କମିଟିର ସୂଚନା ଅନୁଯାୟୀ ଅଧିକାଂଶ ସମୟରେ ସଡ଼କ ଦୁର୍ଘଟଣାକୁ ନେଇ ଦୁଇଟି କଥା ଉଠିଥାଏ, ଗୋଟିଏ ହେଲା ଡ୍ରାଇଭରଙ୍କ ଅସାବଧାନତା ଓ ଦ୍ରୁତଗତି ଚାଳନା। ହେଲେ ଏସବୁ ବାଦ୍ ଟ୍ରମାକେୟାର ସୁବିଧା ହିଁ ଅମୂଲ୍ୟ ଜୀବନ ବଞ୍ଚାଇ ପାରନ୍ତା। ତଥ୍ୟ ଅନୁଯାୟୀ ଦେଶରେ ବର୍ଷକୁ ପ୍ରାୟ ୧.୫ ଲକ୍ଷ ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ୫ ଲକ୍ଷ ଲୋକ ଆହତ ହେଉଛନ୍ତି। ଆହତଙ୍କୁ ଯଥାଶୀଘ୍ର ଡାକ୍ତରଖାନା ସ୍ଥାନାନ୍ତର କରାଯାଇପାରିଲେ ଦୁର୍ଘଟଣାଜନିତ ମୃତ୍ୟୁ ବହୁଳ ମାତ୍ରାରେ ହ୍ରାସ ହୋଇପାରିବ । ଏଥିଲାଗି ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ମଧ୍ୟରେ ଏକ ସହଜ ଯୋଗାଯୋଗ ମାଧ୍ୟମ ସ୍ଥାପନ କରିବାର ଆବଶ୍ୟକତା ରହିଛି। ପ୍ରତ୍ୟେକ ଜିଲାରେ ଏଥି ଲାଗି ଏକ ଉନ୍ନତ ଜ୍ଞାନକୌଶଳ ବ୍ୟବସ୍ଥା ସ୍ଥାପନ କରିବା ପାଇଁ ସଡ଼କ ସୁରକ୍ଷା ସୁପ୍ରିମକୋର୍ଟ କମିଟି ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦେଶ ଦିଆଯାଇଛି ।
ଏଥିରେ କୁହାଯାଇଛି ଯେ, ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପ୍ରତ୍ୟେକ ଜିଲାରେ ଫୋରେନସିକ କ୍ରାସ୍ ଅନୁସନ୍ଧାନର ଆବଶ୍ୟକତା ରହିଛି। ଦେଶରେ ସଡ଼କ ଇଞ୍ଜିନିୟରିଂ, ସାଇନେଜ୍ ଏବଂ ଅନ୍ୟାନ୍ୟ ଦିଗଗୁଡ଼ିକର ତ୍ରୁଟି ଚିହ୍ନଟ ପାଇଁ କୌଣସି ଅନୁସନ୍ଧାନ କରାଯାଏ ନାହିଁ। କେବଳ ଉପସ୍ଥିତ ସାକ୍ଷୀର ବୟାନକୁ ଆଧାର କରି ପୁଲିସ ଅଧିକାଂଶ ସମୟରେ ଡ୍ରାଇଭିଂ ଏବଂ ଦ୍ରୁତ ଗତିକୁ ଦାୟୀ କରି ଚୁପ୍ ହୋଇ ବସି ପଡୁଛି। ସଡ଼କ ଦୁର୍ଘଟଣାର ତଦାରଖ କରିବା ସହ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକୁ ଦୁର୍ଘଟଣା ହ୍ରାସ କରିବା ଦିଗ ଉପରେ ପରାମର୍ଶ ଦେବା ପାଇଁ ଏକ କମିଟି ଗଠନ ହୋଇଛି । ଜିଲାଗୁଡ଼ିକରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବା ସ୍ଥାନ ଲାଗି କିଭଳି ଆମ୍ବୁଲାନ୍ସ ନିୟୋଜନ ହୋଇପାରିବ, ସେଥିଲାଗି ସବୁ ରାଜ୍ୟକୁ ଯୋଜନା କରିବାର ଆବଶ୍ୟକତା ରହିଛି। ସାର୍ବଜନୀନ ଡୋମେନରେ ମାସିକ ସଡ଼କ ଦୁର୍ଘଟଣା ତଥ୍ୟ ପ୍ରକାଶ ଏବଂ ଏହି ଉଦ୍ଦେଶ୍ୟରେ ଜିଲାସ୍ତରରେ ୱେବ୍ ପୋର୍ଟାଲ ଖୋଲିବା ପାଇଁ ମଧ୍ୟ କମିଟି ରାଜ୍ୟଗୁଡ଼ିକୁ ନିର୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ଯେ ଜାତୀୟ ରାଜପଥରେ ହେଉଥିବା ଦୁର୍ଘଟଣାରେ ଅଧିକ ପ୍ରାଣହାନି ହେଉଛି। ହେଲେ ସରକାରଙ୍କ ପକ୍ଷରୁ ପୁଲିସ ଅଧିକାରୀଙ୍କୁ କେବଳ ସହରରେ ପଇଁତରା ମାରୁଥିବାର ଦେଖିବାକୁ ମିଳୁଛି। ଏଥିପ୍ରତି ଯତ୍ନବାନ ହେଲେ ମୂଲ୍ୟବାନ ଜୀବନ ବଞ୍ଚାଯାଇ ପାରନ୍ତା ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞ ମତପ୍ରକାଶ କରିଛନ୍ତି।
ଓଡ଼ିଶାରେ ସଡ଼କ ଦୁର୍ଘଟଣା, ଜାତୀୟ ହାରଠାରୁ ଅଧିକ
ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ୨୦୨୧ରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୫୦୮୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହା ଜାତୀୟ ହାରଠାରୁ ଅଧିକ ବୋଲି ସେଫ ଇଣ୍ଡିଆ ପକ୍ଷରୁ ଆେୟାଜିତ କମିଟ୍ ଟୁ ଆକ୍ଟ ଷ୍ଟ୍ରିଟ୍ ଫର ଲାଇଫ୍ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି।
ବିଏମ୍ସି ମେୟର ସୁଲୋଚନା ଦାସ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ମିଳିତ ଭାବେ ଆମେ ଆମର ରାସ୍ତାକୁ ସୁରକ୍ଷିତ କରିପାରିବା। ରାଜଧାନୀରେ ସଡ଼କ ଏବଂ ପାର୍କିଂ ବ୍ୟବସ୍ଥାକୁ ସୁସଂଗଠିତ କରିବା ଦିଗରେ ବିଏମ୍ସି ଉଦ୍ୟମ କରୁଛି। ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ-୧ ବିକାଶ ଚନ୍ଦ୍ର ଚୌଧୁରୀ କହିଥିଲେ, ସେଫ୍ ଇଣ୍ଡିଆ ଏଭଳି କାର୍ଯ୍ୟକ୍ରମ ଆେୟାଜନ କରୁଛି ଯେଉଁଠାରେ ବିଭିନ୍ନ ହିତାଧିକାରୀମାନେ ସଡ଼କ ସୁରକ୍ଷା ପାଇଁ ଆଲୋଚନା କରିଛନ୍ତି। ଆରଟିଓ-୨ ବିରଞ୍ଚି ନାରାୟଣ ଅଧିକାରୀ କହିଥିଲେ ଯେ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁହାର ଜାତୀୟ ହାରଠାରୁ ଅଧିକ। ସଡ଼କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା ଏ ଦିଗରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ସଞ୍ଜୟ ବିଶ୍ୱାଳ କହିଥିଲେ ଯେ ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ମାତ୍ର ସଡ଼କ ବ୍ୟବହାରକାରୀଙ୍କ ଦାୟିତ୍ୱ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସଡ଼କ ଦୁର୍ଘଟଣାରେ ଜୀବନ ରକ୍ଷା କରି ଅସାଧାରଣ କାର୍ଯ୍ୟ କରିଥିବା ସିଭିଲ ଡିଫେନ୍ସର ସ୍ୱେଚ୍ଛାସେବୀ ନିଖିଲଙ୍କୁ ସମ୍ମାନିତ କରାଯାଇଥିଲା।
ଅନ୍ୟମାନଙ୍କ ଅତିରିକ୍ତ ଟ୍ରାଫିକ ଉପାୟୁକ୍ତ ଡକ୍ଟର କେ.କେ. ପାଣିଗ୍ରାହୀ, ରାଜ୍ୟ ସଡ଼କ ସୁରକ୍ଷା ଆଲାଏନ୍ସର ଅଧ୍ୟକ୍ଷ ତଥା ସେଫ୍ ଇଣ୍ଡିଆର ସଭାପତି ଦିଲୀପ କୁମାର ପଣ୍ଡା ପ୍ରମୁଖ ସଡ଼କ ସୁରକ୍ଷା ସମ୍ପର୍କରେ ଆେଲାଚନା କରିଥିଲେ।
Comments are closed.