ନିଜେ ମାମଲା ଲଢ଼ିବ ଆତଙ୍କବାଦୀ ଟାରାଣ୍ଟ

0

କ୍ରିଷ୍ଟଚର୍ଚ୍ଚ : ନ୍ୟୁଜିଲାଣ୍ଡ ଗଣସଂହାରର ମୁଖ୍ୟ ଅଭିଯୁକ୍ତ ଅଷ୍ଟ୍ରେଲୀୟ ଆତଙ୍କବାଦୀ ୨୮ବର୍ଷୀୟ ବ୍ରେନ୍‌ଟନ୍‌ ଟାରାଣ୍ଟ ନିଜ ମାମଲା ନିଜେ ପରିଚାଳନା କରିବ ବୋଲି କହିଛି। ଏଥିପାଇଁ ସେ ତାଙ୍କ ଓକିଲ ରିଚାର୍ଡ ପିଟର୍ସଙ୍କୁ ହଟାଇ ଦେଇଛି। ସେ ନିଜେ ଅଦାଲତରେ ଯୁକ୍ତି ଉପସ୍ଥାପନ କରିବ ବୋଲି କହିଛି। ଏଭଳି ପଦକ୍ଷେପରେ ପ୍ରତିକ୍ରିୟା ସ୍ବରୂପ ରିଚାର୍ଡ କହିଛନ୍ତି ଯେ ତାଙ୍କ ମହକିଲଙ୍କ ମାନସିକ ସ୍ଥିତି ଠିକ୍‌ ନାହିଁ ଓ ସେ ଅସ୍ଥିର ହୋଇପଡ଼ିଛନ୍ତି। ଶନିବାରଠାରୁ ସେ ଟାରାଣ୍ଟର ଓକିଲ ପଦରୁ ଅବ୍ୟାହତି ନେଇଥିବା ସ୍ବୀକାର କରିଛନ୍ତି। ହତ୍ୟା ଅଭିଯୁକ୍ତ ଟାରାଣ୍ଟ ଆସନ୍ତା ୫ ତାରିଖ ଯାଏ ହାଜତରେ ରହିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ଅଷ୍ଟ୍ରେଲିଆର ଆତଙ୍କବାଦ ନିରୋଧୀ ପୁଲିସ ନ୍ୟୁ ସାଉଥ୍‌ ୱେଲ୍ସ ଅଞ୍ଚଳ​‌େ​‌ର ଟାରାଣ୍ଟର ଦୁଇଟି ଘର ଥିବା ସନ୍ଧାନ ପାଇଛି। ଗୋଟିଏ କଫ୍‌ ହାର୍ବର ନିକଟ ସ୍ୟାଣ୍ଡିବଚ୍‌ ସହରରେ ଥିବାବେଳେ ଅନ୍ୟଟି ଭଉଣୀ ନାମରେ ଲରେନ୍ସ ସହରରେ ଅବସ୍ଥିତ। ଏଥିସହିତ ସମ୍ପୃକ୍ତ ଘର ଉପରେ ରବିବାର ଚଢ଼ଉ କରାଯାଇଛି। ତାର ପରିବାର ପୁଲିସକୁ ତଦନ୍ତରେ ସହଯୋଗ କରୁଛନ୍ତି। ଟାରାଣ୍ଟ ସମ୍ପୂର୍ଣ୍ଣ ଏକୁଟିଆ ଦୁଇଟି ମସ୍‌ଜିଦରେ ଶୁକ୍ରବାର ପ୍ରାର୍ଥନା ପାଇଁ ରୁଣ୍ଡ ବ୍ୟକ୍ତିଙ୍କ ଉପରେ ଆଖିବୁଜା ଗୁଳିଚଳାଇ ମାତ୍ର ୩୬ମିନିଟରେ ୫୦ଜଣଙ୍କ ପ୍ରାଣ ନେଇଥିଲା। ଯୋଜନାବଦ୍ଧ ଭାବେ ଏହି କାଣ୍ଡ ଘଟାଇବାବେଳେ ଫେସ୍‌ବୁକ୍‌ ଭିଡିଓରେ ଆତଙ୍କର ସିଧା ପ୍ରସାରଣ କରିଥିଲା।

Leave A Reply