ଅମିରଙ୍କ ଓଜନ କମ୍‌ କସରତ

0

ମୁମ୍ବଇ : ବଲିଉଡର ଶ୍ରୀମାନ୍ ପରଫେକ୍ସନିଷ୍ଟ ଭାବେ ଜଣାଯାଉଥିବା ଅମୀର ଖାନ୍ ଖୁବ୍ ଶୀଘ୍ର ଆଗାମୀ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଢ଼ା’ର ସୁଟିଂରେ ଯୋଗଦେବେ। ଗତ ନଭେମ୍ବରରେ ତାଙ୍କ ଅଭିନୀତ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସ୍‌ରେ ଧରାଶାୟୀ ହୋଇଥିଲା। ଏଣୁ ଆଗାମୀ ପଦକ୍ଷେପ ନେବା ପୂର୍ବରୁ ସେ ଭଲଭାବେ ସଚେତନ। ଏଥରକ ଦର୍ଶକଙ୍କ ସମ୍ମୁଖକୁ ଏକ ନୂଆ ରୂପରେ ଆସିବେ ବୋଲି ଅମୀର ସ୍ପଷ୍ଟ କରିଛନ୍ତି। କିଛିଦିନ ତଳେ ଏକ ପୁସ୍ତକ ଉନ୍ମୋଚନ ଅବସରରେ ଅମୀର କହିଛନ୍ତି ହଲିଉଡ ଚଳଚ୍ଚିତ୍ର ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରୂପାନ୍ତର ହେବ ‘ଲାଲ ସିଂହ ଚଢ଼ା’। ଏଇ ଚରିତ୍ର ପାଇଁ ତାଙ୍କୁ ୨୦କିଲୋ ଓଜନ କମ୍ କରିବାକୁ କୁହାଯାଇଛି। ୨ ସପ୍ତାହ ତଳେ ସେ ଡାଏଟ୍ ଚାର୍ଟ ସହ କସରତ୍ ଆରମ୍ଭ କରିଛନ୍ତି। ନାମୀ ଡାଏଟିସିଆନ୍ ଡାକ୍ତର ନିଖିଳ ଧୁରନ୍ଧରଙ୍କ ପରାମର୍ଶରେ ଅମୀର ନିଜ ଖାଦ୍ୟପାନୀୟରେ ସତର୍କତା ଅବଲମ୍ବନ କରୁଥିବାର ପ୍ରକାଶ। ମାତ୍ର ୨ ସପ୍ତାହରେ ତାଙ୍କର ଦେଢ଼ କିଲୋ ଓଜନ କମିଥିବାର ଅମୀର କହିଛନ୍ତି। ଆମିଷ ପ୍ରିୟ ଶ୍ରୀମାନ୍ ପରଫେକ୍ସନିଷ୍ଟ ଆଗାମୀ ୬ ମାସ ପର୍ଯ୍ୟନ୍ତ ଶାକାହାରୀ ଭୋଜନ କରିବେ। ଏବେ ସେ ଭାତ, ଡାଲି ଓ ସିଝା ଖାଦ୍ୟ ଖାଉଛନ୍ତି। ବିଦେଶ ଗସ୍ତ ସମୟରେ ମଧ୍ୟ ଡାକ୍ତର ଧୁରନ୍ଧରଙ୍କ ନିୟମକୁ ପାଳନ କରୁଛନ୍ତି ଅମୀର। ମନଦୁଃଖରେ ସେ କହିଛନ୍ତି, ମୁଁ ଖାଦ୍ୟପ୍ରିୟ ମଣିଷଟେ। ସାମ୍ନାରେ ସୁଆଦିଆ ଖାଦ୍ୟ ଦେଖି ଲୋଭ ସମ୍ବରଣ କରିବା ମୋ ପାଇଁ ବଡ଼ ଚ୍ୟାଲେଞ୍ଜ୍, କିନ୍ତୁ ପ୍ରଶଂସକଙ୍କୁ ଠକିବିନି, ଏଇ ସର୍ତ୍ତରେ କାମ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ‘ରଙ୍ଗ ଦେ ବସନ୍ତୀ’ ଚଳଚ୍ଚିତ୍ରର ସୁଟିଂ ସମୟରେ ‘ଲାଲ ସିଂ ଚଢ଼ା’ର କାହାଣୀ ତାଙ୍କ ମନରେ ଉଙ୍କି ମାରିଥିଲା। ଏବେ ସମୟ ଆସିଛି, ଏଣୁ ପୂରା ପ୍ରସ୍ତୁତିରେ ସେ ଆଗଉଛନ୍ତି।

Leave A Reply