ଶ୍ରୀମନ୍ଦିର ପରିକ୍ରମା ମାର୍ଗ: ଦେବଦେବୀଙ୍କୁ ନିମନ୍ତ୍ରଣ – ସାଧୁସନ୍ଥଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ପାଇଁ ରବିବାରଠାରୁ ଅନ୍ୟ ଦେବଦେବୀଙ୍କୁ ନିମନ୍ତ୍ରଣ କରିବା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ସତ୍ୟବାଦୀ ଶ୍ରୀ ଗୋପୀନାଥ ଦେବ ଏବଂ କଣ୍ଟିଲୋ ନୀଳମାଧବଙ୍କ ସମେତ ଆଉ କିଛି ଦେବଦେବୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ, କିଛି ବରିଷ୍ଠ ସେବକ ଏବଂ ମନ୍ଦିର ପ୍ରଶାସନ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇଛି। ନିମନ୍ତ୍ରଣ ପତ୍ର ସମେତ ନୀଳଚକ୍ର ଲାଗି ଧ୍ୱଜା ଏବଂ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଦେଇ ସେମାନେ ବିଭିନ୍ନ ଦେବଦେବୀଙ୍କୁ ନିମନ୍ତ୍ରଣ କରିବେ। ନିମନ୍ତ୍ରଣପତ୍ର ସହ ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଏକ ସୂଚନା ପୁସ୍ତିକା ପ୍ରଦାନ କରାଯିବ। ୧୦ତାରିଖ ସୁଦ୍ଧା ନିମନ୍ତ୍ରଣ ପ୍ରକ୍ରିୟା ଶେଷ କରିବାକୁ ସ୍ଥିର କରାଯାଇଛି।

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବରେ ସାଧୁସନ୍ଥ ଏବଂ ଅନ୍ୟ ନିମନ୍ତ୍ରିତ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ପ୍ରାୟ ୧୨ଶହ ଅତିଥି କାର୍ଯ୍ୟକ୍ରମରେ ଯୋଗଦେବେ। ଲୋକାର୍ପଣ ଉତ୍ସବ ପାଇଁ ଚାରିଧାମ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯିବ। ଏହାଛଡ଼ା ଶତାଧିକ ସାଧୁସନ୍ଥ, କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକ, ପରିକ୍ରମା ମାର୍ଗ ପାଇଁ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତି, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତି, ଜମି ଦେଇଥିବା ଜମି ମାଲିକଙ୍କୁ ନିମନ୍ତ୍ରଣ କରାଯାଉଛି। ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରାଜ୍ୟ ବାହାର ନିମନ୍ତ୍ରିତ ଅତିଥିଙ୍କୁ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯିବ। ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ସେମାନଙ୍କୁ ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବକୁ ନିଆଯିବ। ଶ୍ରୀମନ୍ଦିରକୁ ଯାଇ ସେମାନେ ମହାପ୍ରଭୁଙ୍କୁ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଅତିଥିଙ୍କ ପାଇଁ ଶ୍ରୀମନ୍ଦିର ଭକ୍ତ ନିବାସ ସମେତ ବିଭିନ୍ନ ସ୍ଥାନରେ ଆବାସ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିମନ୍ତ୍ରିତ ଅତିଥିଙ୍କୁ ମହାପ୍ରସାଦ ପ୍ରଦାନ କରାଯିବ। ଶ୍ରୀମନ୍ଦିର ଉତ୍ତର ଦ୍ୱାର ସମ୍ମୁଖରେ ତିନୋଟି ସ୍ୱତନ୍ତ୍ର ଗ୍ୟାଲେରୀ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି।

Comments are closed.