ପ୍ଲେ-ଅଫ୍‍ ଦୌଡ଼ରେ ମୁମ୍ବଇ

0

ମୁମ୍ବଇ : ଆଇପିଏଲ୍‍-୧୧ରେ କ୍ରମାଗତ ୨ୟ ମ୍ୟାଚ୍‍ ଜିତିପାରିଛି ମୁମ୍ବଇ ଇଣ୍ଡିଆନ୍‍ସ। ରବିବାର ପ୍ରଥମ ମ୍ୟାଚ୍‍ରେ କଲକାତା ନାଇଟ ରାଇଡର୍ସକୁ ୧୩ ରନ୍‍ରେ ମୁମ୍ବଇ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବଇ ପ୍ଲେଅଫ୍‍ ଖେଳିବା ଦୌଡ଼ରେ ରହିପାରିଛି। ଓପ୍‍ନିଂ ଯୋଡ଼ି ସୂର୍ଯ୍ୟକୁମାର ଯାଦବ ଓ ଏଭିନ୍‍ ଲୁଇସ୍‍ଙ୍କ ଚମତ୍କାର ଇନିଂସ ବଳରେ ମୁମ୍ବଇ ଇଣ୍ଡିଆନ୍‍ସ ୪ ୱିକେଟ ହରାଇ ୧୮୧ ରନ୍‍ କରିଥିଲା। ପରେ ରବିନ୍‍ ଉଥପ୍ପାଙ୍କ ଅର୍ଦ୍ଧଶତକ ସତ୍ତେ୍ୱ କଲକାତା ୬ ୱିକେଟ ହରାଇ ୧୬୮ ରନ୍‍ କରି ପାରିଥିଲା। ୧୦ମ ମ୍ୟାଚ୍‍ରେ ଏହା ମୁମ୍ବଇର ୪ର୍ଥ ବିଜୟ। ଅନ୍ୟପକ୍ଷରେ ୧୦ମ ମ୍ୟାଚ୍‍ରେ ୫ମ ପରାଜୟ ବରଣ କରିଛି କଲକାତା।
୧୮୨ ରନ୍‍ର ପିଛା କରୁଥିବା କଲକାତା ନାଇଟ ରାଇଡର୍ସ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ଅଷ୍ଟ୍ରେଲୀୟ ଓପ୍‍ନର କ୍ରିସ୍‍ ଲିନ୍‍ ୧୩ ବଲ୍‍ରୁ ୪ଟି ଚୌକା ସହ ୧୭ ରନ୍‍ ଏବଂ ଗତ ମ୍ୟାଚ୍‍ରେ ଅର୍ଦ୍ଧଶତକ ହାସଲ କରିଥିବା ଶୁବ୍‍ମାନ ଗିଲ୍‍ ୭ ରନ୍‍କରି ବିଦାୟ ନେଇଥିଲେ। ୩ଟି ବଲ୍‍ରେ ୨ଟି ୱିକେଟ ପଡ଼ିଯିବା ପରେ ରବିନ୍‍ ଉଥପ୍ପା ଓ ନୀତୀଶ ରାଣାଙ୍କ ମଧ୍ୟରେ ଚମତ୍କାର ଭାଗିଦାରୀ ହୋଇଥିଲା। ୩ୟ ୱିକେଟ ପାଇଁ ଉଥପ୍ପା-ରାଣା ୯.୨ ଓଭରରୁ ୮୪ ରନ୍‍ ଯୋଡ଼ି ଦଳକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ତେବେ ୭ଟି ବଲ୍‍ ମଧ୍ୟରେ ଉଭୟେ ଆଉଟ ହୋଇଯିବାରୁ କଲକାତା ଚିନ୍ତାରେ ପଡ଼ି ଯାଇଥିଲା। ଉଥପ୍ପା ବିସ୍ଫୋରକ ବ୍ୟାଟିଂକରି ୩୫ ବଲ୍‍ରୁ ୩ଟି ଛକା ଓ ୬ଟି ଚୌକା ସହ ୫୪ ରନ୍‍ କରିଥିଲେ। ବାମହାତି ନୀତୀଶ ରାଣା ୨୭ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୧ ରନ୍‍ କରିଥିଲେ। ଆନ୍ଦ୍ରେ ରସେଲ ବିଫଳ ହୋଇ ୧୦ ବଲ୍‍ରୁ ମାତ୍ର ୯ ରନ୍‍ କରି ପାରିଥିଲେ। ୨ ଓଭରରେ ୩୭ ଓ ଶେଷ ଓଭରରେ କଲକାତା ୨୩ ରନ୍‍ ଆବଶ୍ୟକ କରୁଥିଲା। ଅଧିନାୟକ ଦିନେଶ କାର୍ତ୍ତିକଙ୍କ ପ୍ରୟାସ ସତ୍ତେ୍ୱ ଶେଷ ଓଭରରେ କଲକାତା ୯ ରନ୍‍ ନେଇ ପାରିଥିଲା। କାର୍ତ୍ତିକ ୨୬ ବଲ୍‍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୬ ରନ୍‍କରି ଅପରାଜିତ ଥିଲେ। ହାର୍ଦିକ ପାଣ୍ଡ୍ୟା ୪ ଓଭରରୁ ୧୯ ରନ୍‍ଦେଇ ୨ଟି ୱିକେଟ ନେଇ ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ଏହି ଅସହ୍ୟ ଗରମ ସତ୍ତେ୍ୱ କଲକାତା ନାଇଟ ରାଇଡର୍ସ ଟସ୍‍ ଜିତି ଫିଲ୍‍ଡିଂର ନିଷ୍ପତ୍ତି ନେଇଥିଲା। ଘରୋଇ ମୁମ୍ବଇ ଇଣ୍ଡିଆନ୍‍ସର ଓପ୍‍ନିଂ ଯୋଡ଼ି ପ୍ରଥମ ୨ ଓଭରରୁ ୭ ରନ୍‍ ନେବା ପରେ ସୂର୍ଯ୍ୟକୁମାର ଯାଦବ ଓ ଏଭିନ୍‍ ଲୁଇସ୍‍ ୩ୟ ଓଭରରୁ ଆକ୍ରମଣ କରି ଦେଇଥିଲେ। ଫଳରେ ୬ ଓଭରର ପାୱରପ୍ଲେ ଶେଷରେ ମୁମ୍ବଇ ୫୬ ରନ୍‍ କରିଥିବା ବେଳେ ୮ ଓଭରରେ ବିନା ୱିକେଟରେ ୮୨ ରନ୍‍ କରିଥିଲା। ତେବେ ପରବର୍ତ୍ତୀ ୧୨ ଓଭରରୁ ମୁମ୍ବଇ ୯୯ ରନ୍‍କରି ୪ଟିଯାକ ୱିକେଟ ହରାଇଥିଲା। ମୁମ୍ବଇର ଓପ୍‍ନିଂ ଯୋଡ଼ି ୯.୨ ଓଭର ପର୍ଯ୍ୟନ୍ତ କ୍ରିଜ୍‍ରେ ରହି ୯୧ ରନ୍‍ର ଭାଗିଦାରୀ କରିଥିଲେ। ଫଳରେ ମୁମ୍ବଇ ୨ ଶହରୁ ଅଧିକ ରନ୍‍ କରିବାର ସମ୍ଭାବନା ସୃଷ୍ଟି କରିଥିଲା। ତେବେ କଲକାତାର ବୋଲର ଲଢ଼ୁଆ ପ୍ରଦର୍ଶନ କରି ଏହା ହେବାକୁ ଦେଇନଥିଲେ। ୱେଷ୍ଟଇଣ୍ଡିଜ୍‍ର ବାମହାତି ଓପ୍‍ନର ଏଭିନ୍‍ ଲୁଇସ୍‍ ବିସ୍ଫୋରକ ଇନିଂସ ଖେଳି ପ୍ରଥମେ ଆଉଟ ହୋଇଥିଲେ। ଲୁଇସ୍‍ ୨୮ ବଲ୍‍ରୁ ୨ଟି ଛକା ଓ ୫ଟି ଚୌକା ସହ ୪୩ ରନ୍‍ କରିଥିଲେ। ଅଧିନାୟକ ରୋହିତ ଶର୍ମା ମାତ୍ର ୧୧ ରନ୍‍ କରି ପାରିଥିଲେ। କ୍ରମାଗତ ୨ୟ ମ୍ୟାଚ୍‍ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ମାତ୍ର ୩୯ ବଲ୍‍ରୁ ୨ଟି ଛକା ଓ ୭ଟି ଚୌକା ସହ ୫୯ ରନ୍‍ କରି ଆଉଟ ହୋଇଥିଲେ। ଇନିଂସର ଶେଷ ୮ ଓଭର ସମ୍ଭାଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ୧୧ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍‍କରି ବିଦାୟ ନେଇଥିଲେ। ଶେଷ ୧୯ଟି ବଲ୍‍୍‍ରେ ମୁମ୍ବଇର ଆଉ ୱିକେଟ ପଡ଼ିନଥିଲା। ହାର୍ଦିକ ପାଣ୍ଡ୍ୟା ଓ ଜେପି ଡ୍ୟୁମିନି ଏହି ୧୯ ବଲ୍‍ରୁ ୩୦ ରନ୍‍ ଯୋଗ କରିଥିଲେ। ବାମହାତି ଡ୍ୟୁମିନି ୧୧ ବଲ୍‍ରୁ ଗୋଟିଏ ଛକା ସହ ୧୩ ରନ୍‍କରି ଅପରାଜିତ ଥିଲେ। ହାର୍ଦିକ ପାଣ୍ଡ୍ୟା ୨୦ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୫ ରନ୍‍କରି ଅପରାଜିତ ରହିଥିଲେ। ଆନ୍ଦ୍ରେ ରସେଲ ୧୨ ରନ୍‍ଦେଇ ୨ଟି ଏବଂ ସୁନୀଲ ନାରାୟଣ ୩୫ ରନ୍‍ଦେଇ ୨ଟି ୱିକେଟ ନେଇଥିଲେ।

Leave A Reply