ମଣ୍ଡିରୁ ଧାନ ଗାଏବ; ଥାନାରେ ମାମଲା
ଭବାନୀପାଟଣା: ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟିର ମଣ୍ଡିରୁ ୧୦୦ ବସ୍ତା ଧାନ ଚୋରି ହେଇଥିବା ସ୍ଥାନୀୟ ସଦର ଥାନାରେ ଅଭିଯୋଗ ହେଇଛି। ଅଭିଯୋଗ ଅନୁଯାୟୀ, କୁସୁମ ଶିଳା ଗାଁର ମନୋଜ ବୁଦ୍ଧିଆ ନାମକ ଚାଷୀ ଗତ ୨୮ ତାରିଖ ଦିନ ୧୦୦ ବସ୍ତା ଧାନ ମଣ୍ଡିକୁ ଆଣିଥିଲେ। ୨୯ ତାରିଖ ଦିନ ଏଜେଣ୍ଟଠାରୁ ଆଉକିଛି ବସ୍ତା ନେଇ ମଣ୍ଡିକୁ ଧାନ ସହ ଆସିଲାବେଳେ ପୂର୍ବରୁ ରଖିଥିବା ଧାନ ବସ୍ତା ସବୁ ଗାଏବ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏ ସଂକ୍ରାନ୍ତରେ ସମ୍ପୃକ୍ତ ଚାଷୀ, ପେକ୍ସ ସଭାପତି, ମଣ୍ଡି କମିଟି ସଦସ୍ୟ ପ୍ରମୁଖ ୩୦ ତାରିଖ ଦିନ ତନାଘନା କରିଥିଲେ। ତେବେ ଜଣେ ଏଜେଣ୍ଟ ଧାନ ଉଠାଇଥିବା ଜଣା ପଡ଼ିଥିଲା। ତଥାପି ସମ୍ପୃକ୍ତ ଏଜେଣ୍ଟ ଅସ୍ବୀକାର କରିବାରୁ ଶନିବାର ସନ୍ଧ୍ୟାରେ ଚାଷୀ ମନୋଜ ବୁଦ୍ଧିଆ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜନୈକ ମିଲ୍ ଏଜେଣ୍ଟ କୃପାସିନ୍ଧୁ ସାହୁ ଏବଂ କିଛି ଶ୍ରମିକଙ୍କ ନାମରେ ସଦର ଥାନାରେ ସେ ଅଭିଯୋଗ କରିଛନ୍ତି। ଆରଏମସି ଅଫିସ ସମ୍ମୁଖ ପାଚେରୀ ଥିବା ମଣ୍ଡିରେ ଧାନ ରଖାଯାଇଥିଲା, ଅଥଚ ଧାନ କିଭଳି ଚୋରୀ ହେଲା ବୋଲି ଚାଷୀ ମହଲରେ ପ୍ରଶ୍ନ ଉଠୁଛି।
ଉଲ୍ଲେଖଯୋଗ୍ୟ ଯେ, ସମସ୍ତ ମଣ୍ଡିରେ ସିସିଟିଭି ଲଗାଯିବା ପାଇଁ ଓସମା ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି। ହେଲେ ଏଠାରେ ଥିବା ଦୁଇଟି ମାର୍କେଟ ୟାର୍ଡ ବା ମଣ୍ଡି ମଧ୍ୟରୁ ଗୋଟିଏରେ ସିସିଟିଭି ଲାଗିଛି। ଯେଉଁ ମଣ୍ଡିରେ ସିସିଟିଭି ଲାଗିନି ସେଠାରୁ ଧାନ ଚୋରୀ ହୋଇଥିବା ଜଣାପଡ଼ିଛି। ଏପରିକି ଭବାନୀପାଟଣା ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ୫୨ଟି ମଣ୍ଡି ମଧ୍ୟରୁ ମାତ୍ର ୧୬ଟି ମଣ୍ଡିରେ ସିସିଟିଭି ଲାଗିଥିବା ସମ୍ପାଦକ ରବି ଶଙ୍କର ଭିତରିଆ ସ୍ବୀକାର କରିଛନ୍ତି। ତେବେ ଧାନ ଚୋରୀ ସଂକ୍ରାନ୍ତରେ ସୂଚନା ପାଇଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ତଦନ୍ତ ହେବ ବୋଲି କହିଛନ୍ତି। ହେଲେ ଜିଲ୍ଲା ମହକୁମାରେ ପାଚେରୀ ଥିବା ଏବଂ ଅଫିସ ସମ୍ମୁଖ ମଣ୍ଡିରେ ଏଭଳି ହୋଇଥିବା ବେଳେ ଜିଲ୍ଲାର ଅନ୍ୟ ଖୋଲା ମଣ୍ଡିରେ ଧାନ କେତେ ସୁରକ୍ଷିତ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Comments are closed.