ଅମରନାଥ ଯାତ୍ରା ପଣ୍ଡ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ : ଭାରତୀୟ ସେନା
ଶ୍ରୀନଗର : ପାକିସ୍ତାନ କାଶ୍ମୀରରେ ଶାନ୍ତି ଭଙ୍ଗ କରି ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାହୁଁଛି। ହେଲେ ପାକିସ୍ତାନକୁ ତାର ଚେଷ୍ଟାରେ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଶୁକ୍ରବାର ଚିନାର କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ କେଜେଏସ୍ ଢିଲୋନ ଏବଂ ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂହ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଢିଲୋନ ଏବଂ ଦିଲବାଗ ସିଂହ କହିଛନ୍ତି ଯେ ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ଅନୁପ୍ରବେଶର ଜବାବ ସଫଳତାର ସହ ଦିଆଯାଉଛି। ପାକିସ୍ତାନ ସେନା ଘାଟିରେ ଆତଙ୍କ ଖେଳାଇବାକୁ ଚେଷ୍ଟା କରୁଛି। ଅମରନାଥ ଯାତ୍ରା ପଣ୍ଡ କରିବାକୁ ପାକିସ୍ତାନ ଚେଷ୍ଟା କରୁଥିଲା । ଏନେଇ ଗୁଇନ୍ଦା ସଂସ୍ଥାରୁ ସୂଚନା ମିଳିବା ପରେ ଭାରତୀୟ ସେନା ଆଲର୍ଟ ରହି ପାକିସ୍ତାର ସମସ୍ତ ଉଦ୍ୟମକୁ ପଣ୍ଡ କରିଥିଲା । ଘାଟିରେ ଆତଙ୍କବାଦୀଙ୍କ ନିକଟରୁ ପାକିସ୍ତାନ ସେନା ଦ୍ବାରା ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଆତଙ୍କବାଦୀଙ୍କ ନିକଟରୁ ଲ୍ୟାଣ୍ଡ ମାଇନ, ଅତ୍ୟାଧୁନିକ ଆଇଆଇଡି ଓ ଆମେରିକା ନିର୍ମିତ ରାଇଫଲ ଜବତ କରାଯାଇଛି । ଗତ କିଛି ଦିନ ଧରି ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି । ଜୁଲାଇ ୩୦ରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ସେନା ଏପରି କରୁଛି ବୋଲି ସନ୍ଦେହ କରାଯାଉଛି । ଏବେ ଘାଟିରେ ଆଇଆଇଡି ବିସ୍ଫୋରଣର ଅଧିକ ବିପଦ ରହିଛି। ଭାରତୀୟ ସେନା ଗିରଫ କରିଥିବା ଆଇଆଇଡି ବିଶେଷଜ୍ଞ ଆତଙ୍କବାଦୀମାନେ ଏହା ପଛରେ ପାକିସ୍ତାନର ହାତ ଥିବା ସ୍ୱୀକାର କରିଛନ୍ତି। ଶାନ୍ତିରେ ବାଧାସୃଷ୍ଟି କରିବାକୁ ଦିଆଯିବ ନାହିଁ ବୋଲି କାଶ୍ମୀରବାସୀଙ୍କୁ ଆଶ୍ୱସନା ଦିଆଯାଇଛି।
Comments are closed.