ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ସତର୍କ ସୂଚନା

0
ଉତ୍ତର, ପୂର୍ବ ଭାରତରେ ଝଡ଼ବାତ୍ୟା ଲାଗି ରହିବ 

ନୂଆଦିଲ୍ଲୀ : ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶରେ ସୋମବାର ପର୍ଯ୍ୟନ୍ତ ଝଡ଼ବାତ୍ୟା ଲାଗି ରହିବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି)ର ପୂର୍ବାନୁମାନକୁ ଭିତ୍ତି କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଏ ନେଇ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ଝଡ଼ବାତ୍ୟା ଯୋଗୁ ପ୍ରବଳ ବେଗରେ ପବନ ବୋହିବାର ଆଶଙ୍କା ରହିଛି। ସେହିଭଳି ଓଡ଼ିଶା ସମେତ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଏବଂ କେରଳର କେତେକ ସ୍ଥାନରେ ପ୍ରବଳ ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ତେବେ ଆସାମ, ମେଘାଳୟ, ନାଗାଲାଣ୍ଡ,ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ପ୍ରବଳ ବର୍ଷା ହେବ ବୋଲି ଶୁକ୍ରବାର ବିଭାଗ ପକ୍ଷରୁ କୁହାଯାଇଛି।

prayash

ବୁଧବାର ସନ୍ଧ୍ୟାରୁ ଉତ୍ତର ତଥା ପୂର୍ବ ଭାରତୀୟ ରାଜ୍ୟଗୁଡିକରେ ପ୍ରବଳ ଝଡ଼ବାତ୍ୟା ଲାଗି ରହିଥିବା ବେଳେ ଗୁରୁବାର ସୁଦ୍ଧା ୧୦୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ ଏବଂ ୨୦୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ। ଶୁକ୍ରବାର ମଧ୍ୟ ବହୁ ଅଞ୍ଚଳରେ ଝଡ଼ ଲାଗି ରହିଛି। ଉତ୍ତର ପ୍ରଦେଶରେ ଅନୁରୂପ ପାଣିପାଗ ଲାଗି ରହିବା ଆଶଙ୍କାରେ ରାଜ୍ୟ ସରକାର ଆଗାମୀ ୭୨ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପରାମର୍ଶବଳୀ ମଧ୍ୟ ଜାରି କରାଯାଇଥିବା ଆଗ୍ରା ଜିଲା ମାଜିଷ୍ଟ୍ରେଟ୍‍ ଗୌରବ ଦୟାଲ କହିଛନ୍ତି।

ମୌସମ ଭବନ, ନୂଆଦିଲ୍ଲୀ

 

Leave A Reply