ବିବାହ ପୂର୍ବରୁ ସୋନମଙ୍କ କ’ଣ ରହିଛି ସର୍ତ୍ତ !

0

କିଛିଦିନ ତଳେ ଯେତେବେଳେ ଅନିଲ କପୁରଙ୍କୁ ଝିଅ ସୋନମଙ୍କ ବିବାହ ସଂକ୍ରାନ୍ତରେ ପଚରାଗଲା, ସେ କହିଥିଲେ ପ୍ରଶଂସକଙ୍କୁ ଶୁଭ ଖବର ଯଥା ସମୟରେ ଅବଗତ କରାଯିବ। ତା’ର ଦିନକେଇଟା ପରେ ହିଁ କପୁର ପରିବାର ତରଫରୁ ସୋନମଙ୍କ ବିବାହ ଖବର ସୋସିଆଲ ସାଇଟରେ ପ୍ରଚାର କରାଯାଇଥିଲା। ମେ ୮ରେ ମୁମ୍ବଇର ଏକ ହାଇ-ପ୍ରୋଫାଇଲ୍ ଅଞ୍ଚଳରେ ଏହି ବିବାହ ବେଶ୍ ଜାକଜମକରେ ହେବ ବୋଲି ସ୍ଥିର କରାଯାଇଛି। ସୋସିଆଲ ସାଇଟରେ ସେମାନଙ୍କ ବିବାହ କାର୍ଡ ମଧ୍ୟ ଘୂରିବୁଲୁଛି।

ସୋନମ ଓ ତାଙ୍କ ଭାବୀ ସ୍ବାମୀ ଆନନ୍ଦ ଆହୁଜାଙ୍କ ସମ୍ପର୍କ ୩ ବର୍ଷ ତଳେ ହିଁ ଆରମ୍ଭ ହୋଇଥିଲା। ଦିଲ୍ଲୀର ଏକ ନାମୀ ବ୍ୟବସାୟୀ ଘରର ପୁଅ ହେଉଛନ୍ତି ଆନନ୍ଦ। ତାଙ୍କ ନିଜର ଏକ ଫେଶନ୍ ବ୍ରାଣ୍ଡ ମଧ୍ୟ ରହିଛି। ଏହି ବ୍ରାଣ୍ଡର ସୋନମ୍ ମଧ୍ୟ ଜଣେ ବଡ଼ ପ୍ରଶଂସକ। ଏହି ସମ୍ପର୍କକୁ ନେଇ ସୋନମଙ୍କ ମା’ ସୁନିତା କପୁର ସବୁଠୁ ଅଧିକ ଖୁସି ଅଛନ୍ତି। ପିତା ଅନିଲଙ୍କ ମନଦୁଃଖର କାରଣ ଯେ ଗେହ୍ଲୀ ଝିଅ ଏବେ ଶାଶୂଘରକୁ ଚାଲିଯିବ। ବିବାହ ପରେ ଆନନ୍ଦ-ସୋନମ୍ କିଛି ସପ୍ତାହ ପାଇଁ ଲଣ୍ଡନରେ ରହିବେ। ଆନନ୍ଦଙ୍କର ଲଣ୍ଡନରେ ମଧ୍ୟ ଏକ ବିଳାସମୟ ଘର ଅଛି।

ବିବାହ ପୂର୍ବରୁ ସୋନମ୍ ଭାବୀ ସ୍ବାମୀ ଓ ଶାଶୂ ଘର ଲୋକଙ୍କ ସମ୍ମୁଖରେ ମାତ୍ର ଗୋଟିଏ ସର୍ତ୍ତ ରଖିଥିଲେ, ସେ କ୍ୟାରିୟରକୁ ତ୍ୟାଗ କରିବେ ନାହିଁ। ତାଙ୍କର ଏହି ଇଚ୍ଛାକୁ ପୂର୍ଣ୍ଣ ସମ୍ମାନ ଦିଆଯାଇଛି ବୋଲି ଆହୁଜା ପରିବାର ତରଫରୁ ପ୍ରକାଶ। ୮ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବିବାହ ନିମନ୍ତେ ପୂରା ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ବିବାହ ସଙ୍ଗୀତ ଉତ୍ସବରେ ଫାରହା ଖାନଙ୍କ ନୃତ୍ୟ ନିର୍ଦେଶନାରେ କପୁର ଓ ଆହୁଜା ପରିବାର ଝୁମିଉଠିବେ। ସୋନମଙ୍କ ବିବାହ କାର୍ଡରେ ଅତିଥିଙ୍କୁ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧି ଆସିବାକୁ ଅନୁରୋଧ କରାଯାଇଛି।

ଅନିଲ ଏ ସଂକ୍ରାନ୍ତରେ କହିଛନ୍ତି, ଝିଅର ବିବାହ ନେଇ ସେ ପୂର୍ବରୁ ମନରେ ରଖିଥିବା ଇଚ୍ଛାକୁ ଏବେ ପୂରଣ କରୁଛନ୍ତି। ସୋନମଙ୍କୁ ବିବାହ ଉପହାର ଭାବେ ପିତା ଅନିଲ ନିଜ ତରଫରୁ ଭର୍ସୋଭାରେ ଏକ ଘର ଭେଟି ଦେଉଥିବାର ପ୍ରକାଶ। ସୋନମଙ୍କ ବିବାହ ଗହଣା ଡିଜାଇନ୍ କଲକାତାରୁ ମା’ ସୁନିତାଙ୍କ ଦେଖାରଖାରେ ହିଁ ପ୍ରସ୍ତୁତ କରାଯାଇଛି। ଡିଜାଇନର ସବ୍ୟସାଚୀଙ୍କ ପୋଷାକ ସୋନମ୍ ବିବାହରେ ପିନ୍ଧିବା ପାଇଁ ସ୍ଥିର କରିଛନ୍ତି।

୩୨ ବର୍ଷୀୟା ସୋନମ୍ କପୁର ୨୦୦୫ରେ ସିନେ କ୍ୟାରିୟର ଆରମ୍ଭ କରିଥିଲେ। ନିଜ ଦମଦାର ଅଭିନୟ ପାଇଁ ଏହି ଅଭିନେତ୍ରୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇସାରିଛନ୍ତି। ସିଙ୍ଗାପୁରରେ ଉଚ୍ଚଶିକ୍ଷା ଲାଭ କରିଥିବା ସୋନମ୍ ଜଣେ ଉଚ୍ଚାଭିଳାଷୀ ଯୁବତୀ। ବିବାହ କାର୍ୟ୍ୟକ୍ରମ ତଥା ସପିଂ କାମ କରିବା ସହ ସୋନମ୍ ନିଜ କ୍ୟାରିୟର ଦାୟିତ୍ବକୁ ମଧ୍ୟ ଆଦୌ ଭୁଲିନାହାନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବିରେ ଦି ୱେଡିଙ୍ଗ’ ଜୁନ୍ ୧ରେ ମୁକ୍ତିଲାଭ ହେବାର ଯୋଜନା ରହିଛି। ସୋନମ୍ ଏହାର ପ୍ରଚାରରେ ଯୋଗ ଦେଉଛନ୍ତି।

Leave A Reply