ମହାଦେବଙ୍କୁ ପ୍ରସନ୍ନ କରେ ଏହି ୧୦ଟି ଫୁଲ; ମହାଶିବରାତ୍ରିରେ କରନ୍ତୁ ଅର୍ପଣ
ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ ସରଳ । ଶିବଭକ୍ତଙ୍କ ପାଇଁ ମହାଶିବରାତ୍ରି ବ୍ରତ ବହୁତ ଗୁରୁତ୍ବପୂର୍ଣ୍ଣ । ଏହି ଅବସରରେ ସାରା ଦେଶରେ ଥିବା ଶିବ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ । ଏମିତିରେ ପ୍ରତି ମାସରେ ଶିବରାତ୍ରି ପଡିଥାଏ କିନ୍ତୁ ଫାଲଗୁନ୍ ମାସରେ ପଡୁଥିବା ମହାଶିବରାତ୍ରି ବିଶେଷ ମହତ୍ତ୍ବ ରଖିଥାଏ । ତେବେ ଆସନ୍ତୁ ଜାଣିବା ମହାଶିବରାତ୍ରି ଦିନ କେଉଁ ଫୁଲ ମହାଦେବଙ୍କ ଉପରେ ଚଢାଇବା ଦ୍ବାରା ମନୋସ୍କାମନା ପୂରଣ ହୋଇଥାଏ ।
ଶମି ଫୁଲ– ଶିବ ପୁରାଣରେ ଭଗବାନ ଶଙ୍କରଙ୍କ ପୂଜାରେ ଫୁଲ-ପତ୍ର ଚଢାଇବାର ବିଶେଷ ମହତ୍ତ୍ବ ରହିଛି । ଶମି ଫୁଲ ଶିବଲିଙ୍ଗ ଉପରେ ଅର୍ପିତ କରିବା ଦ୍ବାରା ଧନ ସମୃଦ୍ଧିର ଆର୍ଶିବାଦ ମିଳିଥାଏ । ଏହା ସହ ଶମି ବୃକ୍ଷ ଲଗାଇବା ଦ୍ବାରା ଶନି ସମ୍ବନ୍ଧୀୟ ସମସ୍ତ ଦଶା ଦୂର ହୋଇଥାଏ ।
ଚମ୍ପା ଫୁଲ– ଯଦି ଆପଣ ଅବିବାହିତ ଏବଂ ଉତ୍ତମ ଜୀବନସାଥୀ ଚାହୁଁଛନ୍ତି ତେବେ ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ତାଙ୍କ ପ୍ରିୟ ଚମ୍ପା ଫୁଲ ଅର୍ପଣ କରନ୍ତୁ । ଏହା ସହ ଭଗବାନ ଶିବଙ୍କ ସାଧନା ଓ ଆରାଧନା କରିବା ଦ୍ବାରା ସୁନ୍ଦର ଓ ଯୋଗ୍ୟ ଜୀବନସାଥୀ ଅବଶ୍ୟ ପ୍ରାପ୍ତି ହେବ ।
ଅଲସୀ ଫୁଲ– ଭଗବାନ ଶିବଙ୍କ ସାଧନାରେ ଅଲସୀ ଫୁଲର ବିଶେଷ ମହତ୍ତ୍ବ ରହିଛି । ଶାସ୍ତ୍ର ଅନୁସାରେ ମହାଶିବରାତ୍ରି ଦିନ ଏହି ଫୁଲକୁ ଅର୍ପଣ କରିବା ଦ୍ବାରା ମନୁଷ୍ୟକୁ ସମସ୍ତ ପାପରୁ ମୁକ୍ତି ମିଳିଥାଏ ।
ଅରଖ ଫୁଲ– ହାଲକା ବାଇଗଣୀ ଏବଂ ଧଳା ରଙ୍ଗର ଅରଖ ଫୁଲ ଭଗବାନ ଶିବଙ୍କ ପୂଜାରେ ବିଶେଷ ଭାବେ ଅର୍ପଣ କରାଯାଏ । କୁହାଯାଏ ଏହି ଫୁଲ ଅର୍ପଣ କରିବା ଦ୍ବାରା ଭଗବାନ ଶିବ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି । ଏହି ଫୁଲର ପ୍ରୟୋଗରେ ମୋକ୍ଷ ପ୍ରାପ୍ତି ହୋଇଥାଏ । ବାସ୍ତୁ ଦୃଷ୍ଟିରୁ ଏହି ଫୁଲ ଗଛ ସୁଖ ଓ ସମୃଦ୍ଧିର କାରକ ଅଟେ ।
କନିଆର ଫୁଲ- କେବଳ ଭଗବାନ ଶିବଙ୍କର ନୁହେଁ ସବୁ ଦେବୀ-ଦେବତାଙ୍କ ଅତ୍ୟନ୍ତ ପ୍ରିୟ ହେଉଛି କନିଆର ଫୁଲ । ମାନ୍ୟତା ଅନୁଯାୟୀ ଭଗବାନ ଶିବଙ୍କୁ ଏହି ଫୁଲ ଚଢାଇବା ଦ୍ବାରା ମନୁଷ୍ୟକୁ ଇଚ୍ଛା ମୁତାବକ ଧନ ଲାଭ ହୋଇଥାଏ ।
ଅଗସ୍ତ୍ୟ ଫୁଲ- ମାନ୍ୟତା ଅନୁଯାୟୀ ମହାଶିବରାତ୍ରି ଦିନ ଅଗସ୍ତ୍ୟ ଫୁଲରେ ଭଗବାନ ଶିବଙ୍କ ଉପାସନା କରିବା ଦ୍ବାରା ସମାଜରେ ମାନ-ସମ୍ମାନ ଓ ଯଶ ବୃଦ୍ଧି ହୋଇଥାଏ । ଏହି ବୃକ୍ଷକୁ ହଥିୟା, ମୁନିବୃକ୍ଷ, ବଙ୍ଗସେନ ଆଦି ଭିନ୍ନ ଭିନ୍ନ ନାମରେ ବିଭିନ୍ନ ସ୍ଥାନରେ ଜଣାଯାଏ । ଏହି ବୃକ୍ଷ ମୂଳରେ ଅଗସ୍ତ୍ୟ ମୁନୀ ତପସ୍ୟା କରିଥିବାରୁ ଏହାକୁ ଅଗସ୍ତ୍ୟ ବୃକ୍ଷ କୁହାଯାଏ ।
ଗଙ୍ଗଶିଉଳୀ ଫୁଲ- ଭଗବାନ ଶିବଙ୍କ ପୂଜାରେ ଗଙ୍ଗଶିଉଳୀ ଫୁଲର ବିଶେଷ ଭାବେ ବ୍ୟବହାର କରାଯାଏ । ଏହାକୁ ପାରିଜାତ ଫୁଲ ମଧ୍ୟ କୁହାଯାଏ । ଏହି ଫୁଲ ଧଳା ରଙ୍ଗ ଏବଂ ଏହାର ମଝିରେ ନାରଙ୍ଗି ରଙ୍ଗ ରହିଥାଏ । ରାତିରେ ଫୁଟୁଥିବା ଏହି ଫୁଲକୁ ଭଗବାନ ଶିବଙ୍କ ନିକଟରେ ଅର୍ପଣ କରିବା ଦ୍ବାରା ସୁଖ ଓ ବୈଭବ ବୃଦ୍ଧି ହୋଇଥାଏ ।
ଦୁଦୁରା ଫୁଲ- ଧତୁରା ବା ଦୁଦୁରା ଫୁଲ ଭୋଳାନାଥଙ୍କ ଅତ୍ୟନ୍ତ ପ୍ରିୟ । ଶିବଙ୍କ ପୂଜାରେ ଏହାର ଫଳ ଓ ଫୁଲ ବିଶେଷ ଭାବେ ଅର୍ପଣ କରାଯାଏ । ମାନ୍ୟତା ଅନୁଯାୟୀ ଯେଉଁ ଦମ୍ପତ୍ତି ଶିବରାତ୍ରି ଦିନ ଦୁଦୁରା ଫୁଲ ସହ ଭଗବାନ ଶିବଙ୍କ ପୂଜା କରନ୍ତି, ସେମାନଙ୍କୁ ଶିବ କୃପାରୁ ବହୁତ ଶୀଘ୍ର ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ।
ଜୁହି ଫୁଲ- ଦୁଃଖ ଓ ଦାରିଦ୍ର୍ୟ ଦୂର କରିବା ପାଇଁ ମହାଶିବରାତ୍ରି ଦିନ ଜୁହି ଫୁଲ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ଏହି ଫୁଲରେ ଭଗବାନ ଶିବଙ୍କ ପୂଜା କରିବା ଦ୍ବାରା କଦାପି ଅନ୍ନର ଅଭାବ ହୋଇନଥାଏ ଏବଂ ଏହା ଅଭାବ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି ।
ମଲ୍ଲି ଫୁଲ- ମଲ୍ଲି ଫୁଲ ଭଗବାନ ଶିବଙ୍କ ପ୍ରିୟ । ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ମଲ୍ଲି ଫୁଲ ଅର୍ପଣ କରିବା ଦ୍ବାରା ଜୀବନରେ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଏହା ସହ ଯାନବାହନ ପ୍ରାପ୍ତି ହୋଇଥାଏ ।