ଆଫଗାନିସ୍ଥାନରେ ୭ ଭାରତୀୟ ଅପହୃତ

0

କାବୁଲ  : ଆଫଗାନିସ୍ତାନରେ କାର୍ଯ୍ୟରତ ୭ଜଣ ଭାରତୀୟ ଯନ୍ତ୍ରୀଙ୍କୁ ଅପହରଣ କରି ନିଆଯାଇଛି। ସ୍ଥାନୀୟ ଗଣମାଧ୍ୟମ ସୂତ୍ରକୁ ଉଦ୍ଧାର ପୂର୍ବକ କାବୁଲସ୍ଥିତ ଭାରତୀୟ ଦୂତାବାସ ଏହାକୁ ସ୍ୱୀକାର କରିଛି। ଏହି ଯନ୍ତ୍ରୀମାନେ ଉତ୍ତର ଆଫଗାନର ବାଗଲାନ୍‍ସ୍ଥିତ ଏକ ସରକାରୀ ଶକ୍ତିକେନ୍ଦ୍ର ‘ଦା ଆଫଗାନିସ୍ତାନ ବ୍ରେସ୍ନା ଶେରକତ୍‍’ ବା କେଇସି ଇଣ୍ଟରନ୍ୟାସନାଲ କମ୍ପାନୀରେ କାର୍ଯ୍ୟରତ ଥିବା ଦୂତାବାସ ସୂତ୍ରରୁ ଖବର ମିଳିଛି। ଏହି କମ୍ପାନୀ ସେଠାରେ ୨୨୬କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରୁଛି। ରବିବାର ଏହି ଯନ୍ତ୍ରୀମାନେ ଗୋଟିଏ ମିନି ବସ୍‍ରେ କାର୍ଯ୍ୟକ୍ଷେତ୍ରକୁ ଯାଉଥିବା ସମୟରେ ଅଜ୍ଞାତ ବନ୍ଧୁକଧାରୀମାନେ ସେମାନଙ୍କୁ ଅଟକାଇ ଗାଡ଼ିର ସ୍ଥାନୀୟ ଚାଳକ ସମେତ ସମସ୍ତଙ୍କୁ ଅପହରଣ କରିନେଇଥିଲେ। ସମ୍ପୃକ୍ତ ଅପହରଣକାରୀ
କିଏ କିମ୍ବା କେଉଁ ସଂଗଠନର ସଦସ୍ୟ ଏବଂ ସେମାନଙ୍କ ନିର୍ଦ୍ଦିଷ୍ଟ ଦାବି କ’ଣ ସେ ସମ୍ପର୍କରେ ସ୍ପଷ୍ଟ ହୋଇ ନାହିଁ। ଏଥିପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନ ଥିବାରୁ କୌଣସି ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ।
ପୂର୍ବରୁ ଏଭଳି ଯେତେ ଅପହରଣ ଘଟଣା ଘଟିଛି ପ୍ରତ୍ୟେକଟି ପଛରେ ଆତଙ୍କବାଦୀ ସଂଗଠନ ତାଲିବାନ୍‍ର ହାତ ଥିବାରୁ ବର୍ତ୍ତମାନର ଘଟଣା ପଛରେ ଏହି ସଂସ୍ଥା ସମ୍ପୃକ୍ତ ଥିବା ସ୍ୱାଭାବିକ ଭାବେ ସନ୍ଦେହ କରାଯାଉଛି। ବାଗଲାନ୍‍ ପୁଲିସ ମୁଖପାତ୍ର ଜାବିହୁଲ୍ଲା ସୁଜାଙ୍କ କହିବାନୁଯାୟୀ, ‘ଏହି ଅପହରଣ ଘଟଣା ପଛରେ ତାଲିବାନ୍‍ର ହାତ ଥିବା ସନ୍ଦେହ କରାଯାଉଛି। ଆମେ ତୁରନ୍ତ ସେମାନଙ୍କ ମୁକ୍ତି ପାଇଁ ଉଦ୍ୟମ କରୁଛୁ।’ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଆଫଗାନିସ୍ତାନ ପ୍ରତିପକ୍ଷଙ୍କ ସହିତ ଯୋଗାଯୋଗ କରାଯିବା ସହ ଯନ୍ତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରାଯାଇଥିବା ଜଣେ ମୁଖପାତ୍ର କହିଛନ୍ତି। ଆଫଗାନିସ୍ତାନର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଭାରତ କାର୍ଯ୍ୟକରୁଛି ଓ ୨୦୦୧ରୁ ଏହି ଦେଶରେ ପ୍ରାୟ ୨ବିଲିୟନ ଡଲାର ବିନିଯୋଗ କରିଛି। ଦେଶର ୩୧ଟି ପ୍ରଦେଶରେ ୧୧୬ଟି ପ୍ରଭାବଶାଳୀ ପ୍ରକଳ୍ପ ଭାରତ ପକ୍ଷରୁ ନିର୍ମାଣ କରାଯାଉଛି; ଯେଉଁଥିରେ ୧୫୦ ଯନ୍ତ୍ରୀଙ୍କ ସହ ବହୁ ସଂଖ୍ୟାରେ ଭାରତୀୟ କାର୍ଯ୍ୟ କରୁଛନ୍ତି। ୨୦୧୬ରେ କାବୁଲରେ କାର୍ଯ୍ୟରତ ଜଣେ ଭାରତୀୟ ମହିଳାଙ୍କୁ ଅପହରଣ କରି ନିଆଯାଇଥିଲା; କିନ୍ତୁ ୪୦ଦିନ ପରେ ଛାଡ଼ି ଦିଆଯାଇଥିଲା।
ଅନ୍ୟ ଏକ ଘଟଣାକ୍ରମେ ଖୋସ୍ତ ପ୍ରଦେଶର ଏକ ମସ୍‌ଜିଦରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୩୦ଜଣ ମୃତାହତ ହୋଇଛନ୍ତି। ବାସ୍ତବ ମୃତ୍ୟୁସଂଖ୍ୟା କେତେ ତାହା ଜଣାପଡ଼ି ନାହିଁ। ଏହି ମସ୍‌ଜିଦରେ ଭୋଟର ରେଜିଷ୍ଟ୍ରେସନ୍‍ କାର୍ଯ୍ୟ ଚାଲିଥିଲାବେଳେ ବିସ୍ଫୋରଣ ଘଟିଥିଲା। ତାଲିବାନ୍‍ ଓ ଆଇଏସ୍‍ ପକ୍ଷରୁ ସ୍ଥାନୀୟ ନିର୍ବାଚନକୁ ବିରୋଧ କରାଯାଉଥିଲେ ମଧ୍ୟ ଏହି ବିସ୍ଫୋରଣ ପାଇଁ କେହି ନିଜକୁ ଦାୟୀ କରି ନାହାନ୍ତି। ନିକଟରେ ଏକ ନିର୍ବାଚନ ରେଜିଷ୍ଟ୍ରେସନ୍‍ କାର୍ଯ୍ୟାଳୟ ଉପରେ ଆଇଏସ୍‍ ପକ୍ଷରୁ ଆତ୍ମଘାତୀ ବିସ୍ଫୋରଣ କରାଯିବାରୁ ୬୦ଜଣ ପ୍ରାଣ ହରାଇଥିଲେ।

Leave A Reply