ପୋଷ୍ୟ ସନ୍ତାନ ବନାମ ଶିଶୁ ସୁରକ୍ଷା

0

ନିରଞ୍ଜନ ମହାନ୍ତି

prayash

ଶିଶୁ ପାଖରେ ନିଜ ପର ବିଚାର ନଥାଏ। ଯାହାକୁ ଦେଖିଲେ ବି ସେ ହସେ ଓ ତାକୁ କିଏ କୋଳେଇ ନେଉ, ସେ ଏକଥା ଚାହେଁ। ଆମ ଦେଶରେ ଶିଶୁ ଅବହେଳିତ। ଶିଶୁ ସୁରକ୍ଷା ଏକ ପ୍ରଶ୍ନବାଚୀ ହୋଇ ଆମ ସମାଜରେ ଠିଆ ହୋଇଛି। ପ୍ରତ୍ୟେକ ଶିଶୁ ଚାହେଁ ପିତାମାତା ଓ ପରିବାରରେ ତା’ର ରକ୍ଷଣାବେକ୍ଷଣ। ବହୁ ଶିଶୁ ଅସମୟରେ ପାରିବାରିକ ସ୍ନେହମମତା ଓ ଯତ୍ନରୁ ବଞ୍ଚିତ ହୋଇ ଝଡ଼ି ପଡ଼ୁଛନ୍ତି। ବିଶେଷ କରି ଅନଗ୍ରସର ଦେଶଗୁଡ଼ିକରେ ଶିଶୁ ଅଯତ୍ନର ସ୍ଥିତି ବେଶ୍‌ ଗମ୍ଭୀର। ଆମେ ଭୁଲିଯିବା ଉଚିତ ନୁହେଁ ଯେ ଶିଶୁ ଏକ ସାମାଜିକ ସଂପଦ। ଯେଉଁ ଶିଶୁମାନେ ଅସହାୟ ଓ ପରିତ୍ୟକ୍ତ ଅବସ୍ଥାରେ ରାସ୍ତାକୁ ଆସୁଛନ୍ତି, ସେମାନେ ସମସ୍ତେ ଭଗ୍ନଗୃହରୁ ସୃଷ୍ଟି। ସେମାନଙ୍କୁ ସୁସ୍ଥ ପାରିପାର୍ଶ୍ବିକ ଅବସ୍ଥା ଓ ସଂପୂର୍ଣ୍ଣ ଭାବେ ଗୃହ ଅଧିକାର ଦେବାପାଇଁ ୧୯୮୯ ମସିହାରେ ଜାତିସଂଘ ସମ୍ମିଳନୀରେ ଏବଂ ୧୯୯୩ ମସିହାରେ ହେଗ୍‌ ସମ୍ମିଳନୀରେ ସ୍ବର ଉଠିଥିଲା। ଶିଶୁ ସୁରକ୍ଷା ଅଧିକାର ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଥିଲା।
ସେହି ସମ୍ମିଳନୀରେ ଶିଶୁ ସୁରକ୍ଷା ସ୍ଥିତି ଆକଳନ କରାଯାଇ ବିଶ୍ବକୁ ଦୁଇ ଭାଗରେ ବିଭକ୍ତ କରାଗଲା। ଗୋଟିଏ ହେଲା, ଶିଶୁ ଅବହେଳିତ ହେଉଥିବା ସଂଖ୍ୟାଧିକ ଅନଗ୍ରସର ଦେଶ, ଆଉ ଗୋଟିଏ ହେଲା ଶିଶୁ ଅବହେଳିତ ହେଉନଥିବା ସଂଖ୍ୟାନ୍ୟୂନ ଦେଶ। ଅନଗ୍ରସର ଦେଶଗୁଡ଼ିକରୁ ଅବହେଳିତ ଶିଶୁମାନଙ୍କୁ ଅବହେଳିତ ହେଉନଥିବା ଦେଶଗୁଡ଼ିକରେ ପୋଷ୍ୟସନ୍ତାନ ଭାବେ ପରିବାରରେ ଥଇଥାନ କରାଯିବ। ପୋଷ୍ୟସନ୍ତାନ ଭାବେ ଯେଉଁ ଦେଶଗୁଡ଼ିକରୁ ଶିଶୁମାନଙ୍କୁ ପଠାଯାଉଛି, ସେହି ଦେଶଗୁଡ଼ିକର ତାଲିକାରେ ସାମିଲ ହୋଇଛନ୍ତି ଭାରତ, ଚୀନ, ନେପାଳ, ଶ୍ରୀଲଙ୍କା, କୋରିଆ , ଭିଏତନାମ, ପାକିସ୍ତାନ ଓ ଦକ୍ଷିଣଆଫ୍ରିକୀୟ ଦେଶ।
ଏହି ପରିପ୍ରେକ୍ଷୀରେ ଭାରତ ଏକ ପୋଷ୍ୟ ସନ୍ତାନ ପ୍ରେରଣକାରୀ ଦେଶ। ଶିଶୁ କାହାର ନିଜସ୍ବ ସଂପଦ ନୁହେଁ। ନିଜର ପିତାମାତା ମଧ୍ୟ ଶିଶୁକୁ ନିର୍ଯାତନା ଦେଇପାରିବେ ନାହିଁ। ଶିଶୁର ଅଧିକାର ଆଇନ୍‌ସମ୍ମତ। ପୋଷ୍ୟ ସନ୍ତାନ ଏପରି ଏକ ପ୍ରକ୍ରିୟା, ଯେଉଁଠି କୌଣସି ନିଃସନ୍ତାନ ପରିବାର ଶିଶୁକୁ ଅନାଦର କରିପାରନ୍ତି ନାହିଁ। ସ୍ବଭାବତଃ ସେମାନେ ଶିଶୁକୁ ଆଦର କରି ଭଲ ପାଇବା ଭିତ୍ତିରେ ନିଜନିଜ ପରିବାରକୁ ନେଇଥାନ୍ତି- ବିଦେଶୀ ପରିବାର ହେଉ ଅବା ଦେଶୀୟ। ଶିଶୁକୁ କୋଳେଇ ନେବାରେ ଜନ୍ମିତ କିମ୍ବା ଅଜନ୍ମିତ ପ୍ରଶ୍ନ ଉଠେ ନାହିଁ। ଶିଶୁଟି ଆଇନ ସମ୍ମତ ଭାବେ ଦୁଇପ୍ରକାରରେ ପୋଷ୍ୟ ସନ୍ତାନ ହିସାବରେ ପରିବାରକୁ ଆସିଥାଏ। ଗୋଟିଏ ହେଲା ହିନ୍ଦୁ ଆଡ଼ପ୍‌ସନ୍‌ ମେଣ୍ଟେନାନ୍ସ ଆକ୍ଟ (ହାମା) ଏବଂ ଆଉ ଗୋଟିଏ ହେଲା ଗାର୍ଡ଼ିଆନ୍‌ସିପ୍‌ ଆଣ୍ଡ ୱାର୍ଡ ଆକ୍ଟ (ଗାୱା) ଅନୁସାରେ। ’ହାମା’ ଅନୁସାରେ ଆମ ଦେଶରେ ନିଃସନ୍ତାନ ଦମ୍ପତ୍ତି ପୋଷ୍ୟ ସନ୍ତାନ ଗ୍ରହଣ କରିପାରୁଥିବା ବେଳେ ବିଦେଶୀ ଦମ୍ପତିମାନେ ’ଗାୱା’ ଅନୁସାରେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରୁଛନ୍ତି।
ଏହି ଦୁଇ ଆଇନକୁ କାର୍ଯ୍ୟକାରୀ କରୁଛନ୍ତି କେନ୍ଦ୍ର ସରକାରଙ୍କ ସଂସ୍ଥା ସେଣ୍ଟ୍ରାଲ ଆଡ଼ପସନ୍‌ ରିସୋ​‌େ​‌ର୍ସସ୍‌ ଅଥରିଟି ବା ’କାରା’ ଏବଂ ପ୍ରାଦେଶିକ ସ୍ତରରେ ଷ୍ଟେଟ ଆଡ଼ପସନ୍‌ ରିସୋର୍ସେସ ଏଜେନ୍ସି ବା ’ସାରା’। ଏହି ଦୁଇ ସଂସ୍ଥା ଆଇନ୍‌ସମ୍ମତ ଭାବେ ପୋଷ୍ୟ ସନ୍ତାନ ପ୍ରକ୍ରିୟାକୁୁ ତ୍ବରାନ୍ବିତ କରିଥାନ୍ତି ଶିଶୁ ଓ କିଶୋର ନ୍ୟାୟ ଆଇନ ଅନୁସାରେ। ଏହି ଆଇନକୁ ଅନୁସରଣ କରି ଜିଲା ଅଦାଲତ ପୋଷ୍ୟ ସନ୍ତାନ ଗ୍ରହଣକାରୀ ଦମ୍ପତିମାନଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଅନୁମତି ପ୍ରଦାନ କରିଥାନ୍ତି। ଏହାଫଳରେ ପୋଷ୍ୟ ସନ୍ତାନଟି ପରିବାର ମଧ୍ୟରେ ନିଜ ପାଳନକାରୀ ପିତାମାତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରିଥାଏ।
କିଶୋର ନ୍ୟାୟ ଆଇନକୁ କାର୍ଯ୍ୟକାରୀ କରିବାରେ ସରକାରୀ ସ୍ତରରେ ଇଣ୍ଟିଗ୍ରେଟେଡ୍‌ ଚାଇଲ୍ଡ ପ୍ରୋଟେକ୍ସନ ସର୍ଭିସେସ୍‌ ଏବଂ ଓଡ଼ିଶା ଚାଇଲ୍ଡ ପ୍ରୋଟେକ୍ସନ ସର୍ଭିସେସ୍‌ ଗଠିତ ହୋଇଛି। ଜିଲାସ୍ତରରେ ମଧ୍ୟ ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍‌ କାର୍ଯ୍ୟ କରୁଛି। ସେହିପରି ଆଇନର ସୁରକ୍ଷା ନିମନ୍ତେ ଜିଲା ସ୍ତରରେ ଚାଇଲ୍ଡ ୱେଲଫେୟାର କମିଟି ବା ସିଡବ୍ଲ୍ୟୁସି ଗଠନ କରାଯାଇଛି।
ଓଡ଼ିଶାରେ ଅନ୍ୟୂନ ୩୦୦ଟି ଶିଶୁ ଯତ୍ନ ଅନୁଷ୍ଠାନ ବେସରକାରୀ ସ୍ତରରେ କାର୍ଯ୍ୟ କରୁଥିବାବେଳେ ପୋଷ୍ୟ ସନ୍ତାନ କାରବାର ପ୍ରକ୍ରିୟାରେ ୨୬ଟିର ଅନୁଷ୍ଠାନ କାର୍ଯ୍ୟ କରିଆସୁଛନ୍ତି। କେତେକ ଜିଲାରେ ଗୋଟିଏ ଲେଖାଏଁ ଶିଶୁ କଲ୍ୟାଣ ଅନୁଷ୍ଠାନ ସରକାରୀ ସହାୟତାରେ କାର୍ଯ୍ୟ କରୁଥିବାବେଳେ ଆଉ କେତେକ ଜିଲାରେ ଏକାଧିକ ଅନୁଷ୍ଠାନ କାର୍ଯ୍ୟ କରି ଆସୁଛନ୍ତି।
ପୋଷ୍ୟ ସନ୍ତାନ ପ୍ରଦାନ ଓ ଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣଭାବେ ଏକ ଆଇନଗତ ପ୍ରକ୍ରିୟା, ଯେଉଁଥିରେ ସରକାରୀ ସଂସ୍ଥା, ଅଦାଲତ ଓ ସରକାର ଅନୁମୋଦିତ ବେସରକାରୀ ସଂସ୍ଥା ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି ଅସହାୟ ଶିଶୁଟିର ଉପଯୁକ୍ତ ଥଇଥାନ ଉଦ୍ଦେଶ୍ୟରେ। ଏବେ କୌଣସି ଅନୁଷ୍ଠାନ ସରକାରଙ୍କ ବିନାନୁମତିରେ ପୋଷ୍ୟ ସନ୍ତାନ ନିଜ ଇଚ୍ଛାନୁସାରେ କାହାରିକୁ ପ୍ରଦାନ କରିପାରିବେ ନାହିଁ। ଅଦାଲତର ବିନା ଅନୁମୋଦନରେ ପରିବାରକୁ ଶିଶୁଟି ପୋଷ୍ୟ ସନ୍ତାନ ଭାବେ ଯାଇପାରିବ ନାହିଁ। ଶିଶୁଟିର ମଙ୍ଗଳ ଓ ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ଉପରୋକ୍ତ ବ୍ୟବସ୍ଥା ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯାଇଆସୁଛି।
କୋଳଥିଆ, ଭୁବନେଶ୍ବର

kalyan agarbati
Leave A Reply