ସାରଦା ଚିଟଫଣ୍ଡ ଦୁର୍ନୀତି; ସିବିଆଇ ରିପୋର୍ଟକୁ ‘ଅତ୍ୟନ୍ତ ସାଂଘାତିକ’ କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତର ସ୍ଥିତି ରିପୋର୍ଟ କଲକତାର ପୂର୍ବତନ ପୁଲିସ୍ କମିଶନର ରାଜୀବ କୁମାରଙ୍କ ଚିନ୍ତା ବଢାଇ ଦେଇଛି। ସୁପ୍ରିମକୋର୍ଟରେ ମଙ୍ଗଳବାର ସିବିଆଇ ପକ୍ଷରୁ ରାଜୀବଙ୍କୁ ପଚରାଉଚୁରା ନେଇ ଦାଖଲ ତଦନ୍ତର ସ୍ଥିତି ରିପୋର୍ଟକୁ କୋର୍ଟ ‘ଅତ୍ୟନ୍ତ ସାଂଘାତିକ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍ ଦୀପକ ପୁପ୍ତା ଏବଂ ଜଷ୍ଟିସ୍ ସଂଜୀବ ଖନ୍ନାଙ୍କ ପୀଠ କହିଛନ୍ତି ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଦିଆଗଲେ ସେଥିପ୍ରତି ଆଖୁ ବୁଜି ହେବନି। ପୀଠ ଏହାସହ ରାଜୀବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିବାକୁ ସିବିଆଇକୁ ନିର୍ଦେଶ ଦେଇଛନ୍ତି। ପୀଠ ସିବିଆଇକୁ ଆବେଦନ ପାଇଁ ୧୦ ଦିନର ସମୟ ଦେଇଛନ୍ତି। ଏହାପରେ ଉକ୍ତ ମାମଲାରେ ସମ୍ପୃକ୍ତ ରାଜୀବ କୁମାର ଏବଂ ଅନ୍ୟମାନଙ୍କୁ ଜବାବ ଦାଖଲ ପାଇଁ ୭ ଦିନ ସମୟ ଦିଆଯିବ ବୋଲି କୋର୍ଟ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ତଦନ୍ତ ଦାୟିତ୍ୱ ପ୍ରଥମେ ରାଜୀବ କୁମାରଙ୍କ ନେତୃତ୍ୱରେ ଗଠିତ ତଦନ୍ତକାରୀ ଦଳକୁ ଦିଆଯାଇଥିଲା। ସିବିଆଇ ରିପୋର୍ଟ ପରେ ଅନ୍ୟ ପକ୍ଷକୁ ନିଜ କଥା ରଖିବାକୁ ସମୟ ଦିଆଯିବ। ଏହାପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ସହଯୋଗ କରୁନଥିବା ତଥା ପ୍ରମାଣ ନଷ୍ଟ କରିଥିବା ମାମଲାରେ ପଶ୍ଚିମବଙ୍ଗର ପୁଲିସ୍ ମହାନିର୍ଦେଶକ ତଥା ତତ୍କାଳୀନ କଲକତା ପୁଲିସ କମିଶନରଙ୍କ ସମେତ କେତେକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସିବିଆଇର ଅବମାନନା ମାମଲାର ଶୁଣାଣି କରୁଛି।
ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଫେବୃଆରୀ ମାସରେ ପଚରାଉଚୁରା ପାଇଁ ସିବିଆଇର ଏକ ଦଳ ରାଜୀବଙ୍କ ଘରେ ପହଞ୍ଚିବା ପରେ ବିବାଦ ଆରମ୍ଭ ହୋଇଥିଲା। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଥିଲେ। ସୁପ୍ରିମକୋର୍ଟ ଏହି ମାମଲାରେ ଶିଲୋଂସ୍ଥିତ ସିବିଆଇ କାର୍ଯ୍ୟାଳୟରେ ରାଜୀବଙ୍କୁ ହାଜର ହେବା ପାଇଁ ନିର୍ଦେଶ ଦେଇଥିଲେ। ତେବେ ରାଜୀବଙ୍କୁ ଗିରଫ କରାଯିବ ନାହିଁ ବୋଲି କୋର୍ଟ କହିଥିଲେ। ଏ କ୍ରମରେ ରାଜୀବ ସିବିଆଇର ଶିଲୋଂସ୍ଥିତ କାର୍ଯ୍ୟାଳୟରେ ପହଞ୍ଚି ଜେରାର ସମ୍ମୁଖୀନ ହୋଇଥିଲେ।