ଧୈର୍ଯ୍ୟ ଧର, ଭଲ ଦିନ ନିଶ୍ଚୟ ଆସିବ : ଜେଲ୍‌ରୁ ଭକ୍ତଙ୍କୁ ଆଶାରାମଙ୍କ ପରାମର୍ଶ

0

ଯୋଧପୁର : ନାବାଳିକା ବଳାତ୍କାର ମାମଲାରେ ଯାବଜ୍ଜୀବନ ଜେଲ୍‌ଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କର ଏକ ଭିଡିଓ ପ୍ରଚାର ହୋଇଛି; ଯେଉଁଥିରେ ସେ ‘ଭଲ ଦିନ ଆସିବ’ ବୋଲି କହୁଛନ୍ତି। ପନ୍ଦର ମିନିଟ୍‌ର ଏହି ଅଡିଓ ବା ଭିଡିଓ ଟେଲିଫୋନ୍‌ କଥାବାର୍ତ୍ତାରୁ ପ୍ରସ୍ତୁତ ହୋଇଛି। ଏହି ଏକପାଖିଆ ଅଡିଓରେ ପ୍ରଥମେ ଆଶାରାମ ତାଙ୍କ ମାମଲାର ରାୟ ପ୍ରକାଶ ଦିନ ଭକ୍ତମାନେ ଶାନ୍ତି ଓ ଧୈର୍ଯ୍ୟ ବଜାୟ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଉଛନ୍ତି। ‘ଆମେ ଆଇନ ବ୍ୟବସ୍ଥାକୁ ସମ୍ମାନ ଦେବା ଉଚିତ। ମୁଁ ଏହାକୁ ସମ୍ମାନ ଦେଉଛି। କିଛି ଲୋକ ଆମକୁ ବଦନାମ କରିବାକୁ ଓ ଆଶ୍ରମକୁ ଦଖଲ ନେବା ପାଇଁ ଉଦ୍ୟମ କରୁଛନ୍ତି। ଏଭଳି କାର୍ଯ୍ୟରେ କେହି ପ୍ରତିକ୍ରିୟାଶୀଳ ହୁଅ ନାହିଁ। ଆଶ୍ରମର ନିର୍ଦେଶକୁ କେବଳ ପାଳନ କର। ପ୍ରଥମେ ୨୦ ବର୍ଷ ଜେଲ୍‌ଦଣ୍ଡ ଭୋଗୁଥିବା ସହଅଭିଯୁକ୍ତ ଶିଳ୍ପୀ ଓ ଶରତଙ୍କ ମୁକ୍ତି ପାଇଁ ବ୍ୟବସ୍ଥା ହେଉଛି। ପିତାମାତାଙ୍କର ସେମାନଙ୍କ ପିଲାଙ୍କ ପାଇଁ ଚିନ୍ତା କରିବା ପ୍ରମୁଖ କାର୍ଯ୍ୟ। ଏମାନଙ୍କୁ ଖଲାସ କରିବା ପାଇଁ ଯଦି ଅଧିକ କିଛି ଆବଶ୍ୟକ ହୁଏ; ତେବେ ବ୍ୟବସ୍ଥା କରାଯିବ। ପରେ ବାପୁ(ନିଜ)ଙ୍କୁ ଜେଲ୍‌ରୁ ବାହାର କରାଯିବା କଥା ଚିନ୍ତା କରାଯିବ। ତଳ କୋର୍ଟରେ ଭୁଲ୍‌ ଥିଲେ ଉପର କୋର୍ଟରେ ଏହାର ସଂଶୋଧନ ହେବ। ସତ୍ୟ କେବେ ଲୁଚି ରହି ନାହିଁ କିମ୍ବା ଛିଡ଼ା ହେବା ପାଇଁ ମିଛର ଗୋଡ଼ ନାହିଁ। ସବୁ ଅଭିଯୋଗ ଅବାସ୍ତବ। ଧୈର୍ଯ୍ୟ ଧର, ନିଶ୍ଚୟ ଭଲ ଦିନ ଆସିବ’ ବୋଲି କହୁଥିବା ଶୁଣାଯାଉଛି। ଏହି ଫୋନ୍‌ ବାର୍ତ୍ତାଳାପ ସମ୍ପର୍କରେ ଜେଲ୍‌ ଡିଆଇଜି ବିକ୍ରମ ସିଂହଙ୍କୁ ପଚରାଯିବାରେ ସେ କହିଛନ୍ତି ଯେ ବନ୍ଦୀମାନଙ୍କୁ ସେମାନେ ଦେଇଥିବା ନମ୍ବରରେ ପ୍ରତ୍ୟହ ୮୦ମିନିଟ୍‌ କଥାବାର୍ତ୍ତାର ସୁଯୋଗ ମିଳିଥାଏ। ଆଶାରାମ ଶୁକ୍ରବାର ସନ୍ଧ୍ୟା ୬.୩୦ରେ ଫୋନ୍‌ରେ କଥା ହୋଇଥିଲେ। ଏହା ତାର ଅଂଶବିଶେଷ ହୋଇଥାଇପାରେ।

Leave A Reply