ଭାରତୀୟ ଡ୍ରେସିଂରୁମ୍ ପରିବେଶ ବେଶ୍ ବନ୍ଧୁତ୍ବପୂର୍ଣ୍ଣ : କୋହଲି
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଡ୍ରେସିଂରୁମ୍ ପରିବେଶ ବେଶ୍ ବନ୍ଧୁତ୍ବପୂର୍ଣ୍ଣ ଏବଂ ସେଠାରେ ସିନିୟର-ଜୁନିୟର ଭେଦଭାବ ନାହିଁ ବୋଲି ସୂଚନା ଦେଇଛନ୍ତି ଅଧିନାୟକ ବିରାଟ କୋହଲି।
ଏକ ଖବରକାଗଜକୁ ସାକ୍ଷାତକାର ଦେଇ କୋହଲି କହିଥିଲେ ଭାରତୀୟ ଡ୍ରେସିଂରୁମ୍ରେ ସବୁ ଖେଳାଳି ନିଜସ୍ବ ମତ ରଖିବାର ଅଧିକାର ପାଇଛନ୍ତି। ଡ୍ରେସିଂରୁମ୍ରେ ସମସ୍ତେ ପରସ୍ପରକୁ ସମ୍ମାନ ଦେଇଥାନ୍ତି। ଯଦି କୌଣସି ଜୁନିୟର ଖେଳାଳି ମ୍ୟାଚ୍ ସମୟରେ କୌଣସି ଭୁଲ୍ କରିଥାନ୍ତି ତାହାକୁ ନେଇ ଡ୍ରେସିଂରୁମ୍ରେ ସଂପୃକ୍ତ ଖେଳାଳିଙ୍କୁ ଗାଳିଗୁଲଜ କରିବାର ପରମ୍ପରା ଭାରତୀୟ ଡ୍ରେସିଂରୁମ୍ରେ ନାହିଁ। କୁଲଦୀପ ଯାଦବଙ୍କ ସହ ସେ ଯେପରି ବନ୍ଧୁତ୍ବପୂର୍ଣ୍ଣ ଶୈଳୀରେ ଆଲୋଚନା କରିଥାନ୍ତି ବରିଷ୍ଠ ଖେଳାଳି ଧୋନିଙ୍କ ସହ ମଧ୍ୟ ସେହିପ୍ରକାର ଆଲୋଚନା କରିଥାନ୍ତି ବୋଲି କୋହଲି ସ୍ପଷ୍ଟ କରି ଦେଇଥିଲେ। ଯୁବ କ୍ରିକେଟର୍ଙ୍କ ଅସୁବିଧା ସଂପର୍କରେ ସେମାନଙ୍କ ଠାରୁ ଶୁଣିବାକୁ ସେ ପସନ୍ଦ କରିଥାନ୍ତି ବୋଲି କୋହଲି ମତ ଦେବା ସହ ଯୁବ କ୍ରିକେଟର୍ ଭାବେ ସେ ଯେଉଁ ଭୁଲ୍ କରିଥିଲେ ବର୍ତ୍ତମାନର ଯୁବ ଖେଳାଳିମାନେ ଯେପରି ସମାନପ୍ରକାର ଭୁଲ୍ ନ କରନ୍ତି ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ କେବେ ବି ପଛାଇ ନଥାନ୍ତି ବୋଲି କୋହଲି କହିଛନ୍ତି। କ୍ରିକେଟ୍କୁ ନେଇ ଯୁବ ଖେଳାଳିଙ୍କ ଆଭିମୁଖ୍ୟ କଣ ଏବଂ ଭବିଷ୍ୟତକୁ ନେଇ ତାଙ୍କ ଦୃଷ୍ଟିଭଙ୍ଗୀ ସଂପର୍କରେ ସେମାନଙ୍କ ଠାରୁ ଆଲୋଚନା କରିବାକୁ ପସନ୍ଦ କରିବା ସହ ଯେଉଁ ଖେଳାଳି ଭୁଲ୍ ଦିଗରେ ଗତି କରୁଥିବା ଅନୁଭବ କରନ୍ତି ତାଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ପ୍ରଦାନ କରିବାକୁ କେବେବି କୁଣ୍ଠାବୋଧ କରୁନଥିବା କୋହଲି ସ୍ପଷ୍ଟ କରି ଦେଇଛନ୍ତି। ଭାରତୀୟ କ୍ରିକେଟ୍ରେ ପ୍ରତିଭାବାନ୍ ଯୁବ ଖେଳାଳି ରହିଛନ୍ତି। ସେମାନଙ୍କୁ ଉପଯୁକ୍ତ ଦିଗଦର୍ଶନ ପ୍ରଦାନ କରାଗଲେ ଭାରତୀୟ କ୍ରିକେଟ୍ର ଭବିଷ୍ୟତ ସୁରକ୍ଷିତ ରହିପାରିବ ବୋଲି କୋହଲି ମତ ଦେଇଛନ୍ତି। ଋଷଭ ପନ୍ତ୍, ମନୀଷ ପାଣ୍ଡେ, ଶ୍ରେୟାସ ଆୟାର, ନବଦୀପ ସାଇନି, ରାହୁଲ ଚହର୍, ଦୀପକ ଚହର୍ ଏବଂ ଶୁବମାନ୍ ଗିଲ୍ଙ୍କ ପରି ଯୁବ କ୍ରିକେଟର୍ ଭାରତୀୟ କ୍ରିକେଟ୍ର ଭବିଷ୍ୟତ ବୋଲି କୋହଲି କହିଛନ୍ତି।
କ୍ରିକେଟ୍ ବିଶ୍ବକପ୍ର ସେମିଫାଇନାଲରେ ପରାସ୍ତ ହେବା ସଂପର୍କରେ ମତ ଦେଇ କୋହଲି କହିଥିଲେ ଦଳ ବିଶ୍ବକପ୍ରେ ବେଶ୍ ଭଲ ପ୍ରଦର୍ଶନ କରିଥିଲା। ସେମିଫାଇନାଲରେ ପରାଜୟ ପାଇଁ କାହାକୁ ଦାୟୀ କରିବାକୁ ସେ ଚାହାନ୍ତି ନାହିଁ। ପ୍ରତି ମ୍ୟାଚ୍ରେ ହାରଜିତ୍ ଲାଗି ରହିଥାଏ ଏହା କ୍ରିକେଟ୍ପ୍ରେମୀଙ୍କୁ ବୁଝିବାକୁ ପଡ଼ିବ। ସେମିଫାଇନାଲରେ ପରାଜିତ ହେବା ପରେ ସବୁ ଭାରତୀୟ କ୍ରିକେଟର୍ ଦୁଃଖିତ ହେବା ସ୍ବାଭାବିକ। ବିଶ୍ବକପ୍ ପରାଜୟ ଭାରତୀୟ ଦଳକୁ ଅଧିକ ଶକ୍ତିଶାଳୀ ଭାବେ ଗଢ଼ି ତୋଳିବ ବୋଲି କୋହଲି ଆଶାବ୍ୟକ୍ତ କରିଛନ୍ତି। ପ୍ରତିଟି ପରାଜୟ ଓ ବାଧା ତାଙ୍କୁ ଭବିଷ୍ୟତରେ ଅଧିକ ଶକ୍ତିଶାଳୀ ବ୍ୟକ୍ତି ଭାବେ ଗଢ଼ି ତୋଳିବାରେ ସହାୟକ ହୋଇଥାଏ ବୋଲି କୋହଲି କହିଛନ୍ତି। ପ୍ରତିଟି ବାଧାବିଘ୍ନ ପରେ ସେ ଏହାର କାରଣ ସଂପର୍କରେ ଗଭୀର ଭାବେ ଅନୁଧ୍ୟାନ କରିଥାନ୍ତି ଏବଂ ଏହାର ନିରାକରଣ ପାଇଁ ଯୋଜନା ପ୍ରସ୍ତୁତ କରିବା ଉପରେ ଜୋର୍ ଦେଇଥାନ୍ତି ବୋଲି କୋହଲି ସ୍ପଷ୍ଟ କରି ଦେଇଛନ୍ତି।
ଆଗାମୀ ଦିନରେ ଆଇସିସି ଟେଷ୍ଟ ଚମ୍ପିଆନସିପ୍ ଆୟୋଜିତ ହେବାକୁ ଯାଉଥିବା ବେଳେ ଏ ସଂର୍ପକରେ ତାଙ୍କ ମତ କଣ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କୋହଲି କହିଥିଲେ ଟେଷ୍ଟ ଚମ୍ପିଆନସିପ୍ ଆୟୋଜନକୁ ନେଇ ସେ ବେଶ୍ ଉତ୍ସାହିତ। ଟେଷ୍ଟ କ୍ରିକେଟର ଲୋକପ୍ରିୟତା ବୃଦ୍ଧି କରିବାରେ ଏହି ଚମ୍ପିଆନସିପ୍ ସହାୟକ ହେବ ବୋଲି ଆଶା ରହିଛି। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍ ଏହି ଟେଷ୍ଟ ଚମ୍ପିଆନସିପ୍ର ଅନ୍ତର୍ଭୁକ୍ତ ହୋଇଥିବାରୁ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବା ଲକ୍ଷ୍ୟ ନେଇ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ ବୋଲି କୋହଲି କହିଛନ୍ତି।
ସୂଚନାଥାଉକି ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେର ଯାଇ ଘରୋଇ ଦଳ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି୨୦ ଓ ଦିନିକିଆ ଏବଂ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ।
Comments are closed.