ଜମ୍ମୁ-କାଶ୍ମୀରରେ ୫ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ
ଜମ୍ମୁ : ଜମ୍ମୁ ଓ କାଶ୍ମୀରର ସୋପିୟାନ୍ ଜିଲ୍ଲାରେ ନିରାପତ୍ତା ବାହିନୀ ସହ ଗୁଳିବିନିମୟରେ ୫ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି । ଫଳରେ ଅପରେସନ୍ ଅଲଆଉଟକୁ ବଡ ସଫଳତା ମିଳିଛି। ଜୟନ୍ପୁରା ଅଞ୍ଚଳର ବାଡ଼ିଗାମ୍ ଗାଁରେ ଆତଙ୍କବାଦୀମାନେ ଲୁଚି ରହିଥିବାର ଖବର ପାଇ ନିରାପତ୍ତା ବାହିନୀ ସେହି ଅଞ୍ଚଳକୁ ଘେରାଉ କରି ନେଇଥିଲେ। ତଲାସୀ ଅଭିଯାନ ଚାଲିଥିବାବେଳେ ଦୁଇ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।
ମୃତ ଆତଙ୍କବାଦୀମାନଙ୍କୁ ଚିହ୍ନଟ କରାଯାଇଛି । ହିଜୁବୁଲ୍ ମୁଜାହିଦ୍ଦିନ୍ କମାଣ୍ଡର୍ ସଦାମ ପଦ୍ଦର ସମେତ ମହମ୍ମଦ ରଫି ବଟ୍ଟ, ବିଲାଲ ମୌଲବୀ, ଅଦିଲ ମଲ୍ଲିକ ଗୁଳିବିନିମୟରେ ନିହତ ହୋଇଛନ୍ତି। ଏହାଦ୍ବାରା ଭାରତୀୟ ଯବାନମାନେ ବୁରହାନ୍ ବାନୀ ଗ୍ୟାଙ୍ଗକୁ ମୁଳପୋଛ କରିବାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି । ଗୁଳିଗୋଳା ବିନିମୟରେ ଜଣେ ସାଧାରଣ ଲୋକ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ୨ ସୁରକ୍ଷା ବାହିନୀ ଯବାନ ଆହତ ହୋଇଛନ୍ତି । ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏହି ଅପରେସନ ସମୟରେ କାଶ୍ମୀର ବିଶ୍ଵ ବିଦ୍ୟାଳୟର ପ୍ରଫେସର ମହମ୍ମଦ ରଫି ବଟ୍ଟ ନିହତ ହୋଇ ଥିଲେ ।
ପ୍ରଫେସର ବଟ୍ଟ ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିଲେ। ଏବଂ ୩୬ ଘଣ୍ଟା ପୂର୍ବରୁ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ। ବଟ୍ଟ କେନ୍ଦ୍ରୀୟ କାଶ୍ମୀରର ଗାନ୍ଦରବଲ ଜିଲ୍ଲାର ଚୁଣ୍ଡୁମା ଗାଁର ବାସିନ୍ଦା । ସେ କାଶ୍ମୀର ବିଶ୍ଵ ବିଦ୍ୟାଳୟରେ ସମାଜ ଶାସ୍ତ୍ର ବିଭାଗରେ ଚୁକ୍ତିଭିତ୍ତିକ ଅଧ୍ୟାପକ ଥିଲେ। ସେ ଶୁକ୍ରବାର ଅପରାହ୍ନ ୩ଟା ୩୦ରୁ ନିଖୋଜ ଥିଲେ।
ପୁଲିସ୍ ମହାନିର୍ଦ୍ଦେଶକ ଏସ୍.ପି. ବୈଦ ଟ୍ୱିଟ୍ କରି ସି.ଆର୍.ପି.ଏଫ୍. ଓ ଜମ୍ମୁ-କାଶ୍ମୀର ପୁଲିସ୍କୁ ଅଭିନନ୍ଦନ ଜଣାଇବା ସହ ଗୁଳିଗୋଳା ବିନିମୟ ଶେଷ ହୋଇଥିବା ଜଣାଇଛନ୍ତି ।