ଖିଲାଡିଙ୍କ ଖେଳ
ମୁମ୍ବଇ : ୯୦ ଦଶକରେ ବଲିଉଡରେ କାମ ଆରମ୍ଭ କରିଥିଲେ ଅକ୍ଷୟ କୁମାର। ସେତେବେଳେ ପରିସ୍ଥିତି ଆଦୌ ଭଲନଥିଲା। ବଡ଼ ବ୍ୟାନର୍ର ଚଳଚ୍ଚିତ୍ର ମିଳିଯାଉ, ଏଇ ଆଶାରେ ରହୁଥିଲେ ଖିଲାଡି ଅକ୍ଷୟ। ତାଙ୍କ ଆଶା କିଛି ମଧ୍ୟ ଫଳପ୍ରଦ ହୋଇନଥିଲା। ବର୍ଷ ପରେ ବର୍ଷ ଷ୍ଟ୍ରଗଲ୍ କଲେ ସେ, ଶେଷରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ ଏଇ ଅଭିନେତା। ଗତ କିଛି ବର୍ଷ ହେଲା, ଅକ୍ଷୟ ଏଭଳି ଧରଣର ଚଳଚ୍ଚିତ୍ରରେ କାମ କରୁଛନ୍ତି, ଯେଉଁଗୁଡ଼ିକ ଜନସାଧାରଣଙ୍କୁ ଉତ୍ତମ ବାର୍ତ୍ତା ଦେଇପାରିବ। ତନ୍ମଧ୍ୟରୁ ସବୁଠୁ ଅଧିକ ଲୋକଲୋଚନକୁ ଆସିଥିଲା ‘ପ୍ୟାଡ୍ମ୍ୟାନ୍’ ଚଳଚ୍ଚିତ୍ର। ନିକଟରେ ମାର୍ଚ୍ଚ ୨୧ରେ ତାଙ୍କ ଅଭିନୀତ ‘କେଶରୀ’ ମୁକ୍ତିଲାଭ କରିଛି। ୭ଦିନରେ ଚଳଚ୍ଚିତ୍ରଟି ୧୦୦କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିସାରିଲାଣି। ୧୦୦କୋଟି କ୍ଲବ୍ରେ ସାମିଲ ହେବା ଅକ୍ଷୟଙ୍କ ପାଇଁ ସେଭଳି କିଛି ନୂଆ କଥାନୁହେଁ। ଏହା ପୂର୍ବରୁ ରଜନୀକାନ୍ତ ଓ ଅକ୍ଷୟ ଅଭିନୟ କରିଥିବା ‘୨.୦’ ମାତ୍ର ୫ଦିନରେ ୧୦୦କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିଲା। କେଶରୀ ତାଙ୍କ ଅଭିନୀତ ୧୦ମ ଚଳଚ୍ଚିତ୍ର ଯାହା ୧୦୦କୋଟି କ୍ଲବ୍ରେ ସାମିଲ ହୋଇଛି। ବଲିଉଡର ସୁଲତାନ୍ ଭାବେ ଜଣାଯାଉଥିବା ସଲମାନ୍ ଖାନ୍ଙ୍କ ଅଭିନୀତ ୧୪ଟି ଚଳଚ୍ଚିତ୍ର ୧୦୦କୋଟିରେ, ଅଜୟ ଦେବଗନ୍ ଅଭିନୀତ ୮ଟି ଚଳଚ୍ଚିତ୍ର, କିଙ୍ଗ୍ ଖାନ୍ ଶାହରୁଖ୍ ଅଭିନୀତ ୭ଟି ଚଳଚ୍ଚିତ୍ର ଓ ଅମୀର ଖାନ୍ ଅଭିନୀତ ୫ଟି ଚଳଚ୍ଚିତ୍ର ଏଇ କ୍ଲବ୍ରେ ସାମିଲ ହୋଇଛି। ଯୁବ କଳାକାରଙ୍କ ମଧ୍ୟରେ ରଣବୀର ସିଂ ଅଭିନୀତ ୫ଟି ଚଳଚ୍ଚିତ୍ର, ରଣବୀର କପୁର ଅଭିନୀତ ୪ଟି ଚଳଚ୍ଚିତ୍ର ଓ ବରୁଣ ଧୱନ୍ ଅଭିନୀତ ୨ଟି ଚଳଚ୍ଚିତ୍ର ୧୦୦କୋଟି କ୍ଲବ୍ରେ ସାମିଲ ହୋଇଥିବାର ପ୍ରକାଶ।