ଅଭିନନ୍ଦିତ ଓ ପ୍ରେରଣାର ରୂପ ‘ନାରୀ’

0

ଆମେ ସଭିଏଁ ଜାଣୁ ଯେ, ଆମ ଦେଶ ଭାରତ ସମ୍ପୂର୍ଣ୍ଣ ବିଶ୍ୱରେ ନିଜର ଭିନ୍ନ ଭିନ୍ନ ରୀତିନୀତି ତଥା ସଂସ୍କୃତି ପାଇଁ ପ୍ରସିଦ୍ଧ ଅଟେ। ବହୁ ପ୍ରାଚୀନ କାଳରୁ ପରମ୍ପରା ରହିଛି ଯେ, ସମାଜରେ ମହିଳାଙ୍କୁ ସ୍ୱତନ୍ତ୍ର ସମ୍ମାନ ଏବଂ ଆଦର ପ୍ରଦାନ କରିବା। ଆମ ସଂସ୍କୃତିରେ ମହିଳାମାନଙ୍କ ସମ୍ମାନ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥାଏ। ତେଣୁ ସଂସ୍କୃତରେ ଏକ ଶ୍ଲୋକ ଅଛି ଯାହାର ଅର୍ଥ ହେଉଛି ଯେଉଁଠାରେ ନାରୀଙ୍କୁ ଉଚିତ ସମ୍ମାନ ମିଳେ, ସେଠାରେ ସର୍ବଦା ଦେବତା ବାସ କରିଥାଆନ୍ତି। ମା’ଅର୍ଥାତ ମାତା। ମାତାଙ୍କ ରୂପେ ନାରୀ। ଧରିତ୍ରୀରେ ଥିବା ସମସ୍ତଙ୍କ ମଧ୍ୟରେ ଏକ ପବିତ୍ର ରୂପ ହେଉଛି ନାରୀ। ମାଆ ଈଶ୍ୱରଙ୍କ ଠାରୁ ମଧ୍ୟ ଉଚ୍ଚରେ ବୋଲି କୁହାଯାଏ।
ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ସମ୍ପୂର୍ଣ୍ଣ ବିଶ୍ୱରେ ମହିଳାମାନଙ୍କ ସମ୍ମାନ ନିମନ୍ତେ ପାଳନ କରାଯାଇଥାଏ। ବିତିଯାଇଥିବା ବର୍ଷରେ ସମୟ ସହ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳିଗଲାଣି। ବର୍ତ୍ତମାନର ସମୟରେ ମହିଳାମାନେ ମଧ୍ୟ ପୁରୁଷଙ୍କ ସହ ସମାନ। ଏହା ସହ ବିଭିନ୍ନ କ୍ଷେତ୍ରରେ ସେ ନିଜର ପାରଦର୍ଶିତା ଦେଖାଇପାରିଛନ୍ତି। ଏବେ ପ୍ରତ୍ୟେକ ଘରେ କନ୍ୟାର ଶୀଘ୍ର ବିବାହ କରିବା ପରିବର୍ତ୍ତେ ଶିକ୍ଷାକ୍ଷେତ୍ରରେ ଆଗେଇବା ପାଇଁ ପ୍ରେରଣା ଦିଆଯାଉଛି। ମାତ୍ର ଆଜି ମଧ୍ୟ କେତେକ ସ୍ଥାନ ଏପରି ରହିଛି ଯେଉଁଠାରେ ନାରୀଙ୍କୁ ଉଚିତ ସମ୍ମାନ ମିଳିବା ପରିବର୍ତ୍ତେ ସେଠାରେ କିଛି ଲୋକଙ୍କ କୁଚିନ୍ତାଧାରା ହେତୁ ମହିଳାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆଜି ମଧ୍ୟ ଭ୍ରୁଣ ହତ୍ୟା ହେଉଛି, ଯୌତୁକର ଯୁଇରେ ନାରୀ ଜଳୁଛି। ଏଭଳି ଘଟଣା ଓ କୁଚିନ୍ତାଧାରା ବଦଳିବା ନିଶ୍ଚିତ ଆବଶ୍ୟକ। ଯେଉଁ ନାରୀମାନେ ପରିସ୍ଥିତିର ଅନ୍ଧାର ଭିତରେ ଛନ୍ଦି ହୋଇ ରହିଛନ୍ତି, ସେମାନେ ସକାଳର ଆଲୋକକୁ ଆସିବା ଅପରିହାର୍ଯ୍ୟ। ଆଜି ମଧ୍ୟ ନାରୀ ନିଜ ସମ୍ମାନ ପାଇଁ ଲଢି ଚାଲିଛି। ସେପରି ହୋଇପାରିଲେ ମହିଳାମାନେ ସମ୍ପୂର୍ଣ୍ଣ ରୂପରେ ସୁରକ୍ଷିତ ହୋଇପାରିବେ।
ନାରୀ ହିଁ ଆମ ଦେଶର ଗୌରବ ଅଟନ୍ତି। ତେଣୁ ନାରୀଙ୍କ ସମ୍ମାନ ଅପରିହାର୍ଯ୍ୟ ଅଟେ। ସମଗ୍ର ବିଶ୍ୱର ବିକାଶ ପାଇଁ ନାରୀଙ୍କ ବିକାଶ ଓ ଉନ୍ନତିର ପ୍ରମୁଖ ଧାରା ସହ ଜଡ଼ିତ ହେବା ଆବଶ୍ୟକ। ମହିଳାଙ୍କ ସ୍ଥିତି ସମାଜରେ ଯେତେ ମହତ୍ତ୍ୱପୂର୍ଣ୍ଣ, ସମ୍ମାନଜନକ ସକ୍ରିୟ ହେବ ଦେଶ ସେତେ ଉନ୍ନତ ଓ ମଜଭୂତ ହେବ। ପୁରାତନ କାଳରୁ ହିଁ ନାରୀଙ୍କୁ କରୁଣା, କ୍ଷମତା ଏବଂ ପ୍ରେମର ମୂର୍ତ୍ତି ବୋଲି କୁହାଯାଉଛି। ପୁରାତନ କାଳରୁ ହିଁ ମହିଳାମାନେ ପରମ୍ପରାର ସଂରକ୍ଷକ ରୂପରେ ପରିଚିତ।
ଇତିହାସ ନାରୀମାନଙ୍କ ବୀରତ୍ୱ , କାର୍ଯ୍ୟନିପୁଣତା , ଧୈର୍ଯ୍ୟର ସାକ୍ଷୀ ଅଟେ। ଇନ୍ଦିରା ଗାନ୍ଧୀ ଓ କଳ୍ପନା ଚାୱାଲା ଠାରୁ ଆରମ୍ଭ କରି ପିଟୀ ଉଷା, କିରଣ ବେଦୀ ଭଳି ମହିଳାମାନେ ନିଜ କ୍ଷମତାର ସୂଚାରୁ ରୂପେ ପ୍ରଦର୍ଶନ କରିଛନ୍ତି। କିଏ ଆକାଶର ତ କିଏ ରାଜନୀତିର ଉଚ୍ଚତାକୁ ଛୁଇଁଛି। ତେଣୁ ଆଜିର ଏହି ପବିତ୍ର ଦିନରେ ସେଭଳି ମହିୟସୀ ମହିଳାଙ୍କୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଦ୍ୱାରା ଆମ ଭବିଷ୍ୟତ ଉଜ୍ୱଳ ହୋଇପାରିବ। କାରଣ ତାଙ୍କର ଚିର ସ୍ମରଣୀୟ ବଳିଦାନ ସର୍ବଦା ଆମକୁ ପ୍ରେରଣା ଦେବା ସହ ଆମ ଆତ୍ମବିଶ୍ୱାସକୁ ଦୃଢ କରିଥାଏ। ସେମାନଙ୍କ ଗଭୀର ଆତ୍ମବିଶ୍ୱାସ ଓ କାର୍ଯ୍ୟ ଦକ୍ଷତା ହେତୁ ସେମାନେ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

prayash

ଆଲେଖ୍ୟ – ସସ୍ମିତା ମହାନ୍ତି

kalyan agarbati
Leave A Reply