www.samajalive.in
Sunday, December 7, 2025
23.1 C
Bhubaneswar

ସଂରକ୍ଷଣ ଭେଳିକି

ସାଧାରଣ ନିର୍ବାଚନ ପାଇଁ ଆଉ କିଛି ମାସ ବାକିଥିବାବେଳେ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିକୁ ନିର୍ବାଚନ କଷଟିରେ ପରୀକ୍ଷା କରାଯିବା ଏକ ସ୍ବାଭାବିକ କଥା। ସେହି ଦୃଷ୍ଟିରୁ ମୋଦୀ ସରକାରଙ୍କ ସାଧାରଣ ବର୍ଗର ଆର୍ଥିକ ଦୁର୍ବଳ ଲୋକଙ୍କୁ ଶିକ୍ଷା ଓ ସରକାରୀ ଚାକିରିରେ ଦଶ ଶତାଂଶ ସଂରକ୍ଷଣ ଘୋଷଣାକୁ ଦେଖାଗଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତେବେ ପ୍ରଶ୍ନ ଉଠୁଛି ଯେ ସରକାର ପ୍ରକୃତରେ ଯଦି ସାଧାରଣ ବର୍ଗର ଗରିବମାନଙ୍କ ମଙ୍ଗଳ କଥା ଚିନ୍ତା କରି ଏଭଳି ସଂରକ୍ଷଣ ବ୍ୟବସ୍ଥା କରିବାକୁ ଚେଷ୍ଟା କରୁଥାନ୍ତି, ତେବେ ବର୍ତ୍ତମାନ କାହିଁକି? ଏହା ତ ବହୁ ପୂର୍ବରୁ କରିବାର ଥିଲା; କାରଣ ମୋଦୀ ସରକାରଙ୍କୁ ଅଜଣା ନାହିଁ ​‌େ​‌ଯ ଭାରତବର୍ଷରେ ସଂରକ୍ଷଣ ସର୍ବଦା ଏକ ବିବାଦୀୟ ବିଷୟ ଏବଂ ଏଥିପାଇଁ ସାମ୍ବିଧାନିକ ଓ ନ୍ୟାୟିକ ପ୍ରତିବନ୍ଧକମାନ ରହିଛି। ଏହା କେବଳ ସମୟସାପେକ୍ଷ ନୁହେଁ, ବିତର୍କସାପେକ୍ଷ ମଧ୍ୟ। ତା’ସତ୍ତ୍ବେ ଶୀତକାଳୀନ ଅଧିବେଶନର ଶେଷଦିନ ପୂର୍ବରୁ ଏହା ଘୋଷଣା କରିବା ଘଟନାରୁ ଏଥିପାଇଁ ସରକାରଙ୍କ ଆନ୍ତରିକତା କେତେ, ତାହା ଅନୁମାନ କରିବା କଷ୍ଟ ନୁହେଁ। ମଙ୍ଗଳବାର ସରକାର ଏଥିପାଇଁ ଯେଉଁ ସମ୍ବିଧାନ ସଂଶୋଧନ (୧୨୪ତମ) ବିଧେୟକ ୨୦୧୯ ଉପସ୍ଥାପନ କରିଛନ୍ତି, ସେ ନେଇ ବିସ୍ତୃତ ଆଲୋଚନା ହେବାର ଅବସର କାହିଁ? ଏଥିପାଇଁ ଆବଶ୍ୟକ ଉଭୟ ଗୃହର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଯୋଗାଡ଼ କରିବାରେ ସରକାର ସଫଳ ହେବେ ତ? ପୁଣି ଏଥିପାଇଁ ରାଜ୍ୟଗୁଡ଼ିକର ସମର୍ଥନ ବି ଲୋଡ଼ା। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସମ୍ବିଧାନ ସଂଶୋଧନ ହେବା ସତ୍ତ୍ବେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ସର୍ବାଧିକ ୫୦ ଶତାଂଶ ସଂରକ୍ଷଣ ସୀମା ସ୍ଥିର କରିଛନ୍ତି, ତା’ର କ’ଣ ହେବ? ପୂର୍ବରୁ ୧୯୯୧ରେ ପି.ଭି. ନରସିଂହ ରାଓଙ୍କ ସରକାର ମଧ୍ୟ ଆର୍ଥିକ ମାନଦଣ୍ଡକୁ ଆଧାର କରି ସଂରକ୍ଷଣ ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରୀକ୍ଷାରେ ତାହା ଉତ୍ତୀର୍ଣ୍ଣ ହୋଇପାରିନଥିଲା। ସରକାର ଏ ବିଷୟରେ ନିଶ୍ଚୟ ଭଲଭାବେ ଅବହିତ ଥିବେ। ତେଣୁ ମୋଦୀ ସରକାର ଯେ ଏହାକୁ କେବଳ ରାଜନୀତିକ ସ୍ବାର୍ଥରକ୍ଷା ଉଦ୍ଦେଶ୍ୟରେ ଭେଳିକି ଦେଖାଇଛନ୍ତି, ତାହା ବୁଝିବା କଷ୍ଟ ନୁହେଁ।
ସମ୍ବିଧାନରେ ଯେଉଁ ଉଦ୍ଦେଶ୍ୟରେ ସଂରକ୍ଷଣ ଭଳି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା, ତାହା ଦିଗ୍‌ଭ୍ରଷ୍ଟ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ବର୍ତ୍ତମାନ ସୁଦ୍ଧା ଯେଉଁମାନଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ ଦିଆଯାଇଛି, ସେମାନଙ୍କ ଭିତରୁ କିଛି ଲୋକଙ୍କର ସଶକ୍ତୀକରଣ ହୋଇଛି ସତ; କିନ୍ତୁ ସେମାନଙ୍କ ସଂଖ୍ୟା ବହୁତ କମ୍। ଯେଉଁ ଜାତି, ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି, ସେମାନଙ୍କର ସବୁ ସମସ୍ୟା ମଧ୍ୟ ଏହାଦ୍ବାରା ସମାଧାନ ହୋଇଯାଇନାହିଁ। ତେଣୁ ଗରିବ ସାଧାରଣ ବର୍ଗଙ୍କୁ ଦଶ ଶତାଂଶ ସଂରକ୍ଷଣ ଦିଆଗଲେ ଯେ ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ ହୋଇଯିବ, ତାହା ଆଦୌ ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ଇନ୍ଦିରା ସାହନୀ ବନାମ ଭାରତ ସରକାରଙ୍କ ସେହି ବହୁଚର୍ଚିତ ମାମଲାରେ ଯାହା କହିଥିଲେ, ତାକୁ ଭୁଲିଯିବା ଅନୁଚିତ। ନ୍ୟାୟାଳୟଙ୍କ ମତରେ, ‘‘ସାମାଜିକ ଅସମାନତା ଦୂର କରିବା ଉଦ୍ଦେଶ୍ୟରେ ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା; ଅତଏବ ଏହାକୁ ଦାରିଦ୍ର୍ୟ ଉନ୍ମୁଳନ କାର୍ଯ୍ୟକ୍ରମ ଭାବେ ବ୍ୟବହାର କରାଯାଇପାରିବ ନାହିଁ। ଆର୍ଥିକ ଆଧାରରେ ସଂରକ୍ଷଣ ପ୍ରଦାନ ସମ୍ବିଧାନରେ ବର୍ଣ୍ଣିତ ସମାନତାର ମୂଳ ଅଧିକାରର ଉଲ୍ଲଙ୍ଘନ।’’
ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ତ ସରକାରଙ୍କର ପ୍ରଭାବଶାଳୀ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ନୀତିନ ଗଡ଼କରୀ ମରାଠା ଆନ୍ଦୋଳନ ସମୟରେ ଉଠାଇଥିଲେ, ଯାହା ବେଶ୍ ପ୍ରାସଙ୍ଗିକ। ସେ କହିଥିଲେ ଯେ ଯେତେବେଳେ ଚାକିରି ହିଁ ନାହିଁ, ସଂରକ୍ଷଣରୁ କ’ଣ ମିଳିବ? ବର୍ତ୍ତମାନ ଦେଶରେ ବେରୋଜଗାର ହାର ୮-୯ ଶତାଂଶରେ ପହଞ୍ଚିସାରିଛି ଓ ଶିକ୍ଷିତ ବେକାରୀ ହାର ପ୍ରାୟ ୧୬ ଶତାଂଶ। ସେଣ୍ଟର୍ ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି ତା’ର ତାଜା ରିପୋର୍ଟରେ ଦେଶର କ୍ରମବର୍ଦ୍ଧିଷ୍ଣୁ ବେକାରୀ ପରିସଂଖ୍ୟାନ ଜାରି କରି ଜଣାଇଛି ଯେ ୨୦୧୮ରେ ୧ କୋଟି ୧୦ ଲକ୍ଷ ଭାରତୀୟ ନିଜର ଚାକିରି ହରାଇଛନ୍ତି। ଏହି ପରିପ୍ରେକ୍ଷୀରେ କିଛି ମାସ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାକ୍ଷାତକାରରେ କହିଥିବା କଥାଟି ସ୍ମରଣୀୟ। ସେ କହିଥିଲେ ଯେ ତାଙ୍କ ସରକାରର ନୀତି ଦ୍ବାରା ଦେଶରେ ରୋଜଗାରର ସୁଯୋଗ ତ ବଢ଼ିଛି, କିନ୍ତୁ କେତେ ଲୋକଙ୍କୁ ରୋଜଗାର ମିଳିଛି, ସେ ସମ୍ପର୍କରେ ସରକାରଙ୍କ ପାଖରେ ତଥ୍ୟ ନାହିଁ। ଏଥିରୁ ବାସ୍ତବ ଅବସ୍ଥା କ’ଣ, ତାହା ବୁଝିବା ଆଦୌ କଷ୍ଟ ନୁହେଁ।
ପ୍ରକୃତ କଥା ହେଲା, ବିଜେପି ସଂରକ୍ଷଣ ସପକ୍ଷରେ ନଥିଲେ ହେଁ ସାଧାରଣ ବର୍ଗର ଗରିବ ଲୋକଙ୍କୁ ସଂରକ୍ଷଣ ଦେବା କଥାକୁ ସମର୍ଥନ କରିଆସିଛି। ଏହି ସାଧାରଣ ଉଚ୍ଚବର୍ଗଙ୍କୁ ବିଜେପିର ଭୋଟବ୍ୟାଙ୍କ ବୋଲି ଧରାଯାଏ; କିନ୍ତୁ କିଛି ମାସ ତଳେ ଦଳିତ ନିର୍ଯାତନା ନିରୋଧୀ ଆଇନରେ ସଂଶୋଧନ ଗୃହୀତ କରାଇ ମୋଦୀ ସରକାର ଓ ବିଜେପି ଉଚ୍ଚବର୍ଗଙ୍କ ରୋଷର ଶିକାର ହୋଇଥିଲେ। ତିନିଟି ହିନ୍ଦୀ-ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନରେ ତା’ର ପ୍ରତିଫଳ ମିଳିଥିବା ନିର୍ବାଚନ ସମୀକ୍ଷକଙ୍କ ମତ। ହୁଏତ ବିଜେପି ଏବେ ଉଚ୍ଚବର୍ଗଙ୍କୁ ସଂରକ୍ଷଣ ଦେଇ ପୁଣିଥରେ ସେମାନଙ୍କ ମନ ଜିଣିବାକୁ ଚେଷ୍ଟିତ। ତେବେ ଏହାର ପ୍ରତିକୂଳ ପ୍ରଭାବ ଯେ ପଡ଼ିବ ନାହିଁ, ତାହା କୁହାଯାଇନପାରେ। ବର୍ତ୍ତମାନ ଆଦିବାସୀ ଓ ପଛୁଆ ଜାତିର ଯେଉଁ ଭାଗ ବିଜେପି ସହ ସଂପୃକ୍ତ ଅଛନ୍ତି, ସେମାନେ ବିଜେପିର ଆଉ ସମର୍ଥକ ରହିନପାରନ୍ତି! ସେ ଯାହାହେଉ, ସଂରକ୍ଷଣ ନୁହେଁ, ଦେଶ ପାଇଁ ରୋଜଗାର ସୃଷ୍ଟିର ଆବଶ୍ୟକତା ରହିଛି, ଏହା ସରକାର ବୁଝିବା ସର୍ବାଦୌ ଆବଶ୍ୟକ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories