www.samajalive.in
Monday, December 8, 2025
14.1 C
Bhubaneswar

ପରିବାରର ସବୁ ଯୋଗ୍ୟ ମହିଳା ପାଇବେ ସୁଭଦ୍ରା ଟଙ୍କା

ଭୁବନେଶ୍ବର : ରାଜ୍ୟ ସରକାର ସୁଭଦ୍ରା ଯୋଜନା ପାଇଁ ମାର୍ଗଦର୍ଶିକା ଆଣିଛନ୍ତି। ଏହି ମାର୍ଗଦର୍ଶିକା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବିଧାନସଭାରେ ଘୋଷଣା କରିଛନ୍ତି। ଉକ୍ତ ଯୋଜନାରୁ ଅନେକ ମହିଳା ବଞ୍ଚିତ ହେବେ ବୋଲି ବିରୋଧୀ ବିଜେଡି ଓ କଂଗ୍ରେସ ଅଭିଯୋଗ ଆଣୁଛନ୍ତି। କିନ୍ତୁ ଏହି ଯୋଜନାରେ ପରିବାରର ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଏପରିକି ଗୋଟିଏ ପରିବାରରେ ତିନି କିମ୍ବା ଚାରିଜଣ ମହିଳା ସଦସ୍ୟ ଥିଲେ ଏବଂ ମାର୍ଗଦର୍ଶିକା ପରିସର ଭିତରେ ଆସୁଥିଲେ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନାରେ ସାମିଲ କରାଯିବ। ସେହିପରି ବିଧବା ହୁଅନ୍ତୁ କିମ୍ବା ଛାତ୍ରବୃତ୍ତି ପାଉଥିବା ମହାବିଦ୍ୟାଳୟ ଛାତ୍ରୀ ହୁଅନ୍ତୁ ଏହି ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଧାନସଭାରେ ଘୋଷଣା କରିଛନ୍ତି। ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ ଖର୍ଚ୍ଚଦାବି ଗୃହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରସ୍ତାବ ଆଗତ କରିବା ପରେ ଏହା ଉପରେ ଆଲୋଚନା ହୋଇଥିଲା। ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଥିଲେ ଯେ ନିର୍ବାଚନ ଇସ୍ତାହାରରେ ବିଜେପି ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ସରକାର ଗୋଟି ଗୋଟି କରି କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାରେ ମହିଳାମାନେ ନିଶ୍ଚିତ ଭାବେ ଉପକୃତ ହେବେ। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ପରିବାରର ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଗୋଟିଏ ପରିବାରରେ ତିନି ଜଣ ଥିଲେ ମଧ୍ୟ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଯୋଜନାରେ ସାମିଲ କରାଯିବ। କିନ୍ତୁ ସମ୍ପୃକ୍ତ ମହିଳା ମାର୍ଗଦର୍ଶିକା ପରିସରରେ ଆସୁଥିବେ। ସେହିଭଳି ବିଧବା ମହିଳା ଏବଂ ପାଠ ପଢୁଥିବାବେଳେ ଛାତ୍ରବୃତ୍ତି ପାଉଥିଲେ ମଧ୍ୟ ସମ୍ପୃକ୍ତ ଛାତ୍ରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ସୁଭଦ୍ରା ଯୋଜନା ପ୍ରସଙ୍ଗରେ ବିଜେଡି ବିଧାୟକ ଗଣେଶ୍ବର ବେହେରା ଗୃହରେ ସରକାରଙ୍କୁ ସମାଲୋଚନା କରିଥିଲେ କରିଥିଲେ। ବିଧାୟକ ଶ୍ରୀ ବେହେରାଙ୍କ ଅଭିଭାଷଣ ଉପରେ ସୁଭଦ୍ରା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ, ରାଜ୍ୟରେ ୧ କୋଟି ୮ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ୨୧ରୁ ୬୦ବୟସ୍କ ମହିଳାଙ୍କ ସଂଖ୍ୟା ୨ କୋଟି ୩୦ ଲକ୍ଷ। ସ୍ବଚ୍ଛଳ ବର୍ଗଙ୍କୁ ଛାଡ଼ିଦେଲେ ୨୧ରୁ ୬୦ ବର୍ଷର ମହିଳା ପାଖାପାଖି ୧ କୋଟି ୮ଲକ୍ଷ ରହିଛନ୍ତି। ସରକାର ୧ କୋଟି ୮ଲକ୍ଷ ମହିଳାଙ୍କୁ ଯୋଜନାରେ ସାମିଲ କରିବାକୁ ଯାଉଛନ୍ତି। ଯଦି ଆଉ କିଛି ମହିଳା ପାଇବେନି ବୋଲି ବିଜେଡି ଅନୁଭବ କରେ, ମତେ ଚିଠା ପଠେଇବେ, ମୁଁ ସମସ୍ତଙ୍କୁ ଦେବି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ସେ କହିଥିଲେ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନାର ନିର୍ଦେଶାବଳୀ ଜାରି ହୋଇଛି। ୨୧ରୁ ଅଧିକ ୬୦ବର୍ଷରୁ କମ୍ ବୟସ୍କ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ଯୋଗ୍ୟତା ମାନଦଣ୍ଡ ସରକାର ସ୍ଥିର କରିଥିବାବେଳେ ଏଥିରେ ଠକିବାକୁ କେହି ଉଦ୍ୟମ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଥିବା ଶ୍ରୀମତୀ ପରିଡ଼ା କହିଥିଲେ। ହିତାଧିକାରୀ ଆବେଦନ ସମୟରେ ଠିକ୍‌ ଓ ନିର୍ଭୁଲ ସୂଚନା ପ୍ରଦାନ କରିବା ଜରୁରୀ। ଯଦି କୌଣସି ସମୟରେ ହିତାଧିକାରୀ ଅଯୋଗ୍ୟ ପ୍ରମାଣିତ ହୁଅନ୍ତି ତାହେଲେ ଅର୍ଥ ପ୍ରଦାନ ବନ୍ଦ କରାଯିବ। ତାହା ସହ ଦିଆଯାଇଥିବା ଅର୍ଥ ଫେରାଇ ଅଣାଯିବ। ଠକେଇ ପାଇଁ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସରକାରଙ୍କ ଦ୍ବାରା ଜାରି ନିର୍ଦେଶାବଳୀରେ କୁହାଯାଇଛି, ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଜରିଆରେ ଅର୍ଥ ଜମା କରାଯିବ। ଏଥିପାଇଁ ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ। ଆଧାର କାର୍ଡରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ପାଇଁ ଶେଷ ତାରିଖ ଭାବେ ଗ୍ରହଣ କରାଯିବ। ୨୦୨୪-୨୫ ଆର୍ଥିକ ପାଇଁ ଚଳିତ ବର୍ଷ ଜୁଲାଇ ୧ତାରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ବର୍ଷ କିମ୍ବା ତା’ଠାରୁ ଅଧିକ ଓ ୬୦ବର୍ଷରୁ କମ୍ ହେବା ଆବଶ୍ୟକ। ସେହିପରି ଆବେଦନକାରୀଙ୍କ ଜନ୍ମ ତାରିଖ ୧୯୬୪, ଜୁଲାଇ ୨ ପୂର୍ବରୁ କିମ୍ବା ୨୦୦୩, ଜୁଲାଇ ୧ ପରେ ହେବା ଉଚିତ ନୁହେଁ। ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଯୋଗ୍ୟତା ତାରିଖ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହେବ। ପରିବାରର ପ୍ରତି ମହିଳା ଏହି ଯୋଜନାରେ ଟଙ୍କା ପାଇବା ଦ୍ବାରା ସେମାନେ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିବେ। ସରକାର ୨୦୩୬ ପାଇଁ ଯେଉଁ ବିକଶିତ ଓଡ଼ିଶା ସ୍ବପ୍ନ ଦେଖିଛନ୍ତି ସୁଭଦ୍ରା ଯୋଜନା ତା’ର ମୂଳଦୁଆ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories