www.samajalive.in
Tuesday, December 9, 2025
16.1 C
Bhubaneswar

ହରିୟାଣାରେ ମେଣ୍ଟ ପାଇଁ ରାହୁଲଙ୍କୁ କେଜରିୱାଲଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ କଂଗ୍ରେସ ସହିତ ମେଣ୍ଟ କରିବାରେ ବିଫଳ ହୋଇଥିବା ଆମ ଆଦମୀ ପାର୍ଟି (ଆପ୍) ଆବାହକ ଅରବିନ୍ଦ କେଜରିୱାଲ ଆଉ ଏକ ପ୍ରୟାସ କରିଛନ୍ତି। ବୁଧବାର କେଜରିୱାଲ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦେଇଥିବା ନୂଆ ପ୍ରସ୍ତାବଟି ହେଉଛି ହରିୟାଣାରେ ମେଣ୍ଟ କରି ନିର୍ବାଚନ ଲଢିବା। କେଜରିୱାଲ ତାଙ୍କ ଟ୍ବିଟରରେ ଏହି ପ୍ରସ୍ତାବ ଦେଇଛନ୍ତି। କେଜରିୱାଲ କହିଛନ୍ତି ଯେ ଦେଶବାସୀ ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାସ୍ତ କରିବାକୁ ଚାହୁଁଛନ୍ତି। ଆପ୍, କଂଗ୍ରେସ ଓ ଜନନାୟକ ଜନତା ପାର୍ଟି (ଜେଜେପି) ଯଦି ହରିୟାଣାରେ ମେଣ୍ଟ କରନ୍ତି; ତେବେ ରାଜ୍ୟର ୧୦ଟି ଯାକ ଆସନରେ ବିଜେପି ପରାସ୍ତ ହେବ। ତେଣୁ ରାହୁଲ ଗାନ୍ଧୀ ଏହି ପ୍ରସ୍ତାବ ଉପରେ ଚିନ୍ତା କରିବା ଦରକାର। ଲୋକସଭା ନିର୍ବାଚନରେ ମୋଦୀ ସରକାର ବିରୋଧରେ ଏକଜୁଟ ହେବା ଲାଗି ରାହୁଲ ବିରୋଧୀ ଦଳଗୁଡିକୁ ଆହ୍ବାନ ଦେବାର କିଛି ସମୟ ପରେ କେଜରିୱାଲ ଏପରି ମେଣ୍ଟ ପ୍ରସ୍ତାବ ଦେଇଛନ୍ତି। ବୁଧବାର ଚେନ୍ନଇରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ରାହୁଲ ବିରୋଧୀ ଦଳଗୁଡିକୁ ଏକଜୁଟ ହେବା ଲାଗି ଆହ୍ବାନ ଦେଇଥିଲେ। ଏହା ପୂର୍ବରୁ ମଙ୍ଗଳବାର ରାହୁଲ କହିଥିଲେ ଯେ ବିଜେପି ନେତୃତ୍ବ ଏନଡିଏ ସରକାରକୁ ପରାସ୍ତ କରିବା ଲାଗି କୌଣସି ତ୍ୟାଗ ବଡ ନୁହେଁ। ଦିଲ୍ଲୀରେ ବିଜେପିକୁ ପରାସ୍ତ କରିବା ଲାଗି କେଜରିୱାଲ ମେଣ୍ଟ ପ୍ରସ୍ତାବ ଦେଇଥିବାବେଳେ ଏହାକୁ କଂଗ୍ରେସ ଅଗ୍ରାହ୍ୟ କରିଥିଲା। ମେଣ୍ଟ ପ୍ରସ୍ତାବକୁ କଂଗ୍ରେସ ଅଗ୍ରାହ୍ୟ କରିବା ପରେ କେଜରିୱାଲ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଦିଲ୍ଲୀରେ ଆପ୍ ଓ କଂଗ୍ରେସ ମେଣ୍ଟ ନ ହେଲେ ବିଜେପିକୁ ଫାଇଦା ହେବ। ଏବେ ହରିୟାଣାରେ ମେଣ୍ଟ କରିବା ଲାଗି କେଜରିୱାଲ ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ, ଆପ୍ ଓ ଜେଜେପି ମେଣ୍ଟ ହେଲେ ବିଜେପି ହରିୟାଣାରେ ପରାସ୍ତ ହେବ। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ହରିୟାଣାର ୧୦ଟି ଆସନରୁ ୭ଟିରେ ବିଜୟୀ ହୋଇଥିଲା। ଆଇଏନଏଲଡି ୨ଟି ଆସନ ପାଇଥିବାବେଳେ କଂଗ୍ରେସ ଗୋଟିଏ ଆସନ ପାଇଥିଲା। ଏବେ ଆଇଏନଏଲଡିର ବିଭାଜନ ହୋଇଛି। ଓମ୍ ପ୍ରକାଶ ଚୌତାଲାଙ୍କ ଆଇଏନଏଲଡିରୁ ଓହରି ଯାଇ ଦୁଷ୍ୟନ୍ତ ଚୌତାଲ ଜେଜେପି ଗଠନ କରିଛନ୍ତି। ଦୁଷ୍ୟନ୍ତ ହେଉଛନ୍ତି ଓମ୍ ପ୍ରକାଶଙ୍କ ନାତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories