ବାଙ୍ଗାଲୋରକୁ ହରାଇଲା ଚେନ୍ନଇ

0

ପୁଣେ : ଆଇପିଏଲ୍‍-୧୧ରେ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ) ତା’ର ପ୍ରଭାବଶାଳୀ ପ୍ରଦର୍ଶନ ଜାରିରଖି ୧୦ମ ମ୍ୟାଚ୍‍ରେ ୭ମ ବିଜୟ ହାସଲ କରି ପୁଣି ପଏଣ୍ଟ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ପିନରଙ୍କ ସଫଳତା ବଳରେ ଶନିବାର ପ୍ରଥମ ମ୍ୟାଚ୍‍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି)କୁ ସହଜରେ ୬ ୱିକେଟରେ ଚେନ୍ନଇ ପରାସ୍ତ କରିଛି। ପାର୍ଥିବ ପଟେଲଙ୍କ ଅର୍ଦ୍ଧଶତକ ଓ ଜାଡ଼େଜା ଓ ହରଭଜନ ସିଂହ ମିଳିତ ଭାବେ ୫ଟି ୱିକେଟ ନେବାରୁ ବାଙ୍ଗାଲୋର ୯ ୱିକେଟରେ ମାତ୍ର ୧୨୭ ରନ୍‍ କରି ପାରିଥିଲା। ଚେନ୍ନଇର ବ୍ୟାଟ୍‍ସମ୍ୟାନ୍‍ ଏହି ସହଜ ଲକ୍ଷ୍ୟକୁ ୧୮ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲେ। ୯ମ ମ୍ୟାଚ୍‍ରେ ୬ଷ୍ଠ ପରାଜୟ ପରେ ଆର୍‍ସିବି ସଙ୍କଟରେ ପଡ଼ିଯାଇଛି।

୧୨୮ ରନ୍‍ର ସହଜ ଲକ୍ଷ୍ୟ ଥିବା ବେଳେ ଚେନ୍ନଇ ସୁପର କିଙ୍ଗ୍‍ସ ସହଳ ସେନ୍‍ ୱାଟ୍‍ସନ୍‍ (୧୧)ଙ୍କ ୱିକେଟ ହରାଇଥିଲା। ପରେ ଫର୍ମରେ ଥିବା ଚେନ୍ନଇର ଦୁଇ ବ୍ୟାଟ୍‍ସମ୍ୟାନ୍‍ ଅମ୍ବତି ରାୟୁଡୁ ଓ ସୁରେଶ ରୈନା ୨ୟ ୱିକେଟ ପାଇଁ ୪୪ ରନ୍‍ ଯୋଡ଼ିଥିଲେ। ରୈନା ୨୧ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୫ ରନ୍‍କରି ଆଉଟ ହୋଇଥିଲେ। ଚଳିତ ଆଇପିଏଲ୍‍ରେ ଏକମାତ୍ର ବ୍ୟାଟ୍‍ସମ୍ୟାନ ଭାବେ ୪ ଶହରୁ ଅଧିକ ରନ୍‍କରି ଅରେଞ୍ଜ୍‍ କ୍ୟାପ୍‍ର ଅଧିକାରୀ ରାୟୁଡୁ ୨୫ ବଲ୍‍ରୁ ୨ଟି ଛକା ଓ ୩ଟି ଚୌକା ସହ ୩୨ ରନ୍‍କରି ଆଉଟ ହୋଇଥିଲେ। ଜୀବନର ପ୍ରଥମ ଆଇପିଏଲ୍‍ ମ୍ୟାଚ୍‍ ଖେଳି ଧ୍ରୁବ ସୋରି ୯ ରନ୍‍ କରି ପାରିଥିଲେ। ୧୮ ରନ୍‍ ମଧ୍ୟରେ ଚେନ୍ନଇ ୩ଟି ୱିକେଟ ହରାଇଥିଲା। ୮୦ ରନ୍‍ରେ ୪ଟି ୱିକେଟ ପଡ଼ିବା ପରେ ମହେନ୍ଦ୍ର ସିଂହ ଧୋନି ଓ ଡ୍ୱେନ୍‍ ବ୍ରାଭୋ ଦଳକୁ ଲକ୍ଷ୍ୟରେ ପହଞ୍ଚାଇଥିଲେ। ବ୍ରାଭୋ ୧୭ ବଲ୍‍ରୁ ୧୪ ଏବଂ ଧୋନି ୨୩ ବଲ୍‍ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୧ ରନ୍‍କରି ଅପରାଜିତ ଥିଲେ। ଉମେଶ ଯାଦବ ୨ଟି ୱିକେଟ ପାଇଥିଲେ। ଜାଡ଼େଜା ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ଏହି ଗରମ ସତ୍ତେ୍ୱ ଚେନ୍ନଇ ସୁପର କିଙ୍ଗ୍‍୍‍ସ ଟସ୍‍ ଜିତି ଫିଲ୍‍ଡିଂ ନେଇଥିଲା ଏବଂ ଏହାର ବୋଲର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନିଷ୍ପତ୍ତିକୁ ସଠିକ୍‍ ପ୍ରମାଣିତ କରିଥିଲେ। ଅବଶ୍ୟ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟ୍‍ସମ୍ୟାନ୍‍ କିଛି ଦାୟିତ୍ୱହୀନ ସଟ୍‍ ଖେଳି ଚେନ୍ନଇକୁ ୱିକେଟ ଦାନ କରିଥିଲେ। ୬ ଓଭରରେ ଆର୍‍ସିବି ୧ ୱିକେଟରେ ୪୭ ରନ୍‍ କରିଥିବା ବେଳେ ଏହା ପରବର୍ତ୍ତୀ ୯ ଓଭରରେ ୪୨ ରନ୍‍ ଯୋଡ଼ି ୭ଟି ୱିକେଟ ହରାଇଥିଲା। ଏହା ହିଁ ଇନିଂସର ନିର୍ଣ୍ଣାୟକ ମୋଡ଼ ଥିଲା। ୨ୟ ଓଭରରେ ବଡ଼ ସଟ୍‍ ମାରିବା ପ୍ରୟାସରେ ବ୍ରେଣ୍ଡନ୍‍ ମ୍ୟାକ୍‍କଲମ୍‍ (୫) ୱିକେଟ ଫିଙ୍ଗିଥିଲେ। ତେବେ ଅନ୍ୟପଟୁ ପାର୍ଥିବ ପଟେଲ ସଟ୍‍ ଖେଳିବା ଜାରି ରଖିବାରୁ ୬ ଓଭରର ପାୱର ପ୍ଲେ ଶେଷରେ ଆର୍‍ସିବି ୪୭ ରନ୍‍ କରିଥିଲା। ରବୀନ୍ଦ୍ର ଜାଡ଼େଜା ତାଙ୍କ ପ୍ରଥମ ବଲ୍‍ରେ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି (୮)ଙ୍କୁ ବୋଲ୍‍ଡ କରିଥିଲେ। ୨ଟି ମ୍ୟାଚ୍‍ର ବିଶ୍ରାମ ପରେ ଦଳକୁ ଫେରିଥିବା ଏବି ଡି’ଭିଲିଅର୍ସ (୧) ଏକ ବେପରୁଆ ସଟ୍ ଖେଳି ଷ୍ଟମ୍ପ୍‍ଡ ହୋଇଥିଲେ। ଏହାପରେ ମଧ୍ୟ ଆର୍‍ସିବି ନିୟମିତ ଭାବେ ୱିକେଟ ହରାଇ ଚାଲିଥିଲା। ମନଦୀପ ସିଂହ ୭ ଓ କଲିନ୍‍ ଡି ଗ୍ରାଣ୍ଡ୍‍ହୋମ   ୮ ରନ୍‍କରି ବିଦାୟ ନେଇଥିଲେ। ଚଳିତ ଆଇପିଏଲ୍‍ରେ ପ୍ରଥମ ମ୍ୟାଚ୍‍ ଖେଳିଥିବା ପାର୍ଥିବ ପଟେଲ ୧୩ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‍ରେ ରହି ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ବାମହାତି ୪୧ ବଲ୍‍ରୁ ୨ଟି ଛକା ଓ ୫ଟି ଚୌକା ସହ ୫୩ ରନ୍‍ କରିଥିଲେ। ୮୯ ରନ୍‍ରେ ଆର୍‍ସିବି ୮ଟି ୱିକେଟ ହରାଇବା ପରେ ଟିମ୍‍ ସାଉଦିଙ୍କ ପ୍ରୟାସ ଯୋଗୁଁ ଏହା ୧୨୭ ରନ୍‍ରେ ପହଞ୍ଚି ପାରିଥିଲା। ପାର୍ଥିବଙ୍କ ପରେ ଆର୍‍ସିବିର ୨ୟ ବ୍ୟାଟ୍‍ସମ୍ୟାନ୍‍ ଭାବେ ସାଉଦି ଦୁଇଅଙ୍କ ବିଶିଷ୍ଟ ସ୍କୋର୍‍ରେ ପହଞ୍ଚି ପାରିଥିଲେ। ସାଉଦି ୨୬ ବଲରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୬ ରନ୍‍କରି ଅପରାଜିତ ଥିଲେ। ଜାଡ଼େଜା ୧୮ ରନ୍‍ଦେଇ ୩ଟି ଓ ହରଭଜନ ସିଂହ ୨୨ ରନ୍‍ଦେଇ ୨ଟି ୱିକେଟ ନେଇଥିଲେ।

Leave A Reply