www.samajalive.in
Monday, December 15, 2025
24.1 C
Bhubaneswar

ଓମ୍ବାଡସି ସହାୟତାରେ ଟସର ଚାଷୀଙ୍କୁ ପ୍ରୋତ୍ସାହନ, ସୁଦୃଢ଼ ହେଉଛି ଜୀବିକା

କେନ୍ଦୁଝରଗଡ଼଼: ଟସର ହେଉଛି ଏକ ଲାଭଜନକ ଚାଷ। ଆଦିବାସୀ ବହୁଳ କେନ୍ଦୁଝର ଜିଲାରେ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଇ ଚାଷୀମାନଙ୍କ ଜୀବିକାକୁ ସୁଦୃଢ଼ କରାଯାଉଛି। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନେର ଥିବା ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଉଛି। କେନ୍ଦୁଝର ଜିଲାର ତେଲକୋଇ, ହରିଚନ୍ଦନପୁର, ଘଟଗାଁ ଏବଂ ବାଂଶପାଳ ବ୍ଲକରେ ବ୍ୟାପକ ଭାବେ ଟସର ଚାଷ କରାଯାଉଛି। ୩ ହଜାରରୁ ଅଧିକ ଚାଷୀ ଏହି ଚାଷ ସହିତ ଯୋଡ଼ି ହୋଇଛନ୍ତି। ଉନ୍ନତ ଉପାୟରେ ଟସର ଚାଷ କରି ସେମାନେ ବାର୍ଷିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି।

ଚାଷୀମାନଙ୍କୁ ଆବଶ୍ୟକ ବୈଷୟିକ ସହାୟତା ଯୋଗାଇଦେବା ଲାଗି ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ଅଧୀନରେ ୧୩ଟି ଟସର ସେବା ସମବାୟ ସମିତି (ଟିଆରସିଏସ୍‌‌) ରହିଛି। ଜିଲା ରେଶମ କାର୍ଯ୍ୟାଳୟର ତତ୍ତ୍ୱାବଧାନରେ ଏହି ଚାଷ କରାଯାଉଛି। ‘ଆଗରୁ ମୁଁ ଟସର ଚାଷ କରୁଥିଲି। ହେଲେ ଭଲ ଲାଭ ମିଳୁ ନଥିଲା। ଏହି ଚାଷ ପାଇଁ ଏବେ ଓମ୍ବାଡସି ବିଭିନ୍ନ ସହାୟତା ଯୋଗାଇ ଦେବାରୁ ଉନ୍ନତ ମାନର ଟସର ଖୋସା ଉତ୍ପାଦନ ହୋଇପାରୁଛି। ଗତବର୍ଷ ମୁଁ ଏହି ଟସର ଚାଷରୁ ଦେଢ଼ ଲକ୍ଷ ଟଙ୍କା ପାଇଛି ବୋଲି କହିଛନ୍ତି ହରିଚନ୍ଦନପୁର ବ୍ଲକର ଚାଷୀ ମାଳତୀ ଟୁଡୁ’।

- Advertisement -

ସେହିଭଳି ‘ ୭ ବର୍ଷ ହେଲା ମୁଁ ଟସର ଚାଷ କରୁଛି। ଏଥିପାଇଁ ଉନ୍ନତମାନର ବିହନ ମିଳୁଛି। ତା’ଛଡ଼ା ଜଙ୍ଗଲରେ ପୋକ ଛାଡ଼ିବାଠୁ ଟସର ଖୋସା ଉତ୍ପାଦନ ହେବା ଯାଏଁ ଆମକୁ ବିଭିନ୍ନ ସମୟରେ ସହାୟତା ମିଳୁଛି। ଖୋସା ବିକ୍ରି ପାଇଁ ସରକାର ଭଲ ବ୍ୟବସ୍ଥା ମଧ୍ୟ କରିଛନ୍ତି’ ବୋଲି କହିଛନ୍ତି ହରିଚନ୍ଦନପୁର ବ୍ଲକର ଆଉ ଜଣେ ଟସର ଚାଷୀ ଈଶ୍ୱର ଚନ୍ଦ୍ର ମାର୍ଣ୍ଡି। ଟସର ଚାଷ ସାଧାରଣତଃ ଅର୍ଜୁନ ଓ ଅସନ ଗଛରେ କରାଯାଇଥାଏ। ଏହି ଚାଷ ପାଇଁ ଆବଶ୍ୟକ ଚୁନ, ବ୍ଲିଚିଂ ଓ କୀଟନାଶକ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି ଓମ୍ବାଡସି।

ସେହିପରି ଟସର ଚାଷ ଲାଗି ମୁଖ୍ୟ ଉପାଦାନ ହେଲା ରୋଗମୁକ୍ତ ଅଣ୍ଡା। ଚାଷୀଙ୍କୁ ସୁସ୍ଥ ଅଣ୍ଡା ଯୋଗାଇଦେବା ଲାଗି ଜିଲାରେ ରହିଛି ୩ଟି ପାଇଲଟ ପ୍ରୋଜେକ୍ଟ ସେଣ୍ଟର (ପିପିସି)। ଏହି କେନ୍ଦ୍ରଗୁଡ଼ିକର ଉପଯୁକ୍ତ ପରିଚାଳନା ପାଇଁ ମଧ୍ୟ ଓମ୍ବାଡସି ଆର୍ଥିକ ସହାୟତା ଯୋଗାଇ ଦେଉଛି। ଚାଷୀମାନେ ପିପିସିରୁ ଅଣ୍ଡା ଆଣିବା ପରେ ଏହାକୁ ଅସନ ଓ ଅର୍ଜୁନ ଗଛର ଡାଳ ସହ ରଖି ଦିଅନ୍ତି। ଅଣ୍ଡାରୁ ପୋକ ବାହାରିବା ପରେ ସେଗୁଡ଼ିକୁ ନେଇ ଅସନ ଓ ଅର୍ଜୁନ ଗଛରେ ଛାଡ଼ି ଦିଆଯାଏ। ପୋକ ବଡ଼ ହୋଇ ଗଛରେ ଖୋସା ବାନ୍ଧିବା ଆରମ୍ଭ କରିଥାଏ। ୧୦ରୁ ୧୫ ଦିନ ପରେ ଚାଷୀ ଗଛରୁ ଖୋସା ସଂଗ୍ରହ କରି ଟିଆରସିଏସକୁ ବିକ୍ରି କରିଥାନ୍ତି। ଟିଆରସିଏସରେ ଖୋସାଗୁଡ଼ିକର ଷ୍ଟାଫଲିଂ ଓ ଗ୍ରେଡିଂ ପାଇଁ ଓମ୍ବାଡସି ପାଣ୍ଠିରୁ ସହାୟତା ଦିଆଯାଉଛି। ଖଣି ପ୍ରଭାବିତ କେନ୍ଦୁଝର ଜିଲାରେ ଚାଷୀଙ୍କ ଦୀର୍ଘସ୍ଥାୟୀ ଜୀବିକା ଲାଗି ଟସର ଚାଷ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

ଏଥିପାଇଁ ଚାଷୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଫଳରେ କେନ୍ଦୁଝର ଜିଲାରୁ ଉନ୍ନତମାନର ଟସର ଉତ୍ପାଦନ ହୋଇପାରୁଛି। ରାଜ୍ୟ ତଥା ରାଜ୍ୟ ବାହାରେ କେନ୍ଦୁଝର ଟସରର ବିଶେଷ ପରିଚୟ ରହିଛି ବୋଲି କହିଛନ୍ତି ଜିଲା ରେଶମ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ସଙ୍ଗୀତା ମିଞ୍ଜ। ୨୦୨୩-୨୪ ଆର୍ଥୀକ ବର୍ଷରେ କେନ୍ଦୁଝର ଜିଲାରୁ ୨୦ ହଜାର ୫୦୦ କାହାଣ ବା ୩ କୋଟି ୨୮ ଲକ୍ଷରୁ ଅଧିକ ଟସର ଖୋସା ଉତ୍ପାଦନ ହୋଇଥିଲା। ଚଳିତବର୍ଷ ଆହୁରି ଅଧିକ ଖୋସା ଉତ୍ପାଦନ କରିବାକୁ ରେଶମ ନିର୍ଦ୍ଦେଶାଳୟ ଲକ୍ଷ୍ୟ ରଖିଛି। ଟସର ଖୋସା ବିକ୍ରି କରିବା ପାଇଁ ସେରିଫେଡ୍‌‌ ପକ୍ଷରୁ ମୂଲ୍ୟ ସ୍ଥିରୀକୃତ ହୋଇଛି। ଟିଆରସିଏସରୁ ଟସର ଖୋସାଗୁଡ଼ିକ ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡାସ୍ଥିତ ଟସର ସିଲ୍କ ପାର୍କ ସହିତ ରାଜ୍ୟ ଏବଂ ଦେଶର ବିଭିନ୍ନ ସ୍ଥାନକୁ ଯାଉଛି। ସେଠାରେ ଖୋସାରୁ ରେଶମ ସୂତା ବାହାର କରାଯାଇ ଆକର୍ଷଣୀୟ ପୋଷାକ ଓ ଶାଢ଼ି ପ୍ରସ୍ତୁତ କରାଯାଉଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories