ମହିଳା ପ୍ରାର୍ଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ପୁରୁଷ ଡାକ୍ତର

0
ଛାତିରେ ଏସ୍‍ସି/ଏସ୍‍ଟି ଲେଖାଯିବା ଘଟଣାରେ ଜାତୀୟ ମାନବାଧିକାରୀ ଆୟୋଗଙ୍କ ନୋଟିସ

ଭୋପାଳ  : ମଧ୍ୟପ୍ରଦେଶରେ ପୁଲିସ କନ୍‍ଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥୀଙ୍କ ଛାତିରେ ଏସ୍‍ସି ବା ଏସ୍‍ଟି ଷ୍ଟାମ୍ପ ଲଗାଯିବା ନେଇ ବିବାଦ ଥମି ନ ଥିବାବେଳେ ବୁଧବାର ପୁଣି ଏକ ବିବାଦ ସୃଷ୍ଟି ହୋଇଛି। ମହିଳା କନ୍‍ଷ୍ଟେବଳ ନିଯୁକ୍ତି ପାଇଁ ଚାଲିଥିବା ପରୀକ୍ଷାରେ ପ୍ରାର୍ଥୀଙ୍କ ସ୍ୱାସ୍ଥ୍ୟ ପୁରୁଷ ଡାକ୍ତରମାନେ ପରୀକ୍ଷା କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ଭିଣ୍ଡ୍‍ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପର୍କିତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଗୋଟିଏ କୋଠରୀରେ ଡାକ୍ତର ମହିଳା ପ୍ରାର୍ଥୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବାବେଳେ ପୁରୁଷ ପ୍ରାର୍ଥୀମାନଙ୍କୁ କେବଳ ଅନ୍ତର୍ବସ୍ତ୍ର ପିନ୍ଧିଥିବା ଅବସ୍ଥାରେ ପରୀକ୍ଷା କରାଯାଉଥିବା ଲକ୍ଷ୍ୟ କରାଯାଇଛି। ଏ ନେଇ ଅଭିଯୋଗ କରାଯିବା ପରେ କର୍ତ୍ତୃପକ୍ଷ ତୁରନ୍ତ ମହିଳା ଡାକ୍ତରଙ୍କୁ ପ୍ରାର୍ଥିନୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିୟୋଜିତ କରିବା ସହିତ ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଏହାଛଡ଼ା ୫ଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଜିଲା ପୁଲିସ ଅଧୀକ୍ଷକ ମଧ୍ୟ ସ୍ୱତନ୍ତ୍ର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି।
ଅନ୍ୟ ଏକ ଘଟଣାକ୍ରମେ ପ୍ରାର୍ଥୀଙ୍କ ଛାତିରେ ଏସ୍‍ସି ବା ଏସ୍‍ଟି ଲେଖାଯିବା ନେଇ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସଭ୍ୟ ସମାଜରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ‘ନାଗରିକଙ୍କ ସମାନତା ଓ ସମ୍ମାନର ଅଧିକାରକୁ କ୍ଷୁଣ୍ଣ କରାଯାଇଥିବା ଏଭଳି କାର୍ଯ୍ୟକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଇପାରିବ ନାହିଁ’ ବୋଲି ଆୟୋଗ ତାଙ୍କ ନୋଟିସରେ ଦର୍ଶାଇଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକ ଘଟଣା ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ସହ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ୪ସପ୍ତାହ ମଧ୍ୟରେ ଜଣାଇବାକୁ ନୋଟିସରେ କୁହାଯାଇଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାଣ କହିଛନ୍ତି ଯେ ସରକାର ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଉଲ୍ଲେଖଯୋଗ୍ୟ ଯେ ପ୍ରାର୍ଥୀଙ୍କ ଛାତିରେ ‘ଜାତି’ ଲେଖାଯିବା ଭଳି ୨୦୧୬ ଅକ୍ଟୋବରରେ ସରକାରଙ୍କ ପକ୍ଷରୁ ପ୍ରାୟ ୬୦୦ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଇଥିବା ବ୍ୟାଗ୍‍ ଉପରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଜାତି ଉଲ୍ଲେଖ ରହିଥିଲା। ଏସ୍‍ସି/ଏସ୍‍ଟି ଉନ୍ନୟନ ଯୋଜନାରେ ଏହି ବ୍ୟାଗ୍‍ ବଣ୍ଟା ଯାଇଥିବା ସରକାର ସଫେଇ ଦେଇଥିଲେ।

Leave A Reply