ଶ୍ରୀକାନ୍ତଙ୍କୁ ହରାଇ ଆକ୍ସେଲସେନ ଚମ୍ପିଆନ

0

ନୂଆଦିଲ୍ଲୀ : ଡେନମାର୍କର ଭିକ୍ଟୋର ଆକ୍ସେଲସେନ ଏଠାରେ ଚାଲିଥିବା ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍‌ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୨ୟ ସିଡ୍‌ ଆକ୍ସେଲସେନ ୨୧-୧୭, ୨୨-୨୦ ଗେମରେ ୩ୟ ସିଡ୍‌ ମାନ୍ୟତାପ୍ରାପ୍ତ ଭାରତୀୟ ଖେଳାଳି କିଦାମ୍ବି ଶ୍ରୀକାନ୍ତଙ୍କୁ ପରାସ୍ତ କରିଛନ୍ତି।
ଏହି ମୁକାବିଲା ୩୬ ମିନିଟ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଗେମରେ ଶ୍ରୀକାନ୍ତ ଏକପ୍ରକାର ଆତ୍ମସମର୍ପଣ କରିଥିବାବେଳେ ଦ୍ବିତୀୟ ଗେମରେ ଆକ୍ସେଲସେନଙ୍କୁ କଡା ଟକ୍କର ଦେଇଥିଲେ। ଏହି ଗେମରେ ଦୁଇ ଖେଳାଳି ୧୭-୧୭ ପଏଣ୍ଟ ପର୍ଯ୍ୟନ୍ତ ଲଢେଇ ଜାରି ରଖିଥିବା ବେଳେ ଶ୍ରୀକାନ୍ତ ପୁଣି ୨୦-୧୮ରେ ଆଗେଇ ଯାଇଥିଲେ। ତେବେ ଆକ୍ସେଲସେନ ଚମତ୍କାର ପ୍ରଦର୍ଶନ ବଳରେ ଏହି ବ୍ୟବଧାନକୁ ହ୍ରାସ କରିବା ସହ ୨୨-୨୦ରେ ଜିତି ଚମ୍ପିଆନ ହୋଇଥିଲେ। ଅପରପକ୍ଷରେ ଥାଇଲାଣ୍ଡର ରାତ୍‌ଚାନୋକ୍‌ ଇନ୍ତାନନ୍‌ ଚଳିତ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଫାଇନାଲ ମ୍ୟାଚରେ ୪ର୍ଥ ସିଡ୍‌ ଇନ୍ତାନନ୍‌ ସିଧାସଳଖ ୨୧-୧୫, ୨୧-୧୪ ଗେମରେ ୩ୟ ସିଡ୍‌ ଚୀନର ହି ବିଙ୍ଗ୍‌ଜିଆଓଙ୍କୁ ପରାସ୍ତ କରିଛନ୍ତି। ସୂଚନାଯୋଗ୍ୟ ବିଙ୍ଗ୍‌ଜିଆଓ ସେମିଫାଇନାଲରେ ଭାରତର ପିଭି ସିନ୍ଧୁଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ।

Leave A Reply