ନାଲିଫିତା ତଳେ ନୂତନ ବସଷ୍ଟାଣ୍ଡ, ଜାତୀୟ ରାଜପଥ ପାର୍ଶ୍ବରେ ରହୁଛି ମୁଖ୍ୟମନ୍ତ୍ରୀ ବସ୍‌

ଲଡ଼ୁଗାଁ: କୋକସରା ବ୍ଲକ ପ୍ରତି ବିଭିନ୍ନ ସମୟରେ ପ୍ରତିଟି କ୍ଷେତ୍ରରେ ଅବହେଳା ହେଉଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ମିନି ଷ୍ଟାଡିୟମ୍ ନିର୍ମାଣ ହେଉ କି ଟ୍ରେଜେରି ଅଫିସ୍, ଗାଁ ପରିମଳ କଥା ହେଉ ଅବା ଯାତ୍ରୀ ସୁବିଧା ପାଇଁ ବସଷ୍ଟାଣ୍ଡ, ସବୁ କ୍ଷେତ୍ରରେ ପଛରେ ପଡ଼ିଛି ବ୍ଲକ। କୋକସରା  ନୂତନ ବସଷ୍ଟାଣ୍ଡ ଓ ଡିପୋ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇ ସାରିଥିବା ବେଳେ ଏବେ ଏହା ପ୍ରଶାସନିକ ଅଧିକାରୀମାନଙ୍କ ନାଲିଫିତା ତଳେ ପଡି ରହିଛି, ଯାହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।

ସୂଚନା ଅନୁସାରେ, ବିଜେଡି ସରକାର ସମୟରେ ପ୍ରତି ବ୍ଲକ ସଦରରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର କରିଥିଲେ। ସେହି ଅନୁସାରେ କୋକସରା ବ୍ଲକ ସଦର ମହକୁମାଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅନୁଦାନ ଆସିଛି । ତେବେ କୋକସରାରେ ହେବାକୁ ଥିବା ନୂତନ ବସଷ୍ଟାଣ୍ଡ  ନିର୍ମାଣ ପାଇଁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପୁରୁଣା ବଜାର ପଡିଆକୁ ବ୍ଲକ ପ୍ରଶାସନ ପକ୍ଷରୁ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ କଳାହାଣ୍ଡିକୁ ହସ୍ତାନ୍ତର କରାଯାଇଛି । ହେଲେ ଏଯାଏଁ ତାହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ବସଷ୍ଟାଣ୍ଡ ନ ଥିବାରୁ ମୁଖ୍ୟମନ୍ତ୍ରୀ ବସ୍ଗୁଡ଼ିକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥ ଉପରେ ରହୁଛି । ଜନଗହଳି ପୂର୍ଣ୍ଣ ସ୍ଥାନରେ ଅଯଥା ଭିଡ଼ କମାଇବା, ସୁରକ୍ଷିତ ଓ ନିରାପଦ ଯାତାୟାତ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ପ୍ରଭାବୀ ଢଙ୍ଗରେ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଛି ଟ୍ରାଫିକ ପରିଚାଳନା ଓ ବସଷ୍ଟାଣ୍ଡ ବ୍ୟବସ୍ଥା। କିନ୍ତୁ ସଦାସର୍ବଦା ଚଳଚଞ୍ଚଳ ରହୁଥିବା କୋକସରା ୨୬ ନମ୍ବର ଜାତୀୟ ରାଜପଥରେ ସବୁକିଛି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ଭଳି ଦେଖାଯାଇଛି। ଗାଁରେ ବସଷ୍ଟାଣ୍ଡ ହେବ, ବସ୍ ରହିବ ବୋଲି ପୂର୍ବ ସରକାର ଘୋଷଣା କରିଦେଲେ।ଏହାକୁ ନେଇ  ଅଞ୍ଚଳବାସୀଙ୍କ ମନରେ ଆଶା ସଂଚାର ବି ହୋଇଥିଲା। କିନ୍ତୁ କିଛି ଦିନ ଅତିକ୍ରାନ୍ତ ହେବା ପରେ ବାସ୍ତବ କ୍ଷେତ୍ରରେ ଏହାକୁ କେତେ ଗୁରୁତ୍ଵ ଦିଆଯାଉଛି ତାହା ପରିବେଶ ଓ ପରିସ୍ଥିତିରୁ ସ୍ପଷ୍ଟ ଦେଖାଯାଉଛି। ଟ୍ରାଫିକ ପରିଚାଳନା ବ୍ୟବସ୍ଥା ବ୍ୟାହତ ହୋଇ ଉତ୍କଟ ରୂପ ଧାରଣ କରିଛି। ପ୍ରମୁଖ ସମସ୍ୟା ମଧ୍ୟରେ ସମ୍ପ୍ରତି ଟ୍ରାଫିକ ପରିଚାଳନାର ଅସଲ ଚିତ୍ର ଉଣା ଅଧିକ ପ୍ରାୟତଃ ସବୁଠାରେ ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଛି ଟ୍ରାଫିକ ବ୍ୟବସ୍ଥା ସତେ ଯେପରି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏଭଳି ସମସ୍ୟା ଭିତରେ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି ସାଧାରଣ ଜନତା। ବସଷ୍ଟାଣ୍ଡ ନିର୍ମାଣରେ ବିଳମ୍ବ ଓ ଟ୍ରାଫିକ ସମସ୍ୟା ଏବେ ସର୍ବ ସାଧାରଣଙ୍କ ପାଇଁ ମୁଣ୍ଡ ବ୍ୟଥାର ମୁଖ୍ୟ କାରଣ ପାଲଟିଛି । ବସଷ୍ଟାଣ୍ଡ ନ ଥିବାରୁ ବସଗୁଡ଼ିକ ରାସ୍ତାପାର୍ଶ୍ବରେ ପାର୍କିଂ କରାଯାଉଛି। ଫଳରେ ସହରରେ ବହୁ ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜୁଛି।  ବିଶେଷକରି ସହରର ମୁଖ୍ୟ ଛକ ଗୁଡ଼ିକରେ ଏଭଳି ବିଷମ ପରିସ୍ଥିତ ସୃଷ୍ଟି ହେଉଛି । ଅନ୍ୟପଟେ ଷ୍ଟାଫ୍ ପାଇଁ ରହିବା ସହ ଶୌଚାଳୟ ବ୍ୟବସ୍ଥା ବି ନାହିଁ। ଦୀର୍ଘ ଦିନ ଧରି ଏଭଳି ପରିସ୍ଥିତି ଲାଗି ରହୁଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି ।  ସହରର ମୁଖ୍ୟ ରାସ୍ତା ତଥା ୨୬ ନଂ ଜାତୀୟ ରାଜପଥର ଉଭୟ ପ୍ୱାର୍ଶ୍ବରେ ବହୁ ବ୍ୟାବସାୟିକ ପ୍ରତିଷ୍ଠାନ ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ରହିଛି ।  ପ୍ରତିଦିନ ସକାଳ ସମୟରେ ଗମ୍ଭାରୀଗୁଡ଼ା, ବଡ଼ ପୋଡ଼ାଗୁଡ଼ା, ମାଝିଗୁଡ଼ା  , ମୋଟେରରୁ ତରାପୁର ରୁଟ ଭଳି ଗାଁ  ପ୍ରମୁଖ ଅଞ୍ଚଳରୁ ମୁଖ୍ୟମନ୍ତ୍ରୀ ବସ୍ ଗୁଡିକ କୋକସରା ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଯାତ୍ରୀଙ୍କୁ ଗାଡିରୁ ଓହ୍ଲାଉଛନ୍ତି ଓ ଚଢାଉଛନ୍ତି । ସେହି ରାସ୍ତାଦେଇ ଯାତାୟାତ କରୁଥିବା ଅନ୍ୟ ଯାନବାହାନ ଓ ଆମ୍ବୁଲାନ୍ସଗୁଡିକ ରାସ୍ତା ନ ପାଇ ରାସ୍ତା ମଧ୍ୟସ୍ଥ ଦକ୍ଷିଣ ପଟ ଦେଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଏ ଦିଗରେ ସ୍ଥାୟୀ ସମାଧାନ ସହ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସହରରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଏ ନେଇ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ, ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି ।  ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କାମ ଆରମ୍ଭ କରାଯିବ।

Comments are closed.