ସୁଇସାଇଡ୍‌ ମେସିନ ସାହାଯ୍ୟରେ ପ୍ରଥମ ଆତ୍ମହତ୍ୟା, ସ୍ଵିଜରଲାଣ୍ଡ​ ଆସି ଜୀବନ ହାରିଲେ ଆମେରିକୀୟ ମହିଳା

ବର୍ନ: ସ୍ଵିଜରଲାଣ୍ଡ​ରେ ଜଣେ ୬୪ ବର୍ଷୀୟ ମହିଳା ସର୍‌କୋ ସୁଇସାଇଡ୍‌ ପଡ୍‌ ଜରିଆରେ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଏହି ଆମେରିକୀୟ ମହିଳା ବିବାଦୀୟ ସର୍‌କୋ ପଡ୍‌ ଜରିଆରେ ଆତ୍ମହତ୍ୟା କରିଥିବା ପ୍ରଥମ ବ୍ୟକ୍ତି। ଜର୍ମାନ ସୀମା ନିକଟ ଏକ ଜଙ୍ଗଲରେ ସ୍ଥାନୀୟ ସମୟ ଅପରାହ୍ନ ୪ଟା ସମୟରେ ସେ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ସଭିଙ୍କୁ ଆଚମ୍ବିତ କରିଛି। ସ୍ୱିସ୍ ଅଧିକାରୀମାନେ ଅନେକ ଲୋକଙ୍କୁ ଗିରଫ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଆତ୍ମହତ୍ୟା ପାଇଁ ବ୍ୟବହୃତ ଏହି ସର୍‌କୋ ପଡ୍ କ’ଣ।

ଇଂରାଜୀ ଶବ୍ଦ ସର୍‌କୋଫାଗସ୍‌ ଆଧାରରେ ସଂକ୍ଷେପରେ ଏହାକୁ ସର୍‌କୋ କୁହାଯାଏ। ସର୍‌କୋଫାଗସ୍‌ ଅର୍ଥ ପଥର କଫିନ୍, ଯାହା ସାଧାରଣତ ଇଜିପ୍ଟ, ଗ୍ରୀସ୍ ଏବଂ ରୋମର ପ୍ରାଚୀନ ଲୋକମାନେ ଶବକୁ ସମାଧି ସ୍ଥଳରେ ରଖିବା ପାଇଁ ବ୍ୟବହାର କରୁଥିଲେ। ସର୍‌କୋ ପଡ୍‌କୁ ପେଗାସସ ଓ ସୁଇସାଇଡ୍‌ ପଡ୍‌ ଭାବେ ମଧ୍ୟ ଜଣାଶୁଣା। ଦେଖିବାକୁ ଏହା ଏକ ଆରାମଦାୟକ କ୍ୟାପସୁଲ ପରି। ଏହାକୁ ଥ୍ରୀଡି ପ୍ରିଣ୍ଟର୍ ସାହାଯ୍ୟରେ ତିଆରି କରାଯାଇଛି, ଯାହା ଏକ ପ୍ଲାଟଫର୍ମରେ ରଖାଯାଇଥାଏ। ଏଥିରେ ଡବା ପରି ଏକ ଜାଗାରେ ତରଳ ନାଇଟ୍ରୋଜେନର ଥାଏ, ଯେଉଁଥିରୁ ବାହାରୁଥିବା ଗ୍ୟାସ୍‌ ମଣିଷକୁ ଧୀରେ ଧୀରେ ମାରିଦିଏ। ୨୦୧୯ରେ ପ୍ରଥମ ଥର ପାଇଁ ଏହି କ୍ୟାପସୁଲ ଦୁନିଆ ସହ ପରିଚିତ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତି ଡାକ୍ତରଙ୍କ ତତ୍ତ୍ୱାବଧାନରେ ନିଜ ଜୀବନକୁ ଶେଷ କରିପାରିବ। ଏବେ ଏହା ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଛି। ଏଥିରେ ଅମ୍ଳଜାନ ନଥିବା କାରଣରୁ ଓ ନାଇଟ୍ରୋଜେନ୍ ଗ୍ୟାସ୍‌ ଯୋଗୁ ହାଇପୋକ୍ସିଆରେ ବ୍ୟକ୍ତିର ମୃତ୍ୟୁ ଘଟେ।

ସୂଚନା ଅନୁସାରେ, ଇଚ୍ଛାମୃତ୍ୟୁ ଚାହୁଁଥିବା ବ୍ୟକ୍ତିଙ୍କର ପ୍ରଥମେ ଏକ ମାନସିକ ମୂଲ୍ୟାଙ୍କନ କରାଯାଏ। ଏହାପରେ ସେ କ୍ୟାପସୁଲରେ ଶୋଇବେ, ଯାହାର ଢାଙ୍କୁଣୀ ବନ୍ଦ କରିଦିଆଯିବ। ବଟନ୍ ଦବାଇବା ପୂର୍ବରୁ ତାଙ୍କୁ ପଡ୍‌ର ସ୍ୱୟଂଚାଳିତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ବଟନ୍ ଦବାଇବା ପରେ ଏହି ପଡ୍‌ରେ ନାଇଟ୍ରୋଜେନ ଭର୍ତ୍ତି ହୋଇଯାଏ। ଏହାପରେ ବ୍ୟକ୍ତି ଚେତାଶୂନ୍ୟ ହୋଇ ୧୦ ମିନିଟ୍ ମଧ୍ୟରେ ତା’ର ଜୀବନ ଚାଲିଯାଏ। ପଡ୍‌ ଭିତରେ ଏକ ଜରୁରୀକାଳୀନ ବଟନ୍ ମଧ୍ୟ ଅଛି, ଯାହାକୁ ଦବାଇ ବାହାରକୁ ଆସିହେବ।

ରିପୋର୍ଟ ଅନୁସାରେ, ଜର୍ମାନ ବୈଜ୍ଞାନିକ ତଥା ଏକ୍‌ଜିଟ୍‌ ଇଣ୍ଟରନେସନାଲ ସହ ଜଡ଼ିତ ସଂଗଠନ ଲାଷ୍ଟ ରିସୋର୍ଟର ଅଗ୍ରଣୀ ସଦସ୍ୟ ଫ୍ଲୋରିଆନ୍ ୱିଲେଟ୍ ମହିଳାଙ୍କ ମୃତ୍ୟୁର ଏକମାତ୍ର ସାକ୍ଷୀ। ସେ ଏକ ସାକ୍ଷାତକାରରେ କହିଛନ୍ତି, ମହିଳାଙ୍କ ମୃତ୍ୟୁ ଶାନ୍ତିପୂର୍ଣ୍ଣ, ଶୀଘ୍ର ଏବଂ ସମ୍ମାନଜନକ ଥିଲା। ସେ କହିଛନ୍ତି ଯେ, ଗୁରୁତର ଅସୁସ୍ଥତା କାରଣରୁ ମହିଳା ଜଣକ ଦୀର୍ଘ ଦିନ ଧରି ଯନ୍ତ୍ରଣା ଭୋଗୁଥିଲେ। ଅଷ୍ଟ୍ରେଲୀୟ ନାଗରିକ ତଥା ସର୍‌କୋ ପଡ୍‌ ନିର୍ମାତା ଫିଲିପ୍ ନିଶ୍ଚକେ କହିଛନ୍ତି, ‘‘ମହିଳା ଜଣକ ସ୍ୱିସ୍ ଜଙ୍ଗଲରେ ଶାନ୍ତିପୂର୍ଣ୍ଣ ମୃତ୍ୟୁ ବରଣ କରିଛନ୍ତି। ସେ ଏହିପରି ମୃତ୍ୟୁ ଚାହୁଁଥିଲେ। ସେ ଅନୁମାନ କରିଛନ୍ତି ଯେ, ମହିଳା ଦୁଇ ମିନିଟ୍ ମଧ୍ୟରେ ଚେତାଶୂନ୍ୟ ହୋଇ ପାଞ୍ଚ ମିନିଟ୍ ପରେ ତାଙ୍କର ମୃତ୍ୟୁ ଘଟିଛି।

 

Comments are closed.