ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ: ଅଧାବାଟରେ ଅଟକିଛି ୩ ରଥ, ଆଜି ପୁଣି ରଥଟଣା

ପୁରୀ : ରବିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଛି। ବିରଳ ଘଟଣାରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ରତ୍ନବେଦୀରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପରଂବ୍ରହ୍ମ। ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ନବଦିନ ବ୍ୟାପୀ ଘୋଷଯାତ୍ରା ଆରମ୍ଭ କରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ସବୁ ଜାତି ଓ ଧର୍ମର ଭକ୍ତଙ୍କୁ ଦର୍ଶନ ଦେବାପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ମହାପ୍ରଭୁ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି। ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ଦେଖିବା ସହ ରଥ ଟାଣିଛନ୍ତି। ଲୋକାରଣ୍ୟ ହୋଇଛି ସମଗ୍ର ପୁରୀ ସହର। ଦାରୁବ୍ରହ୍ମଙ୍କ ରଥଯାତ୍ରା ଦେଖିବାକୁ ପୁରୀରେ ପ୍ରାୟ ୧୦ଲକ୍ଷ ଲୋକଙ୍କ ସମାଗମ ହୋଇଛି। ସନ୍ଧ୍ୟା ପୂର୍ବରୁ ଆପାତତଃ ଧାର୍ଯ୍ୟ ସମୟରେ ତିନିରଥ ଗଡ଼ିବା ଆରମ୍ଭ ହୋଇଥିବାବେଳେ ଏହାକୁ ଟାଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଶ୍ରଦ୍ଧାଳୁ। ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ମରୀଚିକୋଟ ଛକରେ ଅଟକି ଥିବାବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀକୃଷ୍ଣ ସିନେମା ଛକରେ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ବାରଠାରୁ ଅଳ୍ପବାଟ ଯାଇ ଅଟକିଛି। ସୋମବାର ସକାଳୁ ପୁଣିଥରେ ରଥଟଣା ଆରମ୍ଭ ହେବ। ତିନିରଥ ଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିକୁ ନିଆଯିବ। ଆଜି (ସୋମବାର) ସକାଳ ୯ଟାରୁ ରଥଟଣା ପୁଣି ଆରମ୍ଭ ହେବ। ରଥ ଉପରେ ମହାପ୍ରଭୁଙ୍କ ନୀତିକାନ୍ତି ପରେ ରଥଟଣା ଯିବ ବୋଲି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି । ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ମରୀଚିକୋଟ ଛକ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀକୃଷ୍ଣ ସିନେମା ଛକ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଅଳ୍ପଦୂର ଯାଇ ଅଟକିଛି। ତିନିରଥକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖା ଯାଇଛି। ଚତୁଃପାର୍ଶ୍ବରେ ବ୍ୟାରିକେଡ କରାଯିବା ସହ ଆଲୋକ ବ୍ୟବସ୍ଥା କରାଯାଇଛି। ସଶସ୍ତ୍ର ପୁଲିସବାହିନୀ ରଥଗୁଡିକୁ ଜଗି ରହିଛନ୍ତି। ରଥ ଉପରେ ମହାପ୍ରଭୁଙ୍କ ସେବା ପୂଜା କରାଯାଉଛି। ରାତିରେ ରଥାରୁଢ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗି ରହିଛି । ସୋମବାର ରଥରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି, ଅବକାଶ, ଗୋପାଳବଲ୍ଲଭ ବେଶ ଆଦି ନୀତି ଅନୁଷ୍ଠିତ ହେବ। ଦିନ ୯ଟାରେ ତିନିରଥ ଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିକୁ ନିଆଯିବ। ପୁଲିସ କର୍ମଚାରୀ ଏବଂ ଶ୍ରଦ୍ଧାଳୁମାନେ ରଥ ଟାଣିବେ। ତାହାକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ଜିଲାପାଳ ଶ୍ରୀ ସ୍ୱାଇଁ କହିଛନ୍ତି। ସୋମବାର ରଥଟଣା ସମୟରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ତାହାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିବାରୁ ସନ୍ଧ୍ୟା ପୂର୍ବରୁ ତିନିରଥ ଟାଣିବା ପ୍ରଶାସନ ଓ ସେବକଙ୍କ ପାଇଁ ବଡ଼ ଆହ୍ବାନ ହୋଇଥିଲା। ପ୍ରଶାସନର ସମୟାନୁବର୍ତ୍ତୀ ପଦକ୍ଷେପ ଯୋଗୁଁ ସବୁକିଛି କାର୍ଯ୍ୟ ସୁରୁଖୁରୁରେ ସମ୍ଭବପର ହୋଇପାରିଛି। ରବିବାର ସକାଳେ ବୈଦିକ ରୀତିରେ ରଥ ପ୍ରତିଷ୍ଠା କରାଯାଇଥିଲା। ନିର୍ଦ୍ଧାରିତ ସମୟର ୨ଘଣ୍ଟା ପୂର୍ବରୁ ଦିନ ୧୧ଟା ୧୦ରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ୨ଟା ୨୦ରେ ଶେଷ ହୋଇଥିଲା। ଏହାପରେ ମଦନମୋହନ ବିଜେ କରିଥିଲେ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ରଥ ଉପରେ ଛେରାପହଁରା କରିଥିଲେ। ରଥରୁ ଚାରମାଳ ଖୋଲାଯାଇ ଅପରାହ୍ଣ ୪ଟା ୫୦ରେ ରଥଟଣା ଆରମ୍ଭ ହୋଇଥିଲା। ପରମ୍ପରା ଅନୁଯାୟୀ ଭକ୍ତମାନେ ପ୍ରଥମେ ତାଳଧ୍ବଜ ରଥ ଟାଣିଥିଲେ। ଏହାପରେ ଦର୍ପଦଳନ ଏବଂ ଶେଷରେ ନନ୍ଦିଘୋଷ ରଥ ଟଣା ଯାଇଥିଲା। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ରଥ ଉପରକୁ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ବଡ଼ଠାକୁର ଶ୍ରୀବଳଭଦ୍ର ଓ କାଳିଆ ଠାକୁର ଶ୍ରୀଜଗନ୍ନାଥ ଝୁଲି ଝୁଲି ରଥ ଉପରେ ବିଜେ କରିବା ଦୃଶ୍ୟ ଭକ୍ତଙ୍କୁ ବିଭୋର କରିଥିଲା। ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଚକ୍ରଧାରୀ ଶରଣ ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ରଥଯାତ୍ରା ଦେଖିଛନ୍ତି। ଗହଳି ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ, ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ, ୮ ପ୍ଲାଟୁନ ଓଏସ୍‌ଏଏଫ୍‌, ୩ୟୁନିଟ ଏସ୍‌ଓଜି, ଆତଙ୍କବାଦୀ ନିରୋଧ ବାହିନୀ, ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ନିୟୋଜିତ କରାଯାଇଥିଲା। ପୁଲିସ ମହାନିର୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ୪ ଅତିରିକ୍ତ ପୁଲିସ ମହାନିର୍ଦେଶକ, ୬ ଆଇଜି ଓ ଡିଆଇଜି, ୨୦ଜଣ ଆରକ୍ଷୀ ଅଧୀକ୍ଷକ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ତଟରକ୍ଷୀ ବାହିନୀ ପକ୍ଷରୁ ସମୁଦ୍ରରେ ପାଟ୍ରୋଲିଂ କରାଯାଇଥିଲା। ବଡ଼ଦାଣ୍ଡ ଦୁଇପାର୍ଶ୍ବ ଏବଂ ଶ୍ରୀମନ୍ଦିର ଚାରିପାଖ କୋଠାଗୁଡ଼ିକରେ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ ହୋଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଠାକୁରଙ୍କ ନୀତିକାନ୍ତି ପରିଚାଳନା ତଦାରଖ କରିଥିଲେ।

Comments are closed.