ଦୁଇଟି ବିଦ୍ୟାଳୟ ମିଶ୍ରଣକୁ ନେଇ ଉତ୍ତେଜନା, ଶିକ୍ଷକଙ୍କୁ ଅଟକ ରଖି ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ
ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଦୁଇଟି ବିଦ୍ୟାଳୟ ମିଶ୍ରଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଗ୍ରାମବାସୀମାନେ ଶିକ୍ଷକଙ୍କୁ ଅଟକ ରଖି ବିଦ୍ୟାଳୟରେ ତାଲା ପକାଇଛନ୍ତି।
ସୂଚନା ମୁତାବକ, ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମଠଡିହ କ୍ଲଷ୍ଟର ଅଧିନରେ ଥିବା ଚମ୍ପାସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟ ପର୍ଯ୍ୟାପ୍ତ ଭିତ୍ତିଭୂମୀ ରହିଥିବା ବେଳେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କାରେ ୨ମହଲା କୋଠା ନିର୍ମାଣ କରାଯାଇଛି। ଗତ ବର୍ଷ ବିଦ୍ୟାଳୟରେ ଆଶାନୁରୂପକ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନଥିବାରୁ ଗତ ୨୦୧୮ ନଭେମ୍ବରରେ ଗାଁ ଠାରୁ ୧କି.ମି ଦୂର ପାରଡିଆ ପ୍ରାଥମିକ ବିଦ୍ୟାଳୟ ସହ ଏହି ବିଦ୍ୟାଳୟକୁ ଶିକ୍ଷାବିଭାଗ ମିଶାଇ ଦେଇଥିଲେ। ଏପରିକି ଶିକ୍ଷକ ଓ ଛାତ୍ରଛାତ୍ରୀ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ ନିମନ୍ତେ ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ସେ ସମୟରେ ଗାଁ ଲୋକ ଏପରି ନିଷ୍ପତ୍ତିକୁ ବିରୋଧ କରିବା ସହ ସ୍ଥାନୀୟ ବିଧାୟକଙ୍କୁ ଭେଟିବା ପରେ ଏହା ଉପରେ ପୂର୍ଣ୍ଣଛେଦ ପଡିଥିଲା। ଏପରିକି ବିଦ୍ୟାଳୟର ସମସ୍ତ ରେକର୍ଡ ପତ୍ର କାର୍ଯ୍ୟ ପାରଡିଆ ପ୍ରାଥମିକ ବିଦ୍ୟାଳୟରେ କରାଯାଇଥିବା ବେଳେ ଚମ୍ପାସାହି ପ୍ରାଥମିକ ବିଦୟାଳୟରେ ଶିକ୍ଷାଦାନ ଓ ମଧ୍ୟାହ୍ନ ଭୋଜନ ପୂର୍ବପରି ଚାଲିଥିଲା। ହେଲେ ଶୁକ୍ରବାର ପୁର୍ନବାର ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦେଶ କ୍ରମେ ଚମ୍ପାସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ସାଥିରେ ଧରି ପାରଡିଆ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ଖବର ପାଇ ଅଭିବାବକ ଓ ଗ୍ରାମବାସୀ ବିରୋଧ କରିବା ସହିତ ବିଦ୍ୟାଳୟରେ ତାଲା ପକାଇଦେଇଥିଲେ। ତାହାସହ ୨ଜଣ ଶିକ୍ଷକଙ୍କୁ ଅଟକ ରଖିବା ସହିତ ପାଠପଢା ପାଇଁ ୧କି.ମି ଦୂର ପାରଡିଆ ବିଦ୍ୟାଳୟକୁ ଛାଡିବେ ନାହିଁ ବୋଲି ଗ୍ରାମବାସୀ ଦୃଢ ନିଷ୍ପତ୍ତି ନେଇଥିବା ଗାଁର ସନ୍ତୋଷ ସାହୁ, ମଞ୍ଜୁଲତା ସାହୁ, ନଟବର ବିଶ୍ୱାଳ, ରାଧାରାଣୀ ବିଶ୍ୱାଳ ପ୍ରମୁଖ ପ୍ରକାଶ କରିଛନ୍ତି। ଏପରିକି ପ୍ରଶାସନ ଓ ଶିକ୍ଷାବିଭାଗ ଯଦି ଏହା ଉପରେ ପୁର୍ନବିଚାର ନକରେ ତାହାଲେ ଆଗାମୀ ଦିନରେ ରାଜରାସ୍ତାକୁ ସମୁହ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁ୍ଯାୟୀ ଯେଉଁଠିକି ବିଦ୍ୟାଳୟ ଉଠିଯାଇଛି ତାହା ଗାଁ ଠାରୁ ୧କି.ମି ଦୂର ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ନଈଯୋର ଓ ଗାଡିଆ ପୋଖରୀ ରହିଛି, ପ୍ରଥମରୁ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୪/୭ବର୍ଷ ପିଲା କିପରି ଭାବେ ଯାତାୟତ କରିବେ ତାହା ପ୍ରଶାସନ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରିବା ପରେ ନିଷ୍ପତ୍ତି ନେବା କଥା। ହେଲେ ଶିକ୍ଷା ବିଭାଗ ପକ୍ଷରୁ ଅଭିବାବକଙ୍କ ସହ କୈାଣସି ଆଲୋଚନ କରାନଯାଇ ଏପରି ନିଷ୍ପତ୍ତି ନିଆଯାଇଥିବା ଅଭିବାବକମାନେ ଅଭିଯୋଗ କରିଛନ୍ତି। ତାହାସହ ଉକ୍ତ ଗାଁରେ ବିଦ୍ୟାଳୟ ପ୍ରତିଷ୍ଠା ହେବାର ୭୩ବର୍ଷ ବିତିଯାଇଥିଲେ ମଧ୍ୟ ଏପରି ପୁରାତନ ବିଦ୍ୟାଳୟକୁ ଅନ୍ୟତ୍ର ଉଠାଇ ନେବା ଅତି ନିନ୍ଦନୀୟ ବୋଲି ଗାଁର ବହୁ ପୁରୁଖା ଲୋକ ପ୍ରକାଶ କରିଛନ୍ତି। ଏ ବାବଦରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚମ୍ପାସାହି ବିଦ୍ୟାଳୟକୁ ପାରଡିଆ ପ୍ରାଥମିକ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଛି। ତାହାସହ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷିତ ଯାତାୟତ ନିମନ୍ତେ ବାର୍ଷିକ ଅନୁଦାନ ଅଭିବାବକମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।
Comments are closed.