ଶାରଦା ପୀଠ କରିଡର ଖୋଲିବାକୁ ପାକିସ୍ତାନର ମଞ୍ଜୁରୀ, ୫୦୦୦ ବର୍ଷ ପୁରୁଣା ମନ୍ଦିରକୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
ନୂଆଦିଲ୍ଲୀ : ଶିଖଙ୍କ ଧର୍ମପୀଠ କରତାରପୁର କରିଡର ପରେ ହିନ୍ଦୁଙ୍କ ଧର୍ମସ୍ଥଳ ଶାରଦା ପୀଠ କରିଡର ଖୋଲିବାକୁ ପାକିସ୍ତାନ ମଞ୍ଜୁରୀ ପ୍ରଦାନ କରିଛି। ଶାରଦା ପୀଠ ମନ୍ଦିର ପାକ ଅଧିକୃତ କାଶ୍ମୀର (ପିଓକେ)ରେ ରହିଛି। ଏହା କାଶ୍ମୀରର କୁପୱାଡ଼ାଠାରୁ ପାଖାପାଖି ୨୨ କିଲୋମିଟର ଦୂରରେ ରହିଛି। ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏନେଇ ଖୁବଶୀଘ୍ର ଘୋଷଣା କରାଯିବ। ଶାରଦା ପୀଠ ହେଉଛି ହିନ୍ଦୁଙ୍କ ୫୦୦୦ ବର୍ଷ ପୁରୁଣା ଧର୍ମସ୍ଥଳ। ଏହାକୁ ମୌର୍ଯ୍ୟ ବଂଶର ମହାରାଜା ଅଶୋକ ଖ୍ରୀଷ୍ଟପୂର୍ବ ୨୩୭ରେ ସ୍ଥାପନ କରିଥିଲେ।
ଉଲ୍ଲେଖ ଯେ କାଶ୍ମୀର ପଣ୍ଡିତମାନେ ସୀମା ପାରରେ ଥିବା ଶାରଦା ପୀଠକୁ ଖୋଲିବା ପାଇଁ ଦାବି କରି ଆସୁଥିଲେ। ଜାମ୍ମୁ କାଶ୍ମୀରର ପ୍ରମୁଖ ରାଜନୈତିକ ଦଳ ପିଡ଼ିପି ମଧ୍ୟ କାଶ୍ମୀର ପଣ୍ଡିତଙ୍କ ଦାବିକୁ ସମର୍ଥନ ଜଣାଇଥିଲା। କରତାରପୁର କରିଡ଼ର ପାଇଁ ଭିତ୍ତପ୍ରସ୍ତର ସ୍ଥାପନ ଅବସରରେ ଅନ୍ୟ ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିବା ପରେ କାଶ୍ମୀର ପଣ୍ଡିତଙ୍କ ଆଶା ଉଜ୍ଜୀବୀତ ହୋଇଥିଲା।
ଶାରଦା ମନ୍ଦିର ଅତି ପ୍ରାଚୀନ। ନୀଲମ ଘାଟିସ୍ଥିତ ଶାରଦା ବିଶ୍ୱବିଦ୍ୟାଳୟରେ ଏବେ ବି ଏହି ପ୍ରାଚୀନ ମନ୍ଦିର ଅବଶେଷ ମିଳୁଛି। ଶାରଦା ମନ୍ଦିର ମୁଜାଫରାବାଦଠାରୁ ୧୬୦ କିଲୋମିଟର ଦୂର ନିୟନ୍ତ୍ରଣ ରେଖା ନିକଟରେ ଥିବା ଶାରଦା ଗ୍ରାମରେ ଅବସ୍ଥିତ। ଏହି ଗ୍ରାମ ନିକଟରେ ନୀଲମ, ମଧୁମତୀ ଏବଂ ସରଗୁନ ନଦୀର ମିଳନ ସ୍ଥଳୀ ରହିଛି। ଶାରଦା ମନ୍ଦିର ପରିଦର୍ଶନରେ ଯିବା ପାଇଁ କାଶ୍ମୀର ପଣ୍ଡିତମାନେ ଏକ ଶାରଦା କମିଟି ଗଠନ କରିଛନ୍ତି। ଏହି କମିଟି ଶାରଦା ମନ୍ଦିର ଯାତ୍ରା ପାଇଁ ଅନୁମତି ଆଣିବାକୁ ପ୍ରୟାସ ଚଳାଇଛି। କମିଟି ପାକିସ୍ତାନ ଏବଂ ଭାରତ ସରକାରଙ୍କୁ ପତ୍ର ଲେଖି ଏ ବିଷୟରେ ଅବଗତ କରାଇଛି। କମିଟି ସଭାପତି ରବିନ୍ଦ୍ର ପଣ୍ଡିତ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶାରଦା ପୀଠ ଖୋଲିବା ବିଷୟରେ ବିଚାର କରୁଥିବା ଶୁଣିବାକୁ ମିଳିଛି। ଏହା କାଶ୍ମୀର ପଣ୍ଡିତଙ୍କ ଆଶାକୁ ବଢାଇ ଦେଇଛି। ୨୦୦୭ରୁ ଆମ ପାଖରେ ନିୟନ୍ତ୍ରଣ ରେଖା ପାର ଯିବାର ଅନୁମତିପତ୍ର (ପରିମିଟ୍) ରହିଛି। କିନ୍ତୁ ଏହା କେବଳ ନିଜ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଉଦ୍ଧିଷ୍ଟ। ଆମେ ଶାରଦା ମନ୍ଦିରକୁ ଯିବା ପାଇଁ ଅନୁମତି ଚାହୁଁଛୁ। ସେଠାକୁ ତୀର୍ଥଯାତ୍ରା ପାଇଁ ଅନୁମତି ମାଗୁଛୁ। କାଶ୍ମୀର ପଣ୍ଡିତମାନେ କହିଛନ୍ତି ଯେ ଶାରଦା ହେଉଛନ୍ତି ତାଙ୍କ କୂଳଦେବୀ ବା ଅରାଧ୍ୟ ଠାକୁରାଣୀ। ମନ୍ଦିରକୁ ଯିବା ପାଇଁ ୩ରୁ ୪ଟି ପାରମ୍ପରିକ ରାସ୍ତା ଅଛି। ପରିମିଟ୍କୁ ଶାରଦା ମନ୍ଦିର ଦର୍ଶନ ପର୍ଯ୍ୟନ୍ତ ବଢାଇବାକୁ ଦାବି ଉପସ୍ଥାପନ କରାଯାଇଛି।
ଶ୍ରୀନଗରଠାରୁ ପାଖାପାଖି ୧୩୦ କିଲୋମିଟର ଦୂରରେ ଅବସ୍ଥିତ ଶାରଦା ପୀଠ ହେଉଛି ପ୍ରସିଦ୍ଧ ୧୮ଟି ଶକ୍ତୀ ପୀଠରୁ ଗୋଟିଏ। ହିନ୍ଦୁ ଲୋକକଥା ଅନୁସାରେ ମହାଦେବ ଶିବଙ୍କ ତାଣ୍ଡବ ନାଚ ସମୟରେ ଏଠାରେ ଦେବୀ ସତୀଙ୍କ ଡାହାଣ ହାତ ପଡ଼ିଥିଲା। ଋଷି କାଶ୍ୟପଙ୍କ ନାମ ଅନୁସାରେ ଏହି ମନ୍ଦିର କାଶ୍ୟପୁର ନାମରେ ମଧ୍ୟ ଚିହ୍ନିତ ହୋଇଥାଏ। ଶାରଦା ପୀଠରେ ଦେବୀ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ବୈଦିକ କାଳନରେ ଏହା ଏକ ଶିକ୍ଷା କେନ୍ଦ୍ର ଭାବେ ଜଣାଶୁଣା ଥିଲା। ମାନ୍ୟତା ଅନୁସାରେ ଏଠାରେ ଋଷି ପାଣିନୀ ଅଷ୍ଟାଧ୍ୟାୟୀ ରଚନା କରିଥିଲେ।