ବନ୍ଦର କାରବାର ୧୦୦ନିୟୁତ ମେଟ୍ରିକ ଟନ ଟପିଲା
ପାରାଦ୍ୱୀପ : ଲଗାତାର ଦ୍ୱିତୀୟ ବର୍ଷ ପାଇଁ ପାରାଦ୍ୱୀପ ବନ୍ଦର ୧୦୦ ନିୟୁତ ମେଟ୍ରିକ୍ ଟନ୍ କାରବାର କରିଛି। ମାର୍ଚ୍ଚ ଶେଷ ସୁଦ୍ଧା ଆହୁରି ଅଧିକ ୧୦ନିୟୁତ ମେଟ୍ରିକ ଟନ୍ କାରବାର କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ବନ୍ଦର ପକ୍ଷରୁ କୁହାଯାଇଛି।
ବନ୍ଦର ପକ୍ଷରୁ ଜାରୀ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଯେ, ମାର୍ଚ୍ଚ ୫ତାରିଖ ଦିନ ବନ୍ଦର ୧୦୦ ନିୟୁତ ମେଟ୍ରିକ୍ ଟନ୍ ସଫଳତାର ସହ କାରବାର କରିଛି। ଗତବର୍ଷ ମାର୍ଚ୍ଚ ଶେଷସୁଦ୍ଧା ବନ୍ଦର ୧୦୦ନିୟୁତ ମେଟ୍ରିକ ଟନ କାରବାର କରି ରେକର୍ଡ ସୃଷ୍ଟି କରିଥିଲା। ଚଳିତବର୍ଷ ୧୧୦ନିୟୁତ ମେଟ୍ରିକ୍ ଟନ୍ କାରବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହେଇଥିଲା। ନିର୍ଦ୍ଧାରିତ ସମୟର ୨୫ଦିନ ପୂର୍ବରୁ ବନ୍ଦର ୧୦୦ନିୟୁତ ମେଟ୍ରିକ୍ ଟନ୍ କାରବାର କରିପାରିଛି। ପାରାଦ୍ୱୀପ ବନ୍ଦରର ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ସମସ୍ତ ବନ୍ଦର କର୍ମଚାରୀ ଓ ବନ୍ଦର ବ୍ୟବହାରକାରୀ ସଂସ୍ଥା ମାନଙ୍କୁ ଶ୍ରେୟ ଦେଇଛନ୍ତି। ୨୪ଘଣ୍ଟାରେ ୨୭ଟି ଜାହାଜ ଚଳାଚଳ କରି ବନ୍ଦର ରେକର୍ଡ କରିଥିବା ବେଳେ ବୃହତ୍ତ ଜାହାଜ ସୁରୁଖୁରୁରେ ଯିବା ଆସିବା କରିବା ଓ ଗଭୀର ଜଳରାଶି ଭିତରେ ଆଙ୍କରିଙ୍ଗ ପଏଣ୍ଟରେ ରହି ତେଲ ଖଲାସ କରିବା ଭଳି ରେକର୍ଡ ବନ୍ଦର ଇତିହାସରେ ଯୋଡି ହୋଇଯାଇଛି। ଚଳିତ ମାସରେ ଆଉ ୨୫ଦିନ ବାକି ରହିଛି। ଏହି ୨୫ଦିନରେ ଯେମିତି ୧୦ନିୟୁତ ମେଟ୍ରକ୍ ଟନ୍ କାରବାର ହୋଇପାରିବ ସେନେଇ ପଦକ୍ଷେପ ନିଆଯାଇଛି। ଦ୍ୱିତୀୟ ବର୍ଷ ପାଇଁ ବନ୍ଦର ୧୦୦ନିୟୁତ ମେଟ୍ରିକ୍ ଟନ୍ କାରବାର କରିଥିବାରୁ ବନ୍ଦର କର୍ମଚାରୀ ଓ ବ୍ୟବହାରକାରୀ ମାନେ ଖୁସିବ୍ୟକ୍ତ କରିଛନ୍ତି।