ମୃତ୍ୟୁସଂଖ୍ୟ ଶୂନ୍ୟ କହି ବିବାଦରେ ବିହାରର ମନ୍ତ୍ରୀ
ମୋତିହାରି : ବିହାରର ମୋତିହାରିଠାରେ ଗୁରୁବାର ଘଟିଥିବା ବସ୍ ଦୁର୍ଘଟଣାରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୁନିଶ୍ଚିତ କରାଯାଇଥିଲା। ଏପରିକି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଦିନେଶ ଚନ୍ଦ୍ର ଯାଦବ ଗୁରୁବାର ରାତିରେ କ୍ୟାମେରା ସମ୍ମୁଖରେ କହିଥିଲେ। ଏହାର ୨୪ ଘଣ୍ଟା ନ ପୂରୁଣୁ ଏହି ସୂଚନା ଭୁଲ୍ ଏବଂ ଦୁର୍ଘଟଣାରେ କେହି ପ୍ରାଣ ହରାଇ ନାହାନ୍ତି ବୋଲି କହି ମନ୍ତ୍ରୀ ଯାଦବ ବିବାଦ ମଧ୍ୟକୁ ଟାଣି ହୋଇଯାଇଛନ୍ତି। ନିଜର ବୟାନ ଉପରେ ସ୍ପଷ୍ଟୀକରଣ ଦେବାକୁ ଯାଇ ସେ କହିଛନ୍ତି, ଦୁର୍ଘଟଣା ସ୍ଥଳର ଲୋକଙ୍କ ସୂଚନାକୁ ଭିତ୍ତି କରି ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ପୂର୍ବରୁ କହିଥିଲେ। ଏଥିସହ ଅନ୍ତିମ ରିପୋର୍ଟ ଆସିବା ପରେ ବାସ୍ତବ ତଥ୍ୟ ଜଣାପଡିବ ବୋଲି ଦର୍ଶାଇଥିଲେ। ଚୂଡାନ୍ତ ରିପୋର୍ଟ ଅନୁଯାୟୀ କାହାରି ମୃତ୍ୟୁ ଘଟିନାହିଁ। ବସ୍ରେ ୧୩ ଜଣ ଲୋକଙ୍କ ପାଇଁ ଟିକଟ୍ ବୁକ୍ ହୋଇଥିଲା। ଦୁର୍ଘଟଣାରେ ଏମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ୫ ଜଣଙ୍କ ସମ୍ବନ୍ଧରେ କୌଣସି ସୂଚନା ମିଳିପାରି ନାହିଁ କିମ୍ବା ସେମାନଙ୍କ ଦେହାବଶେଷ ଉଦ୍ଧାର ହୋଇନାହିଁ। ସମ୍ଭବତଃ ଦୁର୍ଘଟଣାରୁ ବର୍ତ୍ତିବା ପରେ ଏହି ୫ ଜଣ ଲୋକ ଘଟଣାସ୍ଥଳରୁ ପଳାଇଥିଲେ ବୋଲି ଯାଦବ କହିଛନ୍ତି। ମୁଜାଫରପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବସ୍ଟି ପୂର୍ବ ଚମ୍ପାରନ୍ ଜିଲା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଗଭୀର ଖାଇ ମଧ୍ୟକୁ ଖସିପଡି ଜଳିଯାଇଥିଲା।