ରୋଗୀ ଅଧିକାର ପାଇଁ ନୂତନ ନୀତି
ଡ.ପ୍ରଭାସ ଆଚାର୍ଯ୍ୟ
ରୋଗୀ ସମ୍ପର୍କୀୟଙ୍କୁ ଆଇ.ସି.ୟୁ ଭିତରକୁ ଯିବାକୁ ଅନୁମତି ଦିଆଗଲା ନାହିଁ। କାଚ ଆରପାରିରୁ ପତ୍ନୀ ଓ ପିଲାମାନେ ଦିନରେ ଦୁଇ ଥର ଆସି ରୋଗୀଙ୍କୁ ଦେଖିପାରିବେ ବୋଲି ଘରୋଇ ଡାକ୍ତରଖାନାର କର୍ତ୍ତୃପକ୍ଷ କହିଲେ। ଡାକ୍ତରଙ୍କୁ ନେହୁରା ହେଲାଠୁ ‘ରୋଗୀ ଅବସ୍ଥା ଜଟିଳ ଓ ଗୁରୁତର’ ବୋଲି ମତ ଦେଲେ। ନର୍ସ ମୁହଁ ବୁଲେଇ ଦେଇ ‘ଆମେ କିଛି କହି ପାରିବୁନି’ ଉତ୍ତର ଦେଲେ। ଜୀବନ-ମୃତ୍ୟୁ ସହ ରୋଗୀର ସଂଘର୍ଷ ଚାଲିଛି ବୋଲି ନର୍ସିଂ ଷ୍ଟେସନର ବଡ଼ଦିଦି ସାବଧାନ କରିଦେଲେ। ଏମିତି ଦୁଇ ତିନି ଦିନ ରହିଲା ପରେ ହରିବାବୁଙ୍କ ପରିବାରକୁ ଡାକ୍ତର କହି ଦେଲେ ଯେ, ‘ରୋଗୀର ଦେହାନ୍ତ ହୋଇଗଲା’। ଟିଁ-ଟିଁ ଶବ୍ଦ କରୁଥିବା ଯନ୍ତ୍ରପାତିଗୁଡ଼ାକ ଶବ୍ଦହୀନ ହୋଇପଡ଼ିଲା। ଦୂର ପାହାଡ଼ର ରେଖାଚିତ୍ରର ଭ୍ରମ ସୃଷ୍ଟି କରି ଅନବରତ ଢେଉ ପରି ଚାଲୁଥିବା ନୀଳ ନୀଳ ପରଦା ସବୁ ଲିଭିଗଲା। କାନ୍ଦ ବୋବାଳି ଛାଡ଼ି ପତ୍ନୀ-ପିଲାମାନେ ଶଯ୍ୟା ପାର୍ଶ୍ବରେ ଢେର ସମୟ ବ୍ୟସ୍ତ ବିବ୍ରତ ହେଲେ। ତା’ପରେ ରୋଗୀକୁ ଶବାଗାରକୁ ନିଆଗଲା।
ଯେତେବେଳେ ଚିକିତ୍ସାର ବିଲ୍ ପୈଠ କରିବାକୁ କୁହାଗଲା, ସେତେବେଳେ ଡାକ୍ତରଖାନାର ପାଉଣା ଦାବିପତ୍ର ଦେଖି ପରିବାର ଲୋକ ଆରମ୍ଭ କଲେ ଯୁକ୍ତିତର୍କ। ଡାକ୍ତରଖାନାର ନିରାପତ୍ତା କର୍ମୀ ଆସି ଘେରିଗଲେ ମୃତକଙ୍କ ଆତ୍ମୀୟଙ୍କୁ। ଶବାଗାରରୁ ଶବ ବାହାର କରିବାକୁ ମଧ୍ୟ ରୋକ ଲଗାଗଲା। ଧୀରେଧୀରେ ଉତ୍ତେଜନା ବୃଦ୍ଧି ପାଇଲା। ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସ ଡକାଇଲେ। ପରିବାର ଲୋକଙ୍କ ଅଭିଯୋଗ ହେଲା ଯେ, ରୋଗୀ ଆସିଲା ବେଳେ ଗୁରୁତର ନ ଥାଇ ମଧ୍ୟ ଡାକ୍ତରଖାନାର ଆଇ.ସି.ୟୁ ଶଯ୍ୟା ପୂରଣ ପାଇଁ ହିଁ ତାଙ୍କ ରୋଗୀକୁ ଆଇ.ସି.ୟୁରେ ଭର୍ତ୍ତି କରାଗଲା ଓ ସେଥିପାଇଁ ତାଙ୍କଠାରୁ ଅନୁମତି ନିଆ ଯାଇନଥିଲା। ଶଯ୍ୟାରେ ଭର୍ତ୍ତି କରିବା ପରେ ନର୍ସ କହିଲେ ଯେ ଗୁରୁତର ରୋଗୀଙ୍କୁ ବଞ୍ଚାଇବା ପାଇଁ ଆଇ.ସି.ୟୁକୁ ନିଆଯାଏ ଓ ସେଥିପାଇଁ ସେମାନେ ହରିବାବୁଙ୍କୁ ଆଇ.ସି.ୟୁକୁ ନେଇଥିଲେ। ସବୁଠାରୁ ସଙ୍ଗିନ ଅଭିଯୋଗ ଯାହା ପରିବାର ଲୋକ କଲେ, ତା’ ହେଲା ଦୁଇ ଦିନ ତଳୁ ହରିବାବୁଙ୍କ ମୃତ୍ୟୁ ହେବା ସତ୍ତ୍ବେ କେବଳ ଟଙ୍କା ଲୋଭରେ ଦୁଇ ଦିନ ପର୍ଯ୍ୟନ୍ତ ମିଛରେ ଭେଣ୍ଟିଲେଟର ଲଗାଇ ରୋଗୀ ଆତ୍ମୀୟଙ୍କୁ ସେମାନେ ଭିତରକୁ ଛାଡ଼ି ନଥିଲେ।
ଉପର ବର୍ଣ୍ଣିତ ଘଟଣା ଭଳି ବହୁ ଡାକ୍ତରଖାନାରୁ ଏପରି ଅଭିଯୋଗ ଆସୁଛି। ସେ ସବୁର ସତ୍ୟାସତ୍ୟ ସବୁ କ୍ଷେତ୍ରରେ ସମାନ ନ ହେଲେ ମଧ୍ୟ ଅନେକ ଘଟଣାରେ ସତ୍ୟତାକୁ ନେଇ ବାରମ୍ବାର ଦେଶବ୍ୟାପୀ ଅଭିଯୋଗ ହୋଇ ଆସୁଛି। ଘରୋଇ ଡାକ୍ତରଖାନାର ଏପରି ବ୍ୟାବସାୟିକ, ଅମାନୁଷିକ ବ୍ୟବହାର ତଥା ରୋଗୀଙ୍କ ପକ୍ଷରୁ ଭୁଲ ବୁଝାମଣାର ଅନ୍ତ ଘଟାଇବା ପାଇଁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ନିକଟ ଅତୀତରେ ଡାକ୍ତରଖାନାମାନଙ୍କରେ ଆଇ.ସି.ୟୁ ଭର୍ତ୍ତି ସଂକ୍ରାନ୍ତରେ ଏକ ନୂତନ ନୀତି ପ୍ରଣୟଣ କରିଛନ୍ତି।
ଆଇ.ସି.ୟୁ ନୂତନ ନିୟମ ଅନୁସାରେ ରୋଗୀ ବା ରୋଗୀଙ୍କ ଆତ୍ମୀୟଙ୍କ ଅସହମତିରେ କୌଣସି ରୋଗୀକୁ ଆଇ.ସି.ୟୁରେ ଭର୍ତ୍ତି କରାଯାଇପାରିବ ନାହିଁ। ପୁନଶ୍ଚ ଯଦି ରୋଗୀଙ୍କ ପକ୍ଷରୁ ପ୍ରଥମରୁ ତାଙ୍କ ଇଚ୍ଛାପତ୍ରରେ ଆଇ.ସି.ୟୁରେ ଭର୍ତ୍ତି ପାଇଁ ଅସମ୍ମତି ଥିବ ବା ଭର୍ତ୍ତି ପୂର୍ବରୁ ସେଭଳି କୌଣସି ପୂର୍ବ ନିେର୍ଦଶ ଥିବ, ତା’ ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ଚିକିତ୍ସା ଆଳରେ ତାଙ୍କୁ ଆଇ.ସି.ୟୁରେ ରଖି ପାରିବେ ନାହିଁ।
ବିଦେଶର କେତେ ଜଣ ପ୍ରଖ୍ୟାତ ଡାକ୍ତରଙ୍କ ସମେତ ଦେଶର ୨୪ଜଣ ସୁପ୍ରତିଷ୍ଠିତ ଡାକ୍ତରଙ୍କୁ ନେଇ ଗଠିତ ଏକ ଦଳ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଡାକ୍ତରଖାନାମାନଙ୍କ ପାଇଁ ଏହି ନୂତନ ନୀତିକୁ ରୂପ ଦେଇଛନ୍ତି। ଭାରତରେ ସବୁ ଡାକ୍ତରଖାନା ମିଶି ସମୁଦାୟ ଏକ ଲକ୍ଷ ୨୫ ହଜାର ପାଖାପାଖି ଆଇ.ସି.ୟୁ ଶଯ୍ୟା ଥିଲାବେଳେ, ଏହାର ସୁବିନିଯୋଗ ପାଇଁ ମଧ୍ୟ ଏହି ନୀତି ସାହାଯ୍ୟ କରିବ। ଏହି ଶଯ୍ୟା ସଂଖ୍ୟାର ସିଂହ ଭାଗ ରହିଛି ଘରୋଇ ଡାକ୍ତରଖାନାଗୁଡ଼ିକରେ। ତେଣୁ ରୋଗୀର ଅନାବଶ୍ୟକ କ୍ଷେତ୍ରରେ କେବଳ ଅର୍ଥବାନ୍ ଲୋକଙ୍କ ଇଚ୍ଛାକୁ ସାକାର କରିବା ପାଇଁ ଯେଭଳି ଆଇ.ସି.ୟୁ ଶଯ୍ୟା ଦିଆନଯାଏ ଏହାକୁ ମଧ୍ୟ ଏହି ନୀତିର ଅନ୍ତର୍ଭୁକ୍ତ କରାଯାଇଛି।
ଗତ ଏପ୍ରିଲ ୨୦୨୩ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଶଯ୍ୟା ପିଛା ଆଇ.ସି.ୟୁର ଦିନକୁ ଖର୍ଚ୍ଚ ୫୩୦୦ ଭିତରେ ରଖିବାକୁ ନିେର୍ଦଶ ଜାରି କରିଥିବାବେଳେ, ଘରୋଇ ଡାକ୍ତରଖାନାମାନଙ୍କରେ ଏହି ଦର ୧୦,୦୦୦ରୁ ୩୦,୦୦୦ ଟଙ୍କା ମଧ୍ୟରେ ରହିଛି ଏବଂ ସ୍ଥଳବିଶେଷରେ ବୃହତ୍ ଘରୋଇ ଡାକ୍ତରଖାନାରେ ଏହା ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ନିଆଯାଉଛି। ନୂତନ ନିୟମରେ ଅଙ୍ଗ ଅକାମୀ ହୋଇ ପଡ଼ିଲେ କୃତ୍ରିମ ଭାବେ ସେହି ଅଙ୍ଗ ସଞ୍ଚାଳନ ପାଇଁ ଆଇ.ସି.ୟୁକୁ ନିଆଯିବା ପାଇଁ ନିେର୍ଦଶ ଅଛି। ସେହିପରି ଶ୍ବାସଜନିତ ଜଟିଳ ସମସ୍ୟା, ହୃଦଯନ୍ତ୍ର ପରିଚାଳନା ବା ତନ୍ନତନ୍ନ ଭାବେ ସ୍ବାସ୍ଥ୍ୟ ଅବସ୍ଥାର ନିରୀକ୍ଷଣ ଆବଶ୍ୟକତା କ୍ଷେତ୍ରରେ ଆଇ.ସି.ୟୁର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି ନୂତନ ନିୟମର।
ଅନେକ କ୍ଷେତ୍ରରେ ଘରୋଇ ଡାକ୍ତରଖାନାମାନଙ୍କରେ ଆଇ.ସି.ୟୁ ପରିଚାଳନା କ୍ଷେତ୍ରରେ ଗୁରୁତର ଦାୟିତ୍ବହୀନତା ମଧ୍ୟ ପରିଲକ୍ଷିତ ହୁଏ। ଆଇ.ସି.ୟୁ ଭିତରେ ସାଧାରଣ ବ୍ୟକ୍ତି ବା ରୋଗୀ ସମ୍ପର୍କୀୟଙ୍କ ପାଇଁ ନିୟନ୍ତ୍ରିତ ପ୍ରବେଶ ବ୍ୟବସ୍ଥା ଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତା’ର ମଧ୍ୟ ଫାଇଦା ଉଠାଇଥା’ନ୍ତି। ସେଠାରେ ଆବଶ୍ୟକ ସଂଖ୍ୟକ ନର୍ସ ଓ ରୋଗୀ ପରିଚାଳକ ନ ରଖିବା ଦ୍ବାରା ରୋଗୀର ସ୍ବାସ୍ଥ୍ୟ ନିରୀକ୍ଷଣରେ ଅବହେଳା ହୋଇଥାଏ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଯେ, ଆଇ.ସି.ୟୁ ଭିତରେ ଯେଉଁ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତାର ବ୍ୟକ୍ତି ରହିବା କଥା ଅଧିକାଂଶ ଡାକ୍ତରଖାନା ଏପରି କି ସରକାରଙ୍କ ଦ୍ବାରା ପରିଚାଳିତ ଡାକ୍ତରଖାନାରେ ମଧ୍ୟ ଆବଶ୍ୟକ ଯୋଗ୍ୟ ଓ ଅଭିଜ୍ଞ ଡାକ୍ତର ନଥା’ନ୍ତି। କେବଳ ଅତ୍ୟାଧୁନିକ ଯନ୍ତ୍ରପାତି ରଖି ଶୀତତାପ ନିୟନ୍ତ୍ରିତ ନିବୁଜ ଘର ଭିତରେ ରୋଗୀକୁ ରଖିବା ଦ୍ବାରା ସେ ତା’ର ସମ୍ପର୍କୀୟଙ୍କ ଠାରୁ ଅନ୍ତର ସିନା ହୁଏ; କିନ୍ତୁ ଆଇ.ସି.ୟୁରେ ରହିବାର ସୁଫଳ ରୋଗୀକୁ ମିଳେ ନାହିଁ। ନୂତନ ନିୟମରେ ଏହାକୁ ଜୋର ଦିଆଯାଇ ଆଇ.ସି.ୟୁରେ ଇଣ୍ଟରନାଲ ମେଡିସିନ, ଆନେସ୍ଥେସିଆ, ପଲମୋନାରୀ ମେଡିସିନ, ଇମରଜେନ୍ସି ମେଡିସିନ ବା ସର୍ଜରୀରେ ଉପାଧ୍ୟୁତ୍ତର ପାଠ୍ୟକ୍ରମ ସାଙ୍ଗକୁ ପଲମୋନାରୀ କ୍ରିଟିକାଲ କେଆର ବା କ୍ରିଟିକାଲ କେଆରରେ ପ୍ରଶିକ୍ଷିତ ହୋଇଥିବା ଡାକ୍ତର ହିଁ ଦାୟିତ୍ବରେ ରହିବେ। ଏଣିକି ସର୍ବନିମ୍ନ ଏମ୍.ବି.ବି.ଏସ୍ ପରେ ଆଇ.ସି.ୟୁ. ଉପରେ ଏକ ବର୍ଷର ସାର୍ଟିଫିକେଟ ପାଠ୍ୟକ୍ରମ ସହ ୩ ବର୍ଷର ଅଭିଜ୍ଞତା ଥିବା ଡାକ୍ତର ହିଁ ଆଇ.ସି.ୟୁ ଦାୟିତ୍ବରେ ରହିବେ।
ପ୍ରସ୍ତାବ:
ଏହି ନୂତନ ନିୟମ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ; କିନ୍ତୁ ଏଥିରେ ଅଧିକ କିଛି ସଂଯୁକ୍ତ କରାଯିବାର ଆବଶ୍ୟକତା ରହିଛି।
୧। ରୋଗୀ ସମ୍ପର୍କୀୟଙ୍କୁ ଅଧିକ ଥର ରୋଗୀ ପାଖକୁ ଛଡ଼ାଗଲେ ରୋଗୀର ମାନସିକ ଅବସ୍ଥା ଭଲ ରହିବା ସହ ପ୍ରତୀକ୍ଷମାଣ ସମ୍ପର୍କୀୟଙ୍କ ମଧ୍ୟରେ ଉଦ୍ବେଗ ଓ ମାନସିକ ଚାପ ରହନ୍ତା ନାହିଁ।
୨। ଦିନକୁ ଅନ୍ତତଃ ଥରେ ବା ଦୁଇଥର ରୋଗୀ ସମ୍ପର୍କୀୟଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରୋଗୀର ଅବସ୍ଥା ସମ୍ପର୍କରେ ପ୍ରକୋଷ୍ଠରେ ବସି ତାଙ୍କୁ ପରାମର୍ଶ େଦଲେ ରୋଗୀର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସେମାନେ ଅବଗତ ରହନ୍ତେ।
୩। ଅନେକ ଘରୋଇ ଡାକ୍ତରଖାନା ଆଇ.ସି.ୟୁରେ ଲୁଚାଛପାରେ ଏମ୍.ବି.ବି.ଏସ୍ ବଦଳରେ ଆୟୁଷ ଡାକ୍ତର ସେବା ପ୍ରଦାନ କରୁଛନ୍ତି, ଯାହା ଉପରେ ରୋକ ଲଗାଯିବା ଆବଶ୍ୟକ। ଆୟୁଷ ଡାକ୍ତରଙ୍କୁ ଯୋଗ୍ୟତା ଭିତ୍ତିରେ ଅନ୍ୟ କ୍ଷେତ୍ରରେ ନିଯୁକ୍ତି ଦିଆଯାଉ।
୪। ସଠିକ୍ ଅଭିଜ୍ଞତା ଓ ଶିକ୍ଷାଗତ ଯୋଗ୍ୟତାର ବ୍ୟକ୍ତି ଆଇ.ସି.ୟୁରେ ଅଛନ୍ତି କି ନା, ତାହା ସାଧାରଣ ଲୋକ ବା କୌଣସି ସାମ୍ବାଦିକ ମଧ୍ୟ ଜାଣିବା ଅସମ୍ଭବ। ଦେଶରେ ନ୍ୟାସ୍ନାଲ ଆକ୍ରିଡିସନ ବୋର୍ଡ ଅଫ୍ ହସ୍ପିଟାଲ (ଏନ୍.ଏ.ବି.ଏଚ୍) ନାମକ ଏକ ସଂସ୍ଥା କାର୍ଯ୍ୟ କରେ, ଯିଏ କି ଘରୋଇ ଡାକ୍ତରଖାନାର ପରିଦର୍ଶନ କରି ନର୍ସିଂହୋମ ଓ ଡାକ୍ତରଖାନାର ଗୁଣବତ୍ତା ସୁନିଶ୍ଚିତ କରିବା କଥା! ସେହିପରି ନ୍ୟାସନାଲ ମେଡିକାଲ୍ କମିସନ (ଏନ୍.ଏମ୍.ସି) ସରକାରୀ ଡାକ୍ତରଖାନାର ତନଖି କରିଥାଏ। ତେଣୁ ଏନ୍.ଏମ୍.ସି ଓ ଏନ୍.ଏ.ବି.ଏ ଡାକ୍ତରଖାନାର ଆଇ.ସି.ୟୁରେ କେଉଁ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତାର ଡାକ୍ତର ଅଛନ୍ତି ତାହା ନିୟନ୍ତ୍ରିତ କରିବା ଦରକାର।
୫। ଭାରତର ବହୁ ବଡ଼ ବଡ଼ ଡାକ୍ତରଖାନାରେ ରୋଗୀ ଓ ଡାକ୍ତରଖାନା ମଧ୍ୟରେ ସୁଯୋଗାଯୋଗ ପାଇଁ ସେତୁ ଭାବେ କାର୍ଯ୍ୟ କରିବାକୁ ‘ଡାକ୍ତରଖାନା-ସମାଜସେବୀ’ଙ୍କୁ ନିଯୁକ୍ତ କରିଛନ୍ତି। ସେମାନେ ରୋଗୀ ସହ ଭାବ ଆଦାନପ୍ରଦାନ କରିବା ପୂର୍ବକ ବୁଝାମଣାକୁ ସୁଦୃଢ଼ କରିଥାନ୍ତି। ତେଣୁ ସରକାରୀ ଓ ବେସରକାରୀ ଡାକ୍ତରଖାନାମାନଙ୍କରେ ସେପରି ସମାଜସେବୀଙ୍କୁ ନିଯୁକ୍ତ କରାଗଲେ ରୋଗୀ-ସମ୍ପର୍କୀୟ-ଡାକ୍ତରଖାନା ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବା ସହ ବହୁ ସମସ୍ୟାର ସମାଧାନ ହୋଇପାରନ୍ତା।
Comments are closed.