ଅତ୍ୟଧିକ କାମ ଚାପ ଯୋଗୁଁଁ ପ୍ରତିବର୍ଷ ୨ଲକ୍ଷ ଲୋକଙ୍କ ମୃତ୍ୟୁ! ଭାରତରେ ସ୍ଥିତି ସବୁଠୁ ଖରାପ
ସମାଜ ଡିଜିଟାଲ ଡେସ୍କ: ଚାକିରିରେ ସଫଳତା ପାଇବା ପାଇଁ ବର୍ତ୍ତମାନ ଯୁଗରେ ଅଧିକରୁ ଅଧିକ ସମୟ ଧରି କାମ କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ସମସ୍ତେ ନିଜକୁ ପରିଶ୍ରମୀ ସାବ୍ୟସ୍ତ କରିବାକୁ ଚାହାଁନ୍ତି, କିନ୍ତୁ ଏପରି କରିବା ଦ୍ୱାରା ଶରୀର ପାଇଁ ମାରାତ୍ମକ ସାବ୍ୟସ୍ତ ହେଉଛି। ନିକଟରେ କେରଳର କୋଚିରେ ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟଙ୍କ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁଁ ମୁତ୍ୟୁ ଘଟିଥିଲା। ଆନ୍ନା ସେବାଷ୍ଟିଆନ ପେରିୟଲଙ୍କୁ ମାତ୍ର ୨୬ବର୍ଷ ହୋଇଥିଲା ଏବଂ ସେ ଇୱାଇ କମ୍ପାନୀରେ ପ୍ରଥମ କରି ଚାକିରି କରିଥିଲେ। ସେଠାରେ ମାତ୍ର ୪ମାସ କାମରେ ଆନ୍ନା ସେବାଷ୍ଟିଆନଙ୍କ ଉପରେ ଏତେ ମାତ୍ରାରେ ଚାପ ପଡ଼ିଥିଲା ସେ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ଆନ୍ନାଙ୍କ ମା ଏକ ଚିଠି ଲେଖି କାର୍ଯ୍ୟ କ୍ଷେତ୍ରରେ ଅସ୍ୱାସ୍ଥ୍ୟକର କାର୍ଯ୍ୟଶୈଳୀ ବିଷୟରେ ଅନେକ ପର୍ଦ୍ଦାଫାସ କରିଛନ୍ତି। ଯାହାପରେ ସେହି ଅଫିସରେ କାର୍ଯ୍ୟଭାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଅତ୍ୟଧିକ କାମ ଚାପ (ଓଭର ୱାର୍କର) ଟ୍ରେଣ୍ଡ ବହୁତ ସାଧାରଣ ହୋଇଗଲାଣି।
ଏକ ରିପୋର୍ଟ ଅନୁସାରେ ଗତବର୍ଷ ୩୦ଟି ଦେଶକୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ୬୦ପ୍ରତିଶତ ଲୋକ କାର୍ଯ୍ୟଭାର କାରଣରୁ ଅତ୍ୟନ୍ତ ଥକ୍କା ଏବଂ ଚିନ୍ତାରେ ରହିଥାନ୍ତି। ପୂର୍ବରୁ ୨୦୧୯ର ଏକ ରିପୋର୍ଟରୁ ଜଣାପଡ଼ିଥିଲା ଯେ ମୁମ୍ବାଇ ବିଶ୍ୱର ସବୁଠାରୁ ପରିଶ୍ରମୀ ସହର। ସେହିପରି ରାଜଧାନୀ ଦିଲ୍ଲୀ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ତାଲିକାରେ ହାନୋଇ ଓ ମେକ୍ସିକୋ ସିଟି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଏହାସହିତ ଭାରତୀୟମାନେ ସର୍ବନିମ୍ନ ଛୁଟି ନେଉଥିବା ମଧ୍ୟ ଜଣାପଡ଼ିଛି।
୨୦୨୧ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଦୀର୍ଘ ସମୟ ଧରି କାମ କରିବାର ପ୍ରଭାବ ଉପରେ ଏକ ଅଧ୍ୟୟନ କରିଥିଲେ। ସପ୍ତାହକୁ ୩୫ରୁ ୪୦ଘଣ୍ଟା କାମ କରୁଥିବା ଲୋକଙ୍କ ତୁଳନାରେ ୫୫ଘଣ୍ଟା କିମ୍ବା ତା’ଠାରୁ ଅଧିକ କାମ କରିବା ଦ୍ୱାରା ମୃତ୍ୟୁ ଆଶଙ୍କା ବହୁଗଣିତ ହୋଇପାରେ। ଖାଲି ସେତିକି ନୁହେଁ ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ଦୀର୍ଘ ସମୟ ଧରି କାମ କରିବା କାରଣରୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଭାରତରେ ସର୍ବାଧିକ। ଚୀନରେ ଜନସଂଖ୍ୟା ଅଧିକ ଥିଲେ ମଧ୍ୟ ଏ କ୍ଷେତ୍ରରେ ଭାରତ ତୁଳନାରେ ସ୍ଥିତି ଭଲ ରହିଛି।
ଆନ୍ନା ସେବାଷ୍ଟିଆନ ପେରିୟଲ ଇୱାଇ କମ୍ପାନୀରେ ତାଙ୍କର ପ୍ରଥମ ଚାକିରି ଥିଲା ଏବଂ ଅତ୍ୟଧିକ କାର୍ଯ୍ୟଭାର କାରଣରୁ ମାତ୍ର ୪ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି। ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ କ୍ଷେତ୍ରରେ ଏପରି ଘଟୁଛି। ସଦ୍ୟ ପରିସଂଖ୍ୟାନ ଅନୁଯାୟୀ ବର୍ଷକ ମଧ୍ୟରେ ଅତ୍ୟଧିକ କାମ ଯୋଗୁଁଁ ୨ଲକ୍ଷ ଭାରତୀୟ ପ୍ରାଣ ହରାଇଛନ୍ତି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ତଥ୍ୟ ଅନୁଯାୟୀ ଅଧାରୁ ଅଧିକ ନିଯୁକ୍ତିପ୍ରାପ୍ତ ଭାରତୀୟ ସପ୍ତାହକୁ ୪୯ଘଣ୍ଟା କିମ୍ବା ତା’ଠାରୁ ଅଧିକ କାମ କରନ୍ତି। ଆମ ଦେଶରେ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ଅତ୍ୟଧିକ କାମର ଚାପ ରହିଛି।
ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ କାର୍ଯ୍ୟ ସମୟ ଆମ ଜିଡିପିରେ କେବେ ଅବଦାନ ଦେଇଥାଏ। ବିଶେଷଜ୍ଞଙ୍କ ମତରେ ଭାରତରେ ଏକ ଘଣ୍ଟା କାମ କରିବା ଦ୍ୱାରା ଜିଡିପିରେ ୮ଡଲାର (ପାଖାପାଖି ୬୫୦ଟଙ୍କା) ଯୋଗଦାନ ରହିଛି। ଏଭଳି ପରିସ୍ଥିତିରେ ଲୋକମାନେ ଉତ୍ପାଦନଶୀଳ ହେଲେ ହିଁ ଦୀର୍ଘ ସମୟ ଧରି କାମ କରି ଟଙ୍କା ରୋଜଗାର କରିପାରିବେ। ଦୀର୍ଘ ସମୟ କାମ କରିବା ଦ୍ୱାରା ଉତ୍ପାଦକତା କମିଯାଏ।
Comments are closed.